ଶବକୁ ଅସମ୍ମାନ: ମଶାଣି ବିବାଦ ଯୋଗୁଁ ୧୦ଘଣ୍ଟା ଧରି ପଡ଼ି ରହିଲା ମୃତଦେହ

ମଣିଷ ଜନ୍ମ ହେବା ପୂର୍ବରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନାରେ ସାମିଲ ହେଉଛି। ସରକାର ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି। କିନ୍ତୁ ଦଳ ଓ ଗୋଷ୍ଠୀଗତ ବିବାଦ ଯୋଗୁଁ ମଣିଷ ଜୀବନରେ ବିଭିନ୍ନ ପରିସ୍ଥିତି ଗତି କରୁଛି।

baisinga

ବୈଶିଙ୍ଗା (ଦୀପକ କୁମାର ସିଂହ): ମଣିଷ ଜନ୍ମ ହେବା ପୂର୍ବରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେଉଛି। ସରକାର ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି। କିନ୍ତୁ ଦଳ ଓ ଗୋଷ୍ଠୀଗତ ବିବାଦ ଯୋଗୁଁ ମଣିଷ ଜୀବନରେ ବିଭିନ୍ନ ପରିସ୍ଥିତି ଗତି କରୁଛି। ଜଣେ ଲୋକଙ୍କର ଯେତେବେଳେ ମୃତ୍ୟୁ ହେଉଛି, ଏହି ସମୟରେ ଅନ୍ୟମାନେ ଅତିକମରେ ସମବେଦନା ଜଣାଇବା କଥା। କିନ୍ତୁ କ୍ରୋଧର ଯୋଗୁଁ ଶବକୁ ମଧ୍ୟ ସମ୍ମାନ ମିଳୁ ନାହିଁ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। 

ଜମି ବିବାଦ ଯୋଗୁଁ ଗାଁ ମଶାଣିରେ ୧୦ଘଣ୍ଟା ଧରି ମୃତଦେହ ପଡ଼ି ରହିଥିଲା। ବୈଶିଙ୍ଗା ପଞ୍ଚାୟତର ଦୁର୍ଗାପୁର ଗାଁର ଦୁଇ ସାହିର ଲୋକ ମୁହାଁମୁହିଁ ହୋଇଥିଲେ। ପରେ ପ୍ରଶାସନ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସୂଚନା ଅନୁଯାଇ ଗତ ରାଖୀପୂର୍ଣିମା ଦିନ ଦୁର୍ଗାପୁର ଗାଁ ଦଳେଇସାହି ଗ୍ରାମର ଶତାଧିକ ମହିଳା ପୁରୁଷ ମିଶି ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ‘ମା ପାଇଁ ଗଛ ଟିଏ’ ଅଭିଯାନରେ ସାମିଲ ହୋଇ ସ୍ଥାନୀୟ ମହୁଲପତଡ଼ି ପଡ଼ିଆରେ ୫ଶହରୁ ଅଧିକ ଗାତଖୋଳି ବିଭିନ୍ନ ଚାରା ଗଛ ଲଗାଉଥିବା ସମୟରେ ସ୍ଥାନୀୟ ଦୁର୍ଗାପୁର ଗ୍ରାମର ଶତାଧିକ ଲୋକ ଆସି ଏହାକୁ ବାରଣ କରିଥିଲେl ସେମାନେ କହିଥିଲେ କି ଆମ ପୂର୍ବପୁରୁଷରୁ ଆମ ବାପା ଜେଜବାପାମାନେ ଏହି ପଡ଼ିଆକୁ ଶ୍ମଶାନ ଭାବେ ବ୍ୟବହାର କରୁଥିଲେ ଓ ଏହି ସ୍ଥାନରେ ତାଙ୍କ ପୂର୍ବପୁରୁଷଙ୍କର ସମାଧି ମଧ୍ୟ ରହିଛିl ତେବେ ଏହି କଥାକୁ ନେଇ ସେତେବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଓ ପରେ ପ୍ରଶାସନ ହସ୍ତକ୍ଷେପରେ ଅସ୍ଥାୟୀ ସମଧାନ ହୋଇଥିଲାl 

ତେବେ ଏହି ଘଟଣାର ମାସେ ପରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଗାପୁର ଗାଁର ସ୍ବର୍ଗତ ମଧୁସୂଦନ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ (୯୨)ଙ୍କର ଦେହାନ୍ତ ଘଟିଥିଲାl ପରିବାର ଓ ସାହିପଡ଼ିଶା ଲୋକ ବେଣୁଧରଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ମଶାଣି ମହୁଲପତଡ଼ି ପଡ଼ିଆରେ କାଠ ଚିରିବାକୁ ଯାଇଥିଲେ। ଦଳେଇସାହି ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ସେମାନଙ୍କୁ ବାରଣ କରିବା ସହିତ ସେଠାରେ ଶବଦାହ କରିବାକୁ ମନା ସଫାସଫା ମନା କରିଥିଲେl ଫଳରେ ଘଟଣାସ୍ଥଳରେ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିଲାl

ପରେ ମୃତକଙ୍କ ପରିବାର ଲୋକ ବୈଶିଙ୍ଗା ଥାନାର ଦ୍ୱାରସ୍ଥ ହୋଇଥିଲେl ଥାନା ଅଧିକାରୀ ବେତନଟୀ ବିଡ଼ିଓ ତଥା ତହସିଲଦାର ଦାୟିତ୍ୱରେ ଥିବା ସୁଶାନ୍ତ କୁମାର ସୁତାରଙ୍କୁ ଖବର ଦେଇ ଥିଲେl ପରେ ତହସିଲଦାର, ଥାନା ଅଧିକାରୀ, ବୈଶିଙ୍ଗା ସରପଞ୍ଚ, ପିଏସ ମେମ୍ବର ପ୍ରମୁଖ ଥାନା ପରିସରରେ ଉପସ୍ଥିତ ରହି ଦୁଇ ପକ୍ଷକୁ ବୁଝାଇ ଥିଲେ ଓ ଘଟଣାସ୍ଥଳକୁ ଯାଇଥିଲେl ସେଠାରେ ତହସିଲଦାର ଦୁଇ ଗାଁ ପାଇଁ ସଙ୍ଗେ ସଙ୍ଗେ ୧୫ ଡିସଲିମର ମଶାଣି ଜମି ଚିହ୍ନଟ କରିଥିଲେl ପରେ ନିଜେ ତହସିଲଦାର ଶ୍ରୀ ସୁତାର ଓ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ ଉପସ୍ଥିତ ରହି ମୃତ୍ୟୁର ପ୍ରାୟ ୧୦ଘଣ୍ଟା ପରେ ବେଣୁଧରଙ୍କ ମୃତଦେହ ଦାହ ପ୍ରକ୍ରିୟା ଆରମ୍ଭ କରାଇଥିଲେl

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe