ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗେଲପୁର ଠାରେ ନୂତନଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହୋଇ କାର୍ଯ୍ୟକାରୀ ହୋଉଛି। ସହର ଭିତରୁ ପୁରୁଣା କୋଠାରେ ଭଦ୍ରକ ଜିଲ୍ଲାର ଏହି ମୁଖ୍ୟ ଚିକିତ୍ସାଳୟ ଉଠି ଆସିବା ପରେ ରାତି ପାହିଲେ ଭଦ୍ରକ ଜିଲ୍ଲାର ୭ ଟି ବ୍ଲକର ହଜାର ହଜାର ରୋଗୀ ଏହି ମେଡ଼ିକାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ସେହିପରି ଜିଲ୍ଲାର ବାହାରୁ ପଡୋଶୀ ଜିଲ୍ଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି, ଘଷିପୁରା ବ୍ଲକର ରୋଗୀମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ବାଲେଶ୍ଵର ଜିଲାର ଖଇରା, ସିମୁଳିଆ, ସୋର, ଔପଦା ଆଦି ବ୍ଲକର ଲୋକେ ଭଦ୍ରକ ମେଡ଼ିକାଲ ଉପରେ ନିର୍ଭର କରି ଚାଲିଛନ୍ତି। ସେହିପରି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା, କରଞ୍ଜିଆ ଆଦି ବ୍ଲକର ରୋଗୀ, କେନ୍ଦ୍ରାପଡ଼ା ଜିଲ୍ଲା  ଓ ଯାଜପୁର ଜିଲ୍ଲାର ଅନେକ ରୋଗୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି।
Advertisment

ଗଣ ଆନ୍ଦୋଳନ ଚେତାବନୀ

ପ୍ରତିଦିନ ଏହି ମେଡ଼ିକାଲକୁ ୨୫୦୦ ରୁ ଅଧିକ ରୋଗୀ କେବଳ ଆଉଟ୍ ଡୋର ଚିକିତ୍ସା ପାଇଁ ଟିକେଟ କାଟୁଥିବା ବେଳେ ଏଠାରେ ପ୍ରତିଦିନ ପ୍ରାୟ ୪ ଶହ ରୋଗୀ ବେଡ଼ରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ଭଦ୍ରକ ମେଡିକାଲକୁ ପ୍ରାୟ ୪ ହଜାରରୁ ଅଧିକ ଲୋକଙ୍କ ଆଗମନ ହେଉଛି। ମାତ୍ର ଏଠାକୁ ଯିବା ପାଇଁ ରୋଗୀଙ୍କର ସମ୍ପର୍କୀୟମାନେ ୧୬ ନମ୍ବର ଜାତୀୟ ରାଜପଥ ପାର ହୋଇଯାଉଛନ୍ତି । ବିପଦପୂର୍ଣ୍ଣ ଯାତ୍ରା କରୁଥିବାରୁ ଲୋକମାନଙ୍କ ପ୍ରତି ଦୁର୍ଘଟଣାର ଭୟ ରହୁଛି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ଏଠାରେ ଜାତୀୟ ରାଜପଥ ଉପରେ ଏକ ଫ୍ଲାଏ  ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରାଯାଉଛି। ମାତ୍ର ଏଠାରେ ଉଡା ପୋଲ ନିର୍ମାଣ ପାଇଁ ମଞ୍ଜୁରୀ ହୋଇଛି। ଉଡା ପୋଲ ହେଉ ଏଥିରେ ଲୋକଙ୍କର ଆପତ୍ତି ନାହିଁ। କିନ୍ତୁ  ଗେଲପୁର ସ୍ଥିତ  ନୂଆ ମେଡ଼ିକାଲ ନିକଟରେ  ଜାତୀୟ ରାଜପଥ ଉପରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉ।  ଏହି ଓଭର ବ୍ରିଜ ନିର୍ମାଣ ନ ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଜିଲ୍ଲା ସଭାପତି ନଳିନୀକାନ୍ତ ମହାନ୍ତି ଚେତାବନୀ ଦେଇଛନ୍ତି।
ଭଦ୍ରକ ଲୋକଙ୍କର ଓ ରୋଗୀମାନଙ୍କର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ଲୋକ ପ୍ରତିନିଧିମାନେ ଭଦ୍ରକର ନୂଆ ମେଡିକାଲ ଛକରେ ଫ୍ଲାଏ ଓଭର ବ୍ରିଜ  ନିର୍ମାଣ କରିବା  ଦିଗରେ ତୁରନ୍ତ ପଦକ୍ଷେପ  ନିଅନ୍ତୁ ବୋଲି ବରିଷ୍ଠ ଆଇନଜୀବୀ ତଥା ସିଟୁ ନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି।
ସେହିପରି ସିପିଆଇ ଏମ୍ ଏଲ ନେତା ସମର ବଳ  ମଧ୍ୟ ମେଡ଼ିକାଲ ଛକକୁ ମରଣ ଯନ୍ତା ନକରି ଏଠାରେ ତୁରନ୍ତ ଜାତୀୟ ରାଜପଥ ଉପରେ ଏକ  ପ୍ରସସ୍ତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଏହି ଦାବିକୁ ପ୍ରଶାସନ ଗ୍ରହଣ ନକଲେ ଆଗାମୀ ଦିନରେ ବ୍ୟାପକ ଗଣ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଵଳ ଚେତାବନୀ ଦେଇଛନ୍ତି।