ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି, କୃଷିକ୍ଷେତ୍ରକୁ ବାତ୍ୟା ପ୍ରଭାବିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଛି।

01Mohan Majhi

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। କୃଷିକ୍ଷେତ୍ରକୁ ବାତ୍ୟା ପ୍ରଭାବିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ୧,୭୫,୦୦୦ ଏକର ଫସଲ କ୍ଷୟକ୍ଷତି ହୋଇଛି। ସଂପୂର୍ଣ୍ଣ ତଥ୍ୟ ମିଳିବା ପରେ କୃଷିକ୍ଷେତ୍ରକୁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିବ ଏବଂ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାତିରେ କହିଛନ୍ତି।

ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀରେ ପାଖାପାଖି ୮ ଲକ୍ଷ ଲୋକଙ୍କୁ ରଖାଯାଇଛି। ଆମେ ଲୋକଙ୍କୁ ସଫଳତାର ସହିତ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲୁ। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ ସେଠାରେ ସୁରକ୍ଷିତ ଅଛନ୍ତି। କିଛି ଲୋକ ଅନୁମତି କ୍ରମେ ଘରକୁ ଯାଇଛନ୍ତି। ସମସ୍ତ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କର୍ମଚାରୀମାନେ ପ୍ରଶଂସନୀୟ କାମ କରିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାସ୍ତା ଅବରୋଧ କାମ ଆଜି ଅପରାହ୍ଣ ସୁଦ୍ଧା ସରିଯାଇଛି। ବିଦ୍ୟୁତ କାମରେ ସାମାନ୍ୟ ବିଳମ୍ବ ହୋଇଛି। ଆଜି ଅପରାହ୍ଣରେ ବର୍ଷା ବାଧକ ସାଜିବାରୁ ବିଦ୍ୟୁତ ମରାମତି କାମ ପୂରା ହୋଇପାରି ନାହିଁ। ବାତ୍ୟା ପୂର୍ବରୁ ୨୨.୪୨ ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏଥିରୁ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୧୪.୮୦ ଲକ୍ଷ ଘରକୁ ବିଦ୍ୟୁତ ସଯୋଗ କରାଯାଇଛି। ଏବେ ମଧ୍ୟ ତ୍ବରିତ୍ବ କାମ ଜାରି ରହିଛି। ଶକ୍ତି ବିଭାଗର ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ଯାଇଛନ୍ତି। ଭଦ୍ରକରେ ୯ଟା ସୁଦ୍ଧା ବିଦ୍ୟୁତ ଆସିବାର ଲକ୍ଷ୍ୟ ରଖାଯାଇଥିଲା। ଅନ୍ୟ ସ୍ଥାନରେ କାମ ତ୍ବରିତ୍ବ ପର୍ଯ୍ୟାୟରେ କରାଯିବ। ଆସନ୍ତାକାଲି ଅପରାହ୍ଣ ପୂର୍ବରୁ ବିଦ୍ୟୁତ କାମ ସାରିବାର ଲକ୍ଷ୍ୟ ରଖାଯାଇଛି। 

ଆଜି ପୂର୍ବାହ୍ଣରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବାତ୍ୟା ଯୋଗୁଁ ଯେଉଁମାନଙ୍କର ଘର ଭାଙ୍ଗିଥିବ, ସେମାନଙ୍କୁ ସରକାରୀ ଯୋଜନାରେ ପକ୍କା ଘର ମିଳିବ। ଆଂଶିକ ଭାଙ୍ଗିଥିଲେ, ଆର୍ଥିକ ସହାୟତା ପ୍ରଦାନ କରାଯିବ। ଘର ଭଙ୍ଗା ବାବଦରେ ଅଭିଯୋଗ ଆସିଥିଲେ, ସେମାନଙ୍କର କଥା ଚିନ୍ତା କରାଯିବ। 

-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ କଥା କହିବାକୁ ଗଲେ, ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିଛି। ଯେଉଁମାନଙ୍କୁ ମେଡିକାଲରେ ରଖାଯାଇଥିଲା, ସେମାନଙ୍କୁ ଭଲ ଚିକିତ୍ସା ଯୋଗାଇ ଦିଆଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ଓ ମା ଗୃହମାନଙ୍କୁ ରଖାଯାଇଥିଲା, ଏବେବି ସେମାନେ ସୁରକ୍ଷିତ ଅଛନ୍ତି। ବାତ୍ୟା ସମୟରେ ୨୨୦୦ ଗର୍ଭବତୀ ମହିଳା ପିଲା ଜନ୍ମ କରିଛନ୍ତି। ୧୮ ଜଣ ମା ଯାଆଁଳା ଶିଶୁ ଜନ୍ମ କରିଛନ୍ତି। ଯେଉଁ ଅଞ୍ଚରେ ପାଣି ଭର୍ତ୍ତି ହୋଇଛି, ସେଠାକୁ ଆଶ୍ରୟସ୍ଥଳୀରୁ ଯିବାକୁ ମନା କରାଯାଉଛି। ଲୋକଙ୍କର ଘର ଠିକ୍ ଥିଲେ, ବାତ୍ୟା ଆଶ୍ରୟସ୍ଥଳୀରୁ ଯାଇପାରିବେ। ଘରକୁ ଯିବାର ଜରୁରୀ ନଥିଲେ ଲୋକେ ୭ଦିନ ପର୍ଯ୍ୟନ୍ତ ଆଶ୍ରୟ ସ୍ଥଳୀରେ ରହିପାରିବେ। ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe