G Udayagiri temperature Photograph: (sambad.in)
ଘୁ.ଉଦୟଗିରି: ଓଡ଼ିଶାର ଦାର୍ଜିଲିଂରେ ପାଣିପାଗର ବଡ଼ ତାରତମ୍ୟ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଜାନୁଆରି ୨୦ ତାରିଖ ଠାରୁ ଏଠାରେ ଦିନ ବେଳା ଶୀତ ନିଖୋଜ ହୋଇଯାଇଛି। ଏଠାରେ ଦିନ ବେଳା ପ୍ରବଳ ଖରା ହେଉଛି। କିନ୍ତୁ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଦିନରେ ପାରଦ ଉପର ମୁଁହା ହେଉଥିବା ବେଳେ ରାତିରେ ବଡ଼ଧରଣର ହ୍ରାସ ପାଉଛି।
ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହ ଭାବେ ପରିଚିତ ଘୁମୁସର ଉଦୟଗିରିରେ ବର୍ତ୍ତମାନ ବି ଥଣ୍ଡା ନିଜ ରାଜତ୍ୱ ଚଳେଇଥିବା ବେଳେ ଦିନର ତାପମାତ୍ରା ଉପର ମୁଁହା ହେବାରେ ଲାଗିଛି। ଦିନରେ ପ୍ରବଳ ଖରା। ପ୍ରଚଣ୍ଡ ରୌଦ୍ରତାପକୁ ରାତିରେ କାକର।
ଜଳବାୟୁ ପରିବର୍ତ୍ତନ ହେଉଛି। ଏହାର ପ୍ରଭାବ ଭାରତ ସମେତ ଅନ୍ୟ ଦେଶରେ ମଧ୍ୟ ପଡୁଛି। ସାଧାରଣତଃ କନ୍ଧମାଳ ଜିଲ୍ଲାରେ ମାର୍ଚ୍ଚ ପର୍ଯ୍ୟନ୍ତ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏଥର କିନ୍ତୁ ସ୍ଥିତି ଅଲଗା ଦେଖାଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଘୁମୁସର ଉଦୟଗିରିରେ ପର୍ଯ୍ୟଟକମାନେ ବୁଲୁଥିବା ବେଳେ ଦିନବେଳା ଖରାରୁ କଷ୍ଟ ଅନୁଭବ କରୁଛନ୍ତି। ପର୍ଯ୍ୟଟକମାନେ ରାତିରେ ଶୀତର ମଜା ନେଉଛନ୍ତି।
ଆଜି ଘୁ.ଉଦୟଗିରି ସହରରେ ରାତିର ତାପମାତ୍ରା ୬.୫ଥିବା ବେଳେ ଦିନର ତାପମାତ୍ରା ୩୦.୪ରେକର୍ଡ଼ ହୋଇଛି। ଗତ ଚାରି ଦିନ ହେଲା ରାତିର ତାପମାତ୍ରା ଅଳ୍ପ ବଢୁଥିବା ବେଳେ ଦିନର ତାପମାତ୍ରା ଅଧିକ ମାତ୍ରାରେ ବଢି ଚାଲିଛି। ସୋମବାର ଦିନର ତାପମାତ୍ରା ୨୬.୮ଥିବା ବେଳେ ରାତିର ତାପମାତ୍ରା ୪ଡିଗ୍ରି ରହି ପ୍ରବଳ ଜାଡ଼ରେ ଥରୁଥିଲା ସାରା ଅଞ୍ଚଳ। କିନ୍ତୁ ମଙ୍ଗଳବାର ଦିନର ତାପମାତ୍ରା ବୃଦ୍ଧି ପାଇ ୨୯ ଥିବା ବେଳେ ରାତିର ତାପମାତ୍ରା ୪.୨ ଥିଲା।
ସେହିପରି ବୁଧବାର ଦିନର ତାପମାତ୍ରା ୩୦.୫ଥିବା ବେଳେ ରାତିରେ୫.୪ଡିଗ୍ରି ଥିବା ସୂଚନା ରହିଛି। ଦେଖିବାକୁ ଗଲେ ରାତିର ତାପମାତ୍ରା କିଛି ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ତା ତୁଳନାରେ ଦିନର ତାପମାତ୍ରା ବହୁ ଗୁଣ ବୃଦ୍ଧି ପାଇଛି। ଦିନରେ ଏବେ ପ୍ରଚଣ୍ଡ ଖରା ଅସହ୍ୟ ହେଉଛି ସୂର୍ଯ୍ୟଙ୍କ ପ୍ରଖର କିରଣ।
Follow Us