ନିଶ୍ଚିହ୍ନ ଅପେକ୍ଷାରେ ରାଜରାଜୁଡ଼ା ଅମଳର ସ୍ମାରକୀ ବାଉଁଶୁଣୀ ଡାକବଙ୍ଗଳା

Advertisment

ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ୱ କାଳ ୧୮୭୯ରୁ ୧୯୧୩ ମସିହା ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡକ ତଥା ମହାନଦୀ କୂଳେକୂଳେ ବାସୁଦେବପାଲି, ବାଉଁଶୁଣୀର ବାଘନଦୀ, ତେଲିବନ୍ଧ, ବୌଦ୍ଧ, କରଡି, ଧଳପୁର, ହରଭଙ୍ଗା, ଓ ଶୀତଳପାଣି ଆଦି ସ୍ଥାନରେ ଭବ୍ୟ ବଙ୍ଗଳା ସବୁ ନିର୍ମାଣ କରାଯାଇଥିଲା।

ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ୱ କାଳ ୧୮୭୯ରୁ ୧୯୧୩ ମସିହା ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡକ ତଥା ମହାନଦୀ କୂଳେକୂଳେ ବାସୁଦେବପାଲି, ବାଉଁଶୁଣୀର ବାଘନଦୀ, ତେଲିବନ୍ଧ, ବୌଦ୍ଧ, କରଡି, ଧଳପୁର, ହରଭଙ୍ଗା, ଓ ଶୀତଳପାଣି ଆଦି ସ୍ଥାନରେ ଭବ୍ୟ ବଙ୍ଗଳା ସବୁ ନିର୍ମାଣ କରାଯାଇଥିଲା।

Baunsuni dakabangala

Baunsuni dakabangala Photograph: (Sambad )

ବାଉଁଶୁଣୀ: କୁହାଯାଏ ଯେଉଁ ଅଞ୍ଚଳର ଇତିହାସ ଯେତେ ସମୃଦ୍ଧ, ସେହି ଅଞ୍ଚଳ ସେତେ ବିକାଶଶୀଳ ଓ ସମୃଦ୍ଧ। ହେଲେ ଗୋଟିଏ ଅଞ୍ଚଳର ଇତିହାସକୁ ଯଦି ସମ୍ପୂର୍ଣ୍ଣ ନିଶ୍ଚିନ୍ନ କରିଦେବାର ଯୋଜନା କରାଯାଏ, ତେବେ ସେହି ଅଞ୍ଚଳ କାହାକୁ ପାଥେୟ କରି ବିକାଶ ଦିଗରେ ଆଗେଇବ ଓ ସମୃଦ୍ଧ ହେବ। ଏବେ ଏହି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି।

ଇତିହାସ କହେ ବୌଦ୍ଧ ଗଡ଼ଜାତର ରାଜତନ୍ତ୍ର ଶାସନ ସମୟରେ ବୌଦ୍ଧ ରାଜ୍ୟର ୪୪ତମ ଶାସକ ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ୱ କାଳ ୧୮୭୯ରୁ ୧୯୧୩ ମସିହା ମଧ୍ୟରେ ପ୍ରାଚୀନ ଜଗନ୍ନାଥ ସଡକ ତଥା ମହାନଦୀ କୂଳେକୂଳେ ବାସୁଦେବପାଲି, ବାଉଁଶୁଣୀର ବାଘନଦୀ, ତେଲିବନ୍ଧ, ବୌଦ୍ଧ, କରଡି, ଧଳପୁର, ହରଭଙ୍ଗା, ଓ ଶୀତଳପାଣି ଆଦି ସ୍ଥାନରେ ଭବ୍ୟ ବଙ୍ଗଳା ସବୁ ନିର୍ମାଣ କରାଯାଇଥିଲା। ଯାହାକୁ ପରବର୍ତ୍ତୀ ସମମୟରେ ଡାକବଙ୍ଗଳା କୁହାଯାଉଥିଲା। ରାଜତନ୍ତ୍ର ଚାଲିଯିବା ପରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଏସବୁ ବଙ୍ଗଳା ଗୁଡିକ ରହିଅଛି।

ବାଉଁଶୁଣୀ ଡାକବଙ୍ଗଳାଟି ବାଘନଦୀ ଓ ମହାନଦୀର ସଂଗମସ୍ଥଳ ତଥା ନିକଟରେ ମହାନଦୀ ମଝିରେ ବୁଦାକୁଦ ନାମରେ ଟାପୁ ରହିଥିବା କାରଣରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ବଙ୍ଗଳାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଥିଲା ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ। ବୋଧହୁଏ ସେଥିପାଇଁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀବିଜୁ ପଟ୍ଟନାୟକ ଏଠାରେ ରାତ୍ରିଯାପନ କରିଥିଲେ ବୋଲି ଅଞ୍ଚଳର ବୟସ୍କ ବ୍ୟକ୍ତି ମାନେ କହିଥାନ୍ତି।

ଦିନେ ଏହି ବଙ୍ଗଳାରେ ବିଭିନ୍ନ ସଭାସମିତି କରାଯିବା ସହ ଅଞ୍ଚଳକୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ମାନେ ଏଠାରେ ରାତ୍ରିଯାପନ କରୁଥିଲେ। ଏପରିକି ବହୁ ବର୍ଷ ପୂର୍ବରୁ ଛତିଶଗଡ଼ ଅଞ୍ଚଳର ଲୋକେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଚାଲି ଚାଲି ପୁରୀ ଯାଉଥିବା ସମୟରେ ଏଠାରେ ନଦୀ ଥିବାରୁ ରୋଷେଇ ବାସ କରି ଖାଇସାରି ଏହି ବଙ୍ଗଳାରେ ବିଶ୍ରାମ ନେଉଥିଲେ। ହେଲେ ଏଭଳି ଏକ ଐତିହାସିକ ବଙ୍ଗଳାର ବର୍ତ୍ତମାନର ଦୃଶ୍ୟ ଦେଖିଲେ ଯେକେହିବି ଇତିହାସପ୍ରେମୀ କ୍ଷୋଭ ପ୍ରକାଶ କରିବ ଏଥିରେ ସନ୍ଦେହ ନାହିଁ। କାରଣ ମରାମତି ନାଁରେ ଗତ ୪ବର୍ଷ ହେଲା ଏହାର ଆଜବେଷ୍ଟ ଛାତ କାଢି ଦିଆଯାଇ ଆଉ ଏହାର ମରାମତି କାର୍ଯ୍ୟ କରାଯାଉ ନାହିଁ। ତେଣୁ ଏହି ବଙ୍ଗଳାଟି ଏବେ ଏକ ପରିତ୍ୟକ୍ତ ସ୍ଥାନ ପାଲଟି ଯାଇଛି। ଏଥିପାଇଁ ଏହି ସ୍ଥାନ ଏବେ ଅସାମାଜିକ ତତ୍ୱ ଓ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଭଳି ପରିସ୍ଥିତିରେ ଏହି ଐତିହାସିକ ସ୍ମାରକୀଟି ବର୍ଷା ଋତୁରେ ସମ୍ପୁର୍ଣ୍ଣ ଭାବେ ଧ୍ବଂସ ହୋଇଯାଇ ମାଟିରେ ମିଶିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ୪ବର୍ଷ ପୂର୍ବରୁ ମରାମତି ଆଳରେ ଏଠାରେ ଥିବା ରାଜରାଜୁଡ଼ା ଅମଳର ପଲଙ୍କ, ଡ୍ରେସିଂ ଟେବୁଲ, ଟିପୟ, ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଏବେ କେଉଁଠି ଅଛି ତାହାର ଉତ୍ତର ପୂର୍ତ୍ତ ବିଭାଗ ପାଖରେ ନାହିଁ। ଏଭଳି ସ୍ଥିତିରେ ବଙ୍ଗଳା ତାର ପୂର୍ବ ଇତିହାସକୁ କିଭଳି ସାଇତି ରଖିବ ତାହା ଏବେ ବଡ ପ୍ରଶ୍ନବାଚୀ ରୂପେ ଉଭା ହୋଇଛି। ଏହି ଜିନିଷ ସବୁର ପତ୍ତା ମିଳୁନଥିବାରୁ ତେଣୁକରି ଏହାକୁ ମରାମତି କରାଯାଉ ନାହିଁ ବୋଲି ଲୋକଙ୍କ ମନରେ ଏଭଳି ଏକ ଦୃଢ଼ଧାରଣା ଏବେ ସୃଷ୍ଟି ହୋଇଛି। ଲୋକଙ୍କ ଭାବାବେଗ ସହ ଜଡ଼ିତ ଏପରି ଏକ ଐତିହାସିକ ସ୍ମାରକୀ ସ୍ୱରୂପ ବଙ୍ଗଳାକୁ ନିଶ୍ଚିତ ଭାବେ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ କିନ୍ତୁ ମତପ୍ରକାଶ ପାଇଛି। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବୌଦ୍ଧ ଗଡ଼ଜାତର ଏହି ଐତିହାସିକ ସ୍ମାରକୀଟି ନିଶ୍ଚିନ୍ନ ହୋଇଯିବା ପୂର୍ବରୁ ଏହାର ପୁନଃଉଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଅଛି।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe