୧୧ଦିନ ପରେ ନିଖୋଜ ଦେଢ଼ବର୍ଷର ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚଳିତ ମାସ ୧୧ତାରିଖରୁ ନିଖୋଜ ଥିବା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡ଼ିମାଳ ଗ୍ରାମର ଅଜିତ ନାଗବଂଶଙ୍କ ଦେଢ଼ ବର୍ଷର ଶିଶୁର ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି। ଘାଗୁଡ଼ିମାଳ ନାଳର ଶ୍ମଶାନ ତୁଠରୁ ଶିଶୁ ଗଳିତ ଶବ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

କଲ୍ୟାଣସିଂହପୁର/ରାୟଗଡ଼ା: ଚଳିତ ମାସ ୧୧ତାରିଖରୁ ନିଖୋଜ ଥିବା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡ଼ିମାଳ ଗ୍ରାମର ଅଜିତ ନାଗବଂଶଙ୍କ ଦେଢ଼ ବର୍ଷର ଶିଶୁର ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି। ଘାଗୁଡ଼ିମାଳ ନାଳର ଶ୍ମଶାନ ତୁଠରୁ ଶିଶୁ ଗଳିତ ଶବ ଉଦ୍ଧାର ହୋଇଛି। ଶିଶୁକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଘାଗୁଡ଼ିମାଳ ଗ୍ରାମର ଅଜିତ ନାଗବଂଶଙ୍କ ଦେଢ଼ ବର୍ଷର ପୁଅ ଚଳିତ ମାସ ୧୧ ତାରିଖ ସଂଧ୍ୟାରେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଘାଗୁଡ଼ିମାଳ ଗାଁରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏସ୍‌ଡିପିଓ ମଧ୍ୟ ପହଞ୍ଚିଥିଲେ। ଘଟଣାଟି ସମ୍ବେନଶୀଳ ହୋଇଥିବାରୁ ପୁଲିସ ସନ୍ଧାନୀ କୁକୁର ସହାୟତାରେ ଛାନଭିନ୍‌ କରିଥିଲା। ଏପରିକି ଯବାନ ଓ ପୁଲିସ ମିଳିତ ଭାବେ ଗାଁ ନିକଟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ହେଁ ଶିଶୁକୁ ପାଇନଥିଲେ।

ଶିଶୁକୁ କେହି ଅପହରଣ କରି ନେଇଥିବା ସମସ୍ତେ ସନ୍ଦେହ କରିଥିବା ବେଳେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଜି ସକାଳେ ଅଜିତ ଓ ଗ୍ରାମର କିଛି ଜଣ ଘାଗୁଡ଼ିମାଳ ନାଳର ଶ୍ମଶାନ ତୁଠକୁ ଶୌଚ ପାଇଁ ଯାଇଥ‌ିଲେ। ଏହି ସମୟରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧ ବାହାରୁଥିବା ସ୍ଥାନକୁ ଯାଇ ଦେଖିବା ପରେ ଜଣେ ଶିଶୁର ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଅ ପିନ୍ଧିଥିବା ସାର୍ଟ ଦେଖି ଅଜିତ ତାଙ୍କ ପୁଅର ଶବ ବୋଲି ଚିହ୍ନଟ କରିବା ସହିତ ପୁଲିସକୁ ଯୋଗାଯୋଗ କରିଥିଲେ।

ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସ୍‌ଆଇ  ପୁରୁଷୋତ୍ତମ ଜାନି ଘଟଣାସ୍ଥଳରେ ପହଞ୍ଚି  ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏସ୍‌ଡିପିଓ ଗୌରହରି ସାହୁ ଓ ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବକୁ କୋରାପୁଟ ବଡ଼ ମେଡିକାଲକୁ ପରୀକ୍ଷା ନିମନ୍ତେ ପଠାଇଥିଲେ। ମୃତ ଶିଶୁଙ୍କ ସହିତ ବାପା ଅଜିତ ଓ କୁନୁ ନାଗବଂଶ ଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଦେଢ଼ବର୍ଷର ଶିଶୁ କିଭଳି ଏତେ ଦୂର ଆସିଲା ତାହାକୁ ନେଇ ସନ୍ଦେହଜାତ ହୋଇଥିବା ବେଳେ ତାକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ବାପା ଅଜିତ ନାଗବଂଶ, ଜେଜେବାପା ଯୁଧିଷ୍ଠିର ନାଗବଂଶ, ଜେଜେମାଆ ଶ୍ରାବଣୀ ନାଗବଂଶ ଓ ମାଆ ଲିପି ନାଗବଂଶ ପ୍ରମୁଖ କହିଛନ୍ତି।

 Rayagada | Child dead 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe