ପାଣି ପିଇବ ଛାଣି

ପାଣି ପିଇବ ଛାଣି, ପଇସା ନବ ଗଣି। ପାଣିକୁ ଜୀବନ ବୋଲି କୁହାଯାଏ। ସ୍ବଚ୍ଛ ପିଇବା ପାଣି ଅଭାବରୁ ଅନେକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ଆମେ ପାଉଛୁ। କିନ୍ତୁ ପାଣି ପିଇବାର ବିଧି ଅନେକଙ୍କୁ ଅଜଣା। ଅନେକେ ଠିଆ ହୋଇ ପାଣି ପିଅନ୍ତି ଓ ଢକଢକ କରି ପିଅନ୍ତି।

Drinking

କଥାରେ ଅଛି: ପାଣି ପିଇବ ଛାଣି, ପଇସା ନବ ଗଣି। ପାଣିକୁ ଜୀବନ ବୋଲି କୁହାଯାଏ। ସ୍ବଚ୍ଛ ପିଇବା ପାଣି ଅଭାବରୁ ଅନେକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଥିବା ଖବର ଆମେ ପାଉଛୁ। କିନ୍ତୁ ପାଣି ପିଇବାର ବିଧି ଅନେକଙ୍କୁ ଅଜଣା। ଅନେକେ ଠିଆ ହୋଇ ପାଣି ପିଅନ୍ତି ଓ ଢକଢକ କରି ପିଅନ୍ତି। ଏ ଦୁଇଟି ଯାକ ଖରାପ। ତଳେ ବସି ଢକଢକ ନୁହେଁ ଢୋକଢୋକ କରି ପାଣି ପିଇବା ଉଚିତ। ପାଣି ଧୀରେ ଧୀରେ ଚାଖିଚାଖି ପିଇଲେ ଆମ ପାଟିର ଲାଳ ବା ପାଚକରସ ସହ ମିଶି ତାହା ପେଟ ଭିତରକୁ ଯାଇ ଅମ୍ଳତା ହ୍ରାସ କରେ। 

ଦିନମାନ ଭିତରେ ତିନିରୁ ଚାରି ଲିଟର ପାଣି ପିଇବା ଉଚିତ। କିନ୍ତୁ ସକାଳୁ ଉଠିବା ପରେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ପାଣି ପିଇବା। ଦୁଇ ତିନି ଗ୍ଲାସ୍ ବା ପ୍ରାୟ ଏକ ଲିଟର ପାଣି ସକାଳୁ ଅଘଷା ପାଟିରେ ତଳେ ବସି ଧୀରେଧୀରେ ପିଇବା ସବୁଠାରୁ ଭଲ। ଅନେକେ ରାତିରେ ତମ୍ବାଲୋଟାରେ ପାଣି ରଖି ସକାଳେ ତାକୁ ପିଅନ୍ତି। ସକାଳେ ଅଘଷା ପାଟିରେ ଯେଉଁ ଲାଳ ଥାଏ, ତାହା ଅତ୍ୟନ୍ତ କ୍ଷାରୀୟ ହୋଇଥିବାରୁ ପେଟର ଅମ୍ଳତାକୁ ଦୂର କରେ। ରାତିରେ ଖାଇଥିବା କିଛି ଖାଦ୍ୟ ଯଦି ହଜମ ହୋଇ ନ ଥାଏ, ତେବେ ତାହା ହଜମ ହେବା ଓ ପାଇଖାନା ସଫା ହେବାରେ ସାହାଯ୍ୟ କରେ। ପୁଣି ସକାଳେ ଅଧିକ ପାଣି ପିଇବା ଯୋଗୁ ଯେଉଁ ପରିସ୍ରା ହୁଏ, ସେଥିରେ ଶରୀରରେ ଜମା ହୋଇଥିବା ଟକ୍ସିନ (ବିଷ) ବାହାରିଯାଏ ଓ ଆମକୁ ଫୂର୍ତ୍ତି ଲାଗେ। କିନ୍ତୁ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। ଖାଦ୍ୟ ଖାଇବାର ପ୍ରାୟ ଦେଢଘଣ୍ଟା ପରେ ପାଣି ପିଇବା କଥା, ଅତି କମ୍‌ରେ ପଇଁଚାଳିଶ ମିନିଟ୍ ପରେ।

ପାଣି ପିଇବାର ବିଧି ସମ୍ପର୍କରେ ମହାମତି ଚାଣକ୍ୟ କହନ୍ତି:
ଅଜୀର୍ଣ୍ଣେ ଭେଷଜଂ ବାରି ଜୀର୍ଣ୍ଣେ ବାରି ବଳପ୍ରଦମ୍।
ଭୋଜନେ ଚାମୃତଂ ବାରି ଭୋଜନାନ୍ତେ ଭବେଦ୍‌ବିଷମ୍‌।।

ଅର୍ଥାତ୍ ଖାଦ୍ୟ ହଜମ ହୋଇ ନ ଥିବାବେଳେ ପାଣି ପିଇଲେ ତାହା ଔଷଧ ପରି କାମ କରି ହଜମରେ ସାହାଯ୍ୟ କରେ। ଖାଦ୍ୟ ଜୀର୍ଣ୍ଣ ହେବା ପରେ ପାଣି ପିଇଲେ ତାହା ବଳପ୍ରଦ ହୁଏ। ଖାଇବା ସମୟରେ ଆବଶ୍ୟକସ୍ଥଳେ (ଅଳ୍ପ) ପାଣି ପିଇଲେ ତାହା ଅମୃତ ପରି କାମ କରେ ଏବଂ ଖାଇବା ଶେଷରେ ପାଣି ପିଇଲେ ତାହା ବିଷ ପରି କାମ କରେ।

ଅମ୍ଳଦୋଷ (ଏସିଡିଟି) ଥିଲେ ଖାଦ୍ୟ ହଜମ ହୁଏ ନାହିଁ। ସେତେବେଳେ ପାଣି ପିଇଲେ ତାହା ଏସିଡ୍‌କୁ ଡାଇଲ୍ୟୁଟ୍ କରିଦିଏ ବା ଏସିଡିଟିର ତୀବ୍ରତାକୁ କମାଇଦେଇ ଖାଦ୍ୟ ହଜମରେ ସାହାଯ୍ୟ କରେ। ଖାଦ୍ୟ ହଜମ ହେବା ପରେ ପାଣି ପିଇଲେ ତାହା ଶରୀରର ଜଳାଭାବକୁ ଦୂର କରେ ଏବଂ କୋଷଗୁଡିକର କାର୍ଯ୍ୟକ୍ଷମତା ବୃଦ୍ଧି କରି ଆମକୁ ବଳ ଯୋଗାଏ। ଖାଇବା ସମୟରେ ବା ଖାଇବା ପରେ ପରେ ପାଣି ପିଇବା ମନା। କାରଣ ଏହା ପାଚକରସ କ୍ଷରଣରେ ବାଧାସୃଷ୍ଟି କରିବା ସହ ଖାଦ୍ୟ ହଜମ କରିବା ପାଇଁ ଆମ ପେଟ ଭିତରେ ଜଳୁଥିବା ଜଠରାଗ୍ନିକୁ ଲିଭାଇ ଦିଏ।

ତେବେ ଚାଣକ୍ୟ ଭୋଜନେ ଚାମୃତଂ ବାରି ବା ଭୋଜନ ସମୟରେ ପାଣି ଅମୃତ ବୋଲି କହିବାର ତାତ୍ପର୍ଯ୍ୟ କ’ଣ? କାହାକୁ ଖାଇବାକୁ ଦେବା ସମୟରେ ପ୍ରଥମେ ପିଢା, ପାଣି ରଖିବାର ବିଧି ଅଛି। ଖାଇବା ସମୟରେ ଶୁଖିଲା ଖାଦ୍ୟ ବେଳେବେଳେ ତଣ୍ଟିରେ ଅଟକିଯିବାର ଆଶଙ୍କା ଥାଏ। ସେତେବେଳେ ବହୁ କଷ୍ଟ ହୁଏ, ଏପରି କି ଲୋକଟି ମରିଯିବା ବି ଅସମ୍ଭବ ନୁହେଁ। ସେଥିପାଇଁ ପାଖରେ ପାଣି ଥିଲେ ଢୋକେ ପିଇଦେଲେ ଜୀବନ ବଞ୍ଚିଯିବ। କେବଳ ଏହିପରି ପରିସ୍ଥିତିରେ ଅଳ୍ପ ପାଣି ପିଇଲେ ତାହା ଅମୃତ ପରି ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ ବୋଲି ଚାଣକ୍ୟ କହିଛନ୍ତି। ତେଣୁ ଖାଇବାର ଅତି କମ୍‌ରେ ଅଧଘଣ୍ଟା ପୂର୍ବରୁ ଏବଂ ଏକଘଣ୍ଟା ପରେ ପାଣି ପିଇବା ଉଚିତ। ଫଳ, ମୁଢି ଓ ତେଲଛଣା ଜିନିଷ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଅନୁଚିତ। 

-ଦୋଳଗୋବିନ୍ଦ ପଣ୍ଡା (୭୦୦୮୯୬୦୫୦୨)

Water

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe