Advertisment

ଓଡ଼ିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଦୁଇଗୁଣା ଗତିରେ କାମ କରୁଛି: ମୁଖ୍ୟମନ୍ତ୍ରୀ

Advertisment

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଦୁଇଗୁଣା ଗତିରେ କାମ କରୁଛି।

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଦୁଇଗୁଣା ଗତିରେ କାମ କରୁଛି।

Screenshot 2025-08-15 092028

Photograph: (Sambad.in)

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆପଣମାନେ ଜାଣିଛନ୍ତି ଯେ ଜୁନ ୧୨, ୨୦୨୪ ରେ ମାତ୍ର ୨୪ ମିନିଟ ସମୟ ମଧ୍ୟରେ ଚାରିଗୋଟି ଐତିହାସିକ ନିଷ୍ପତ୍ତିରୁ ଆରମ୍ଭ ହୋଇଥିଲା, ନୂତନ ଓଡ଼ିଶା ଗଢିବାର ବ୍ରତ। 
ଓଡ଼ିଶା ହେଉଛି ମୁଖ୍ୟତଃ ଏକ କୃଷିଭିତ୍ତିକ ଅର୍ଥନୀତି। ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। କିନ୍ତୁ, କେବଳ କୃଷି ଦ୍ଵାରା ରାଜ୍ୟର ପ୍ରଗତି ଅସମ୍ଭବ। କୃଷି ସହିତ, ଉଦ୍ୟୋଗ ଏବଂ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ କରିବା ଆବଶ୍ୟକ। ଓଡିଶାରେ କେବଳ କୃଷି କାର୍ଯ୍ୟକରି ଆୟକୁ ବହୁଗୁଣିତ କରିହେବ ନାହିଁ, କାରଣ ଆମ ରାଜ୍ୟର ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ତେଣୁ, କୃଷି ସହିତ ମତ୍ସ, ପ୍ରାଣୀପାଳନ, ଗୋ ପାଳନ କରିବା ଆବଶ୍ୟକ। କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା”ରେ ଏକ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆ ଯାଉଛି। ମୁଁ ସମସ୍ତଙ୍କୁ, ବିଶେଷ କରି ଯୁବ ଉଦ୍ୟୋଗୀଙ୍କୁ ନିବେଦନ କରିବି, ଆପଣମାନେ ଏହି ସବୁ ଯୋଜନାର ଲାଭ ଉଠାଇ, ଆତ୍ମ ନିର୍ଭରଶୀଳ ହୁଅନ୍ତୁ। 
ଆମର ସମୃଦ୍ଧ କୃଷକ ଯୋଜନା ତଥା  ପିଏମ୍ ଓ ସିଏମ କିଷାନ ଯୋଜନାରେ ଓଡିଶାର ୫୦ ଲକ୍ଷରୁ ଅଧିକ ଚାଷୀ ଭାଇ ଭଉଣୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ମିଳୁଛି। ଆମ ସରକାରଙ୍କ ବିଭିନ୍ନ ଯୋଜନାରୁ ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି। 
ଜୀବନ ଜୀବିକାର ଆଉ ଏକ ଦିଗ ହେଉଛି “ଶିଳ୍ପାୟନ”। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ଆଉ କୌଣସି କାରଣରୁ ହେଉ, ଓଡିଶାର ସାମର୍ଥ୍ୟ ଅନୁସାରେ ରାଜ୍ୟରେ ଶିଳ୍ପାୟନ ହୋଇ ପାରିନାହିଁ। ରାଜ୍ୟର ହାତଗଣତି କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ କୌଣସି ଅଞ୍ଚଳରେ କୌଣସି ବଡ କିମ୍ବା ମଧ୍ୟମ ଆକାରର ଉଦ୍ୟୋଗ ନାହିଁ। କିନ୍ତୁ, ଆମ ସରକାର ଆସିବା ପରେ, ଶିଳ୍ପ ନୀତିରେ ଆମୂଳଚୁଳ ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ, ରାଜ୍ୟର ପ୍ରତିଟି ଜିଲ୍ଲାରେ ହେବ ଶିଳ୍ପାୟନ। 
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସହିତ, ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆମ ସରକାର ପ୍ରଚାର ସର୍ବସ୍ଵ ନୁହେଁ, କେବଳ କ୍ୟାମେରା ପାଇଁ ଆମେ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁନା। ଏହାର ପ୍ରମାଣ ହେଉଛି  ଗତ ୬-୭ ମାସ ମଧ୍ୟରେ ଓଡିଶାରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇପାରିଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇପାରିଛି। 
କେବଳ ବଡ ଉଦ୍ୟୋଗ ନୁହେଁ, ରାଜ୍ୟର ବୁଣାକାରଙ୍କ ମଙ୍ଗଳ ପାଇଁ ସରକାର ଚେଷ୍ଟିତ। ନିକଟରେ ଓଡ଼ିଶା ଟେକ୍ସଟାଇଲ କନ୍‌କ୍ଲେଭ୍‌ର ଆୟୋଜନ କରାଯାଇଥିଲା, ଯେଉଁଥିରେ ୭ ହଜାର ୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ସହିତ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ଗୌରବ, ଆମର ଅସ୍ମିତା । ଆମ ହସ୍ତତନ୍ତରୁ ନିର୍ମିତ ପୋଷାକକୁ ଦେଶ ଓ ବିଦେଶର ଆକର୍ଷଣୀୟ ବ୍ରାଣ୍ଡ ଭାବେ ବିକଶିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଅବସରରେ ମୁଁ ଅନୁରୋଧ କରୁଛି, ଆପଣମାନେ ସପ୍ତାହରେ ଅତି କମ୍ ରେ ଗୋଟିଏ ଦିନ, ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ ।  
    ସରକାରୀ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇଁ ଉପଯୁକ୍ତ ସଂଖ୍ୟାରେ ଲୋକବଳ ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ସରକାରୀ କ୍ଷେତ୍ରରେ ଅନେକ ପଦବୀ ଖାଲି ରହିଥିବା ସତ୍ତ୍ୱେ, ଏହାକୁ ପୂରଣ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା। ଆମ ସରକାର ଆସିବା ପରଠାରୁ ରାଜ୍ୟରେ ୨୮ ହଜାର ୩୯୨ଟି ପଦବୀ ପୂରଣ ହୋଇ ସାରିଛି। ଏହା ସହିତ ୩୪ ହଜାର ୫୦୦ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ବିଭିନ୍ନ ଆୟୋଗ ପକ୍ଷରୁ ଜାରି ରହିଛି। ଆହୁରି ମଧ୍ୟ  ୨୨,୮୯୬ଟି ଖାଲି ପଦବୀ ପୂରଣ ପାଇଁ ମଧ୍ୟ ଖୁବଶୀଘ୍ର ଅନୁମତି ପ୍ରଦାନ କରାଯିବ। ୨ ବର୍ଷରେ ଆମେ ୬୫ ହଜାର ସରକାରୀ ପଦବୀ ପୂରଣ କରିବାର ଲକ୍ଷ୍ୟ ରଖିଥିଲୁ; ତେବେ ଏହି ସମୟ ଭିତରେ ଅତି କମ୍‌ରେ ୮୫ ହଜାର ପଦବୀ ପୂରଣ ହେବାକୁ ଯାଉଛି। ନିଯୁକ୍ତି କ୍ଷେତ୍ରରେ କେବଳ ଲକ୍ଷ ହାସଲ ନୁହେଁ, ଲକ୍ଷ ଅତିକ୍ରମ କରିବାର ସାମର୍ଥ୍ୟ ନେଇ ଖୁବ ଅଧିକ ବେଗରେ ଗତି କରୁଛି ଆମ ସରକାର ।  
ଆମ ଦେଶର ଯୁବବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରି ଦେଶସେବାରେ ନିୟୋଜିତ କରିବା ପାଇଁ ଅଗ୍ନିବୀର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଏକ ଅଭିନବ ପ୍ରୟାସ। ଏହି ଯୋଜନାରେ ଓଡିଶାର ଯୁବକ ଯୁବତୀମାନେ ଯେପରି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ, ସେଥିପାଇଁ ରାଜ୍ୟ ସରକାର ଅଗ୍ନିବୀର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ସରକାରୀ କ୍ଷେତ୍ର ବ୍ୟତୀତ ବେସରକାରୀ କ୍ଷେତ୍ରରେ ରୋଜଗାର ବୃଦ୍ଧି ପାଇଁ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ତିନି ଦିନ ତଳେ କେନ୍ଦ୍ରୀୟ କ୍ୟାବିନେଟ ଓଡିଶାରେ ସେମି-କଣ୍ଡକ୍ଟର  ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସମ୍ମତି ଦେଇଛନ୍ତି। ଏହାଦ୍ଵାରା ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ  ଓ ଆଇଟି କ୍ଷେତ୍ରରେ ଏକ ବିପ୍ଳବ ହେବାକୁ ଯାଉଛି। 
ଠିକ୍ ସେହିପରି, ଫାର୍ମା କ୍ଷେତ୍ର ବି ଅବହେଳିତ ହୋଇ ରହିଥିଲା। କିନ୍ତୁ, ସରକାର ରାଜ୍ୟରେ ଏକ ଫାର୍ମା କନକ୍ଳେଭ୍ କରିବାକୁ ଯାଉଛନ୍ତି, ଯାହାଦ୍ଵାରା ଆସନ୍ତା କିଛି ଦିନରେ, ଦେଶ ବିଦେଶର ପ୍ରମୁଖ ଫାର୍ମା କମ୍ପାନୀମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗଭର ହେବେ। ଏହାଦ୍ଵାରା ଆଗାମୀ ଦିନରେ ଓଡିଶା ଦେଶର ଫାର୍ମା ହବ୍ ହୋଇପାରିବ, ଏବଂ କେବଳ ଏହି କ୍ଷେତ୍ରରେ ୨ ଲକ୍ଷ ୫୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହେବ। 
ସେ ଆହୁରି କହିଛନ୍ତି, ଆମର ଦ୍ଵିତୀୟ ସ୍ତମ୍ଭ ହେଉଛି ସାମାଜିକ ବିକାଶ ଓ ସଶକ୍ତିକରଣ। ରାଜ୍ୟର ପ୍ରତ୍ୟେକ ବର୍ଗଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରି ସଶକ୍ତ କରିବା ଆମର ଲକ୍ଷ୍ୟ। ଆମ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ କିମ୍ବା ଭୋଟବ୍ୟାଙ୍କ ନୁହେଁ। ପ୍ରତିଶ୍ରୁତିକୁ ପୂରଣ କରି ଆମ ସରକାର ଆସିବା ମାତ୍ରେ ଏକ କୋଟିରୁ ଅଧିକ ମହିଳାଙ୍କୁ “ସୁଭଦ୍ରା ଯୋଜନା”ରେ ସାମିଲ କରିସାରିଛି। ଏଇ ଅଳ୍ପଦିନ ତଳେ, ସେମାନେ ସମସ୍ତେ ତୃତୀୟ କିସ୍ତି ସହିତ ୧୫ ହଜାର ଟଙ୍କା ପାଇ ସାରିଲେଣି ଏବଂ ଖୁସିର କଥା ଏହି ସମ୍ବଳକୁ ବିନିଯୋଗ କରି, ଲକ୍ଷ ଲକ୍ଷ ମା’ ମାନେ କ୍ଷୁଦ୍ର ଉଦ୍ୟୋଗ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏଥି ସହିତ ଓଡିଶା ପ୍ରାୟ ୧୭ ଲକ୍ଷ  ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟିକରି, ଦେଶରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି, ଯାହା ଆମ ମା’ ମାନଙ୍କୁ ସ୍ଵାବଲମ୍ବୀ କରିବା ସହ ସଶକ୍ତ ବି କରୁଛି। କେବଳ ମହିଳାଙ୍କ ପାଇଁ ଚଳିତ ବଜେଟରେ ସ୍ଵତନ୍ତ୍ର ଭାବେ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରବଧାନ କରାଯାଇଛି, ଯାହା ରାଜ୍ୟର ମହିଳାଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତା। 
ମହିଳା ସଶକ୍ତିକରଣର ଆଉ ଗୋଟିଏ ଦିଗ ହେଉଛି “ମହିଳା ସୁରକ୍ଷା”। ମୁଁ ବିଭିନ୍ନ ମଞ୍ଚରୁ କହିଛି, ମହିଳା ସୁରକ୍ଷା ପାଇଁ ସରକାର “ଶୂନ୍ୟ ସହନଶୀଳତା” ନୀତି ଅବଲମ୍ବନ କରୁଛନ୍ତି। ମହିଳାଙ୍କ ବିରୁଦ୍ଧରେ ହିଂସା କରୁଥିବା ବ୍ୟକ୍ତି, ଯେତେ ପ୍ରତିପତ୍ତିଶାଳୀ କିମ୍ବା ପ୍ରଭାବଶାଳୀ ହେଲେ ମଧ୍ୟ, ତାଙ୍କର ସ୍ଥାନ ଜେଲ୍‌ର ଚାରିକାନ୍ଥ ମଧ୍ୟରେ, ସଭ୍ୟ ସମାଜରେ ତାଙ୍କର ସ୍ଥାନ ନାହିଁ । ଏଥିପାଇଁ, ଯେତେବଡ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଅଛି, ସେଥିପାଇଁ ପୋଲିସ ବିଭାଗକୁ ସଂପୂର୍ଣ୍ଣ କ୍ଷମତା ଦିଆ ଯାଇଛି। ମହିଳା ସୁରକ୍ଷାରେ ଯଦି କେହି ଅବହେଳା କରନ୍ତି, ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ଅବଶ୍ୟକୀୟ ନିର୍ଦ୍ଦେଶ ମୁଁ ଦେଇ ସାରିଛି। 
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଅଛି। କିନ୍ତୁ, ଏହାକୁ ଆହୁରି ଅଧିକ ପ୍ରଭାବୀ ଓ ସଶକ୍ତ କରିବାର ଆବଶ୍ୟକତା ରହିଛି। ଅପରାଧ ବୃଦ୍ଧିର ଗୋଟିଏ ବଡ କାରଣ ହେଉଛି ନିଶା କାରବାର। ତେଣୁ, ଓଡିଶାରେ ନିଶା ନିବାରଣକୁ ଆହୁରି ଜୋରଦାର କରାଯିବ ଏବଂ ଏଥିରେ ସମ୍ପୃକ୍ତ ନିଶା ମାଫିଆଙ୍କୁ ସଂପୂର୍ଣ୍ଣ ଭାବେ ଦମନ କରାଯିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟରେ ଗାଁରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ, ଗୁଣ୍ଡାରାଜକୁ ଦୃଢ ହସ୍ତରେ ଦମନ କରାଯିବ। ଏଥିପାଇଁ ଅପରାଧୀଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି, ଆଇନ ଅନୁଯାୟୀ କଠୋରରୁ କଠୋରତମ ଦଣ୍ଡ ବିଧାନ କରାଯିବ। ସଂଗଠିତ ଅପରାଧକୁ ନିର୍ମୂଳ କରିବା ପାଇଁ ଆବଶ୍ୟକ ହେଲେ, ସ୍ଵତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ସରକାର ତିଳେମାତ୍ର ସଙ୍କୋଚ କରିବେ ନାହିଁ। ଦାଦାବଟି, ଜବରଦସ୍ତ ଚାନ୍ଦା ଆଦାୟ ବା ହପ୍ତା ଅସୁଲି ସଂପୂର୍ଣ୍ଣ ଭାବେ ବେଆଇନ ଏବଂ ଏହାକୁ ସଂଘଟିତ ଅପରାଧ ଶ୍ରେଣୀ ଭାବେ ବିଚାର କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।    
ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବିଶେଷ ଭାବେ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ “ସୁରକ୍ଷିତ ଅଞ୍ଚଳ” ଭାବେ ଘୋଷଣା କରାଯିବ ଏବଂ କ୍ୟାମ୍ପସ ଗୁଡିକରେ ମଦ୍ୟପାନ ଓ ନିଶା ସେବନକୁ ସଂପୂର୍ଣ୍ଣ ରୂପେ ବାରଣ କରାଯିବା ସହିତ, ଅଣଛାତ୍ରଙ୍କ ଅସାମାଜିକ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ଭାବେ ଦମନ କରାଯିବ। ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ “ଶକ୍ତିଶ୍ରୀ” କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ତ୍ଵରିତ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ  ନିର୍ଦ୍ଦେଶ ଦିଆଯାଉଛି।  
ସମାଜର ବିକାଶ ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସରକାର ଆସିବା ମାତ୍ରେ, ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥି ସହିତ ନୂତନ ଜାତୀୟ ଶିକ୍ଷାନୀତି, ପିଏମ୍-ଉଷା, ପିଏମ୍-ଶ୍ରୀ, ନିପୁଣ ଓଡିଶା, ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ପରି କାର୍ଯ୍ୟକ୍ରମ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ। ଉଚ୍ଚଶିକ୍ଷାରେ ଓଡିଶାର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ  ସରକାର ଉଚ୍ଚ ଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି।
ଯୁବବର୍ଗଙ୍କ ପ୍ରତିଭାର ବିକାଶ ପାଇଁ ସ୍ନାତକ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଉଛି।
ସ୍ୱାସ୍ଥ୍ୟ ଆମର ମୌଳିକ ଅଧିକାର। ଦେଶର କୋଟି କୋଟି ଲୋକଙ୍କ ସେହି ମୌଳିକ ଅଧିକାରର ସୁରକ୍ଷା ପାଇଁ ଆମ ସରକାର ଆସିବା ମାତ୍ରେ ଏହି ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ମିଳିତ ଭାବେ କାର୍ଯ୍ୟକାରୀ କରିଛନ୍ତି। ତା ସହିତ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା  ଯୋଜନାରେ ସାମିଲ କରାଯାଇଛି। ଆଜି ଆମ ରାଜ୍ୟର ୮୨ ପ୍ରତିଶତରୁ ଅଧିକ ଲୋକେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, ଯାହା ପ୍ରତିଶତ ଅନୁଯାଇ ଦେଶରେ ସବୁଠାରୁ ଅଧିକ। ଏହି ତିନୋଟି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କୁ ପ୍ରାୟ ୯୩୬ କୋଟି ଟଙ୍କାର ଚିକିତ୍ସା ପ୍ରଦାନ କରାଯାଇଛି । 
ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଓଡିଶାରେ ବର୍ତ୍ତମାନ ୧୨ଟି ସରକାରୀ ମେଡିକାଲ କଲେଜ ଥିବାବେଳେ ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ ସରକାରୀ ମେଡିକାଲ କଲେଜ ଖୋଲାଯିବ। ଏକ ସୁଦୃଢ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଅଧିକାରକୁ ସୁନିଶ୍ଚିତ କରି ଓଡିଶାର ସ୍ୱାସ୍ଥ୍ୟ ଦୃଶ୍ୟପଟକୁ ବିଶ୍ୱସ୍ତରୀୟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ବ୍ରହ୍ମପୁର ମେଡିକାଲ କଲେଜର ଉନ୍ନତି କରାଯାଇ ତାକୁ ଏମ୍ସ ପ୍ଲସ କରିବାପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟର ତିନିଗୋଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ସହିତ ଆସୁଥିବା ଆତ୍ମୀୟସ୍ଵଜନଙ୍କ ପାଇଁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା କରିବାକୁ ଯାଉଛନ୍ତି।  ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି। 
ଆମ ରାଜ୍ୟର ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର। ସେମାନଙ୍କ ସଶକ୍ତିକରଣ  ବିନା ସମାଜର ପ୍ରଗତି ସମ୍ଭବ ନୁହେଁ। ତେଣୁ, ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର, ନିଜର ସ୍ଵତନ୍ତ୍ର କାର୍ଯ୍ୟକ୍ରମ, ତଥା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ବି କାର୍ଯ୍ୟକାରୀ କରୁଛନ୍ତି। ପ୍ରଥମଥର ପାଇଁ ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସ ଭାବେ ମାନନୀୟ ମୋଦୀ ଜୀ ପାଳନ କରିଛନ୍ତି। ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଧରତି ଆବା ଜନଜାତି ଗ୍ରାମ  ଉତ୍କର୍ଷ ଅଭିଯାନ, ପିଏମ-ଜନମନ, ମୁଖ୍ୟମନ୍ତ୍ରୀ ଜନଜାତି  ଜୀବିକା ମିଶନ ଆଦି କାର୍ଯ୍ୟକ୍ରମ କରୁଛନ୍ତି।  
ଗରିବ ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଜୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ, ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଏହି ଯୋଜନାରେ ୩ କୋଟି ୨୭ ଲକ୍ଷରୁ   ଅଧିକ ଲୋକ ଉପକୃତ ହେଉଛନ୍ତି । ତେବେ ଆମ ରାଜ୍ୟର ପଛୁଆ ଅଞ୍ଚଳର ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି,  ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଦେ ଆଗକୁ ନେଇ, ଅଧିକ ଚାଉଳ ଯୋଗାଇ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ,   ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତିକନ୍ଧମାଳ- ସମୁଦାୟ ୧୧ ଟି  ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପରିବାରଙ୍କୁ, ତିନି ମାସ ପାଇଁ,  ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ଯୋଗାଇ ଦେବା ପାଇଁ ନିର୍ଣ୍ଣୟ କରାଯାଇଛି । ଏଥିରେ   ସମୁଦାୟ ୪୧,୦୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏହା  ବାବଦରେ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ବହନ କରିବେ ।

ଗରିବ ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଜୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ, ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ଏହି ଯୋଜନାରେ ୩ କୋଟି ୨୭ ଲକ୍ଷରୁ   ଅଧିକ ଲୋକ ଉପକୃତ ହେଉଛନ୍ତି । ତେବେ ଆମ ରାଜ୍ୟର ପଛୁଆ ଅଞ୍ଚଳର ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି,  ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପାଦେ ଆଗକୁ ନେଇ, ଅଧିକ ଚାଉଳ ଯୋଗାଇ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ,   ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତି ଓ କନ୍ଧମାଳ- ସମୁଦାୟ ୧୧ ଟି  ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପରିବାରଙ୍କୁ, ତିନି ମାସ ପାଇଁ,  ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ, ମାଗଣାରେ ଯୋଗାଇ ଦେବା ପାଇଁ ନିର୍ଣ୍ଣୟ କରାଯାଇଛି । ଏଥିରେ   ସମୁଦାୟ ୪୧,୦୮୨ ମେଟ୍ରିକ ଟନ ଅତିରିକ୍ତ ଚାଉଳ ବଣ୍ଟନ କରାଯିବ । ଏହା  ବାବଦରେ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ବହନ କରିବେ ।

ଦେଶର ଯୁବବର୍ଗ ହେଲେ ଦେଶର ଭବିଷ୍ୟତ। ସେମାନଙ୍କୁ ସଶକ୍ତ କରିବା ପାଇଁ ରୋଜଗାର ସହିତ ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଛି।  ଆମ ବିକାଶ ମଡେଲର ତୃତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ବିନା ଭିତ୍ତିଭୂମିରେ କୌଣସି ସମାଜର ବିକାଶ ସମ୍ଭବ ନୁହେଁ। ତେଣୁ ସରକାର ଚଳିତ ବଜେଟରେ ପୁଞ୍ଜି ଖର୍ଚ୍ଚ ପାଇଁ ୬୫ ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ସାରା ଦେଶରେ, ରାଜ୍ୟ ଜିଡିପିର ପ୍ରତିଶତ ମାପଦଣ୍ଡରେ, ସର୍ବାଧିକ। ଏହାଦ୍ଵାରା ରାଜ୍ୟରେ ସଡକଠାରୁ ଆରମ୍ଭ କରି, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ବନ୍ଦର ଇତ୍ୟାଦି କ୍ଷେତ୍ରରେ ବିକାଶ ବହୁତ ଶୀଘ୍ର ହୋଇପାରିବ। ଓଡ଼ିଶାର ଭିତ୍ତିଭୂମି ବିକାଶରେ ଡବଲ ଇଞ୍ଜିନ ସରକାର ଡବଲ ଗତିରେ କାମ କରୁଛି। 
ଡବଲ ଇଞ୍ଜିନ ସରକାର ଫଳରେ ବର୍ତ୍ତମାନ ଓଡ଼ିଶାରେ  ଦ୍ରୁତ ଗତିରେ ରେଳ, ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟ ସରକାର ବି ଆଗାମୀ ପାଞ୍ଚ ବର୍ଷରେ ୭୫ ହଜାର କିଲୋମିଟରର ଉଚ୍ଚ ମାନର ସଡକ ନିର୍ମାଣ କରିବେ। 
ସେହିପରି ବିମାନ ବନ୍ଦର ଭିତ୍ତିଭୂମିରେ ମଧ୍ୟ ଉନ୍ନତିକରଣ କରାଯାଇ ଦେଶ ବିଦେଶର ନୂଆ ନୂଆ ଗନ୍ତବ୍ୟ ସ୍ଥଳକୁ ବିମାନ ଚଳାଚଳର ସୁବିଧା କରାଯାଇଛି। ରାଜ୍ୟର ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ରାଜ୍ୟରେ ତିନୋଟି ପ୍ରମୁଖ ବନ୍ଦର ଥିବାବେଳେ ଆମେ  ଇଞ୍ଚୁଡି, ବାହୁଡା, ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ଠାରେ ଆଉ ୪ଟି ନୂତନ ବନ୍ଦର ନିର୍ମାଣ କରିବାର ଲକ୍ଷ୍ୟ ରଖିଛୁ। 
ଭୁବନେଶ୍ଵର-କଟକକୁ ବିଭିନ୍ନ କାମ ପାଇଁ ଓଡିଶାର ସବୁ ଜିଲ୍ଲାରୁ ହଜାର ହଜାର ଲୋକେ ଆସିଥାନ୍ତି। ଅଧିକାଂଶ ଲୋକେ ସ୍ୱଳ୍ପ ରହଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ, ସରକାର ଭୁବନେଶ୍ଵରରେ ‘ଜନ ଆଶ୍ରୟ ଭବନ’ ନିର୍ମାଣ କରିବାକୁ ଯାଉଛନ୍ତି। ଏଠାରେ ସ୍ୱଳ୍ପ ଖର୍ଚ୍ଚରେ ଲୋକେ ରହି ନିଜ ନିଜ କାର୍ଯ୍ୟ ସୁବିଧାରେ କରି ପାରିବେ। ଏହାର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।  
ଉନ୍ନତ ଭିତ୍ତିଭୂମି ଓ ସହରୀକରଣ ବିକାଶର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ । କିନ୍ତୁ ଆମ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରନ୍ତି । ରାଜ୍ୟର  ଦ୍ରୁତ ବିକାଶ ଓ ଅଭିବୃଦ୍ଧି ସହିତ ଜନ ସାଧାରଣଙ୍କର ଆବଶ୍ୟକତାକୁ  ଦୃଷ୍ଟିରେ ରଖି ଆମ ସରକାର ଆଉ ୨୧ ଟି  ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ  ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe