ବିଦ୍ୟାଳୟରେ ବ୍ୟାପିଲା ଝାଡ଼ାବାନ୍ତି, ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି।

Navodaya School

Navodaya School Photograph: (sambad.in)

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି ବ୍ୟାପିଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ୯ ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା କରିଛି। ଏହାପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବା ବେଳେ ଆଜି ପୁଣି ୫ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି। 

ମିଳିଥିବା ସୂଚନା ଅନୁଯାୟୀ ଖାତିଗୁଡା ଜବାହର ନବୋଦ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗତକାଲି ମଧ୍ୟାହ୍ନରେ ଖାଇ ସାରିବା ପରେ ଶତାଧିକ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏମଏଚୟୁ ଟିମ୍‌ର ଡା. ଅମରେଶ ମହାନ୍ତି, ଡା. ଶୁଭେନ୍ଦୁ ବାଗ, ଭେଷଜକ ରଶ୍ମିତା ପଲେଇ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ, ତପନ ରାଓ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଷମା ନାୟକ, ରତ୍ନ ମଞ୍ଜୁରୀ ମହାଳି ନବୋଦୟ ବିଦ୍ୟାଳୟରେ ପହଂଚିଥିଲେ।

ତେବେ ବିଦ୍ୟାଳୟର ୧୨୨ ଜଣ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେଥି ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସମସ୍ତ ୯ ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠେଇ ଦିଆଯାଇଛି।

ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଥିଲେ ହେଁ ଆଜି ପୁଣି ୫ ଜଣ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।  ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଆଗୁଆ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଝାଡ଼ାବାନ୍ତି କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ହେଁ ଆଜି ଜିଲ୍ଲା ଏପିଡେମିୟ ଲଜିଷ୍ଟ ପକ୍ଷରୁ ମଳ ଓ ଜଳ ନମୁନା ସଂଗ୍ରହ କରି ନେଇଥିବା ସୂଚନା ମିଳିଛି। ଶତାଧିକ ଛାତ୍ରଛାତ୍ରୀ ଏକକାଳୀନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ଅଭିଭାବକ ମହଲରେ ଆତଙ୍କ ଖେଳିଯାଇଛି। କିଛି ଅଭିଭାବକ ନିଜ ପିଲାଙ୍କୁ ଘରକୁ ନେବା ସକାଶେ ଆସିଥିଲେ ହେଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାଡ଼ିନଥିବା ଜଣାପଡ଼ିଛି। ଆଜି ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମି ଜବାହର ନବୋଦୟ ବିଦ୍ୟାଳୟରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe