Murder in rairakhol Photograph: (sambad.in)
ରେଢ଼ାଖୋଲ: ତିନିଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଅପରାହ୍ଣରେ ମାଟିତଳୁ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ବାଦଲ ପ୍ରଧାନ (୨୫)। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଡଇଁଚା ଗାଁରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଡଇଁଚା ଗାଁର ଚମ୍ପା ପ୍ରଧାନଙ୍କ ସ୍ବାମୀ ଓ ୨ ବଡ଼ପୁଅ ବାହାର ରାଜ୍ୟରେ ରୁହନ୍ତି। ସେମାନେ ସେଠାରେ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷନ୍ତି ଏବଂ ପରିବାର ଲୋକଙ୍କୁ କିଛି ଟଙ୍କା ପଠାନ୍ତି। ଘରେ ଦୁଇ ସାନ ପୁଅ, ୨ ବୋହୂ ଓ ନାତି-ନାତୁଣୀମାନେ ରୁହନ୍ତି। ସାନଭାଇଙ୍କ ସହିତ ବାଦଲ ମଧ୍ୟ ଅବିବାହିତ ଥିଲେ। ଗତ ଗୁରୁବାର ଦିନଠାରୁ ବାଦଲ ନିଖୋଜ ଥିଲେ। ତାଙ୍କର ନିଖୋଜ ନେଇ ଗାଁରେ ଚର୍ଚ୍ଚା ମଧ୍ୟ ହେଉଥିଲା। କିନ୍ତୁ ନିଖୋଜ ତାଙ୍କର ନେଇ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନଥିଲା। ବାଦଲଙ୍କୁ ଖୋଜାଖୋଜି କରିବା ପାଇଁ ପରିବାର ଲୋକେ ମଧ୍ୟ ତତ୍ପରତା ଦେଖାଇ ନଥିଲେ।
ଆଜି ପୂର୍ବାହ୍ଣରେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଡଇଁଚା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ତାଙ୍କ ଘର ପାଚେରୀ ନିକଟରେ ମାଟିତଳେ ପୋତାଯାଇଛି ବୋଲି ପୁଲିସ ଖବର ପାଇଥିଲା। ଏହି ଖବର ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା ଏବଂ ଅପରାହ୍ଣ ସମୟରେ ମୃତଦେହକୁ ମାଟିତଳୁ ଉଦ୍ଧାର କରିଥିଲା।
ଏହି ଘଟଣାରେ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ଯଦିଓ ସ୍ପଷ୍ଟ ହୋଇପାରି ନାହିଁ। ତଥାପି ମୃତ ବାଦଲଙ୍କର ମା’ ଚମ୍ପା ପ୍ରଧାନଙ୍କ ସମେତ ପରିବାରର ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତଦନ୍ତକାରୀ ଟିମ୍ ମୃତଦେହ ଜବତ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ସେହିପରି ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାର ଅଧିକ ତଦନ୍ତ କରିବେ। ମୃତଦେହ ଜବତ ନେଇ ପୁଲିସ ଏକ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ବାଦଲଙ୍କର ସାନ ଭଉଣୀ ମଧ୍ୟପ୍ରଦେଶରେ ବିବାହ କରିଛନ୍ତି। କିଛି ଦିନପୂର୍ବରୁ ସେ ଆସି ମା’ ଘରେ ରହୁଛନ୍ତି।
Sambalpur | Crime | Police
Follow Us