ଭୁବନେଶ୍ବର: ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ ପରେ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ପୀଡ଼ିତାଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ଅଭିମୁଖେ ଭୁବନେଶ୍ବରରୁ ବାହାରିଛି। ଆଉ କିଛି ସମୟ ପରେ ତାଙ୍କର ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଗାଁ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଛି। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଛି। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଛାତ୍ରୀଙ୍କ ମୃତ୍ୟୁ ପରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ପରିବାର ଲୋକଙ୍କର ଆଲୋଚନା ହୋଇଥିଲା। ପରିବାର ଲୋକଙ୍କର ନିଷ୍ପତ୍ତି କ୍ରମେ ପୀଡ଼ିତାଙ୍କ ମୃତଦେହ ଗାଁକୁ ନିଆଯାଇଥିଲା। ଏଥି ପାଇଁ ଏମ୍ସରେ ପୀଡ଼ିତାଙ୍କ ପୋଷ୍ଟମର୍ଟମ ପରେ ପାର୍ଥିବ ଶରୀରକୁ ମହାପ୍ରୟାଣ ଗାଡ଼ିରେ ରଖାଯାଇଥିଲା। ଏହା ପରେ ଏହି ଗାଡ଼ି ବାଲେଶ୍ବର ଅଭିମୁଖେ ବାହାରିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୀଡ଼ିତାଙ୍କ ପାର୍ଥିବ ଶରୀର ଯାଉଥିବା ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁଲିସକୁ ସତର୍କ କରାଯାଇଥିଲା। ରାଜଧାନୀ ଭୁବନେଶ୍ବରରେ ପୁଲିସ ମୁତୟନ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ବାଲେଶ୍ବର ଛାତ୍ରୀ ଆତ୍ମାହୁତି: ଜୀବନ ଯୁଦ୍ଧରେ ହାରିଗଲେ
ସୂଚନାଯୋଗ୍ୟ, ପୀଡିତା ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା।
ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଗାଁ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଛି। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଛି। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।
ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ତାଙ୍କର ଶ୍ବାସନଳୀ, ହୃତ୍ପିଣ୍ଡ, ବୃକକ୍ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ଶେଷରେ ସୋମବାର-ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।
Bhubaneswar | Balasore