ରାୟଗଡ଼ା: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗତକାଲି ସନ୍ଧ୍ୟାଠାରୁ ରାୟଗଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ଗୁଣପୁର,ଗୁଡାରୀ ଓ ରାମନାଗୁଡା କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ବର୍ଷା ଯୋଗୁଁ ଘର ଆଂଶିକ ଭାବରେ ନଷ୍ଟ ହୋଇଥିବା ସୂଚନା ମିଳିଛି ।'

Advertisment

ପ୍ରଶାସନର ଉଦ୍ଧାର କାର୍ଯ୍ୟ ଏବଂ ସହାୟତା  

ସୂଚନାରୁ ଜଣାଯାଇଛି, ଗୁଣପୁର ବ୍ଲକ ଭୀମପୁର ଝୁମପଦର ମଛିରେ ଗୋଟିଏ ଗଛ ଉପୁଡ଼ି ଯାଇଥିବା ବେଳେ, ଗୁଡାରୀ ବ୍ଲକ କୁଜାରୀଗାଁ ‌ଗୋଟିଏ ଗଛ ଉପୁଡ଼ିଯାଇ ଘର ଉପରେ ପଡ଼ି ଘରଟି ଆଂଶିକ ଭାବରେ ନଷ୍ଟ ହୋଇଛି। ଉଭୟ ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଏବଂ ସହାୟତା ଆରମ୍ଭ କରିଛି। ସେହିଭଳି ଲଗାଣ ବର୍ଷା ଫଳରେ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତର ଗାଜିଲୀଗୁଡା ଗ୍ରାମର କମଳ ପାଲକାଙ୍କ ଗୃହ ଆଂଶିକ ଭାବେ ନଷ୍ଟ ହୋଇଥବା ସୂଚନା ମିଳିଛି। ସୂଚନା ପାଇଲା ପରେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀ ଗ୍ରାମରେ ପହଞ୍ଚି କମଳ ପାଲକାଙ୍କୁ ପଲିଥିନ ଯୋଗାଇଦେଇଥିଲେ ।

ଆହୁରି ପଢ଼ନ୍ତୁ:Chief Minster Review Cyclone: ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ତେଣେ  ବଂଶଧାରା ନଦୀରେ ଜଳସ୍ତର ବଢ଼ୁଥିବାରୁ ନଈକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ସଚେତନତା କରିବା ସହ ଆବଶ୍ୟକୀୟ ସହଯୋଗ କରୁଥିବା ଜଣାପଡିଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପାଇଁ ୭ଜଣଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ନୋଡାଲ ଅଫିସରଙ୍କ ମଧ୍ୟରେ ରାୟଗଡ଼ା, ଗୁଣପୁର ଉପଜିଲ୍ଲାପାଳ, ପିଏ ଆଇଟିଡିଏ,୨ ଜଣ ଅତିରିକ୍ତ ଜିଲ୍ଲାପାଳ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରହିଛନ୍ତି ।

ରାୟଗଡ଼ା ଜିଲ୍ଳାପାଳ ଆଶୁତୋଷ କୁଲକର୍ଣୀ ଓ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ପ୍ରଶାସନ ପକ୍ଷରୁ ଲାଇନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତେ ସମ୍ଭାବ୍ୟ ବର୍ଷାକୁ ନେଇ ପ୍ରସ୍ତୁତ ହୋଇ ରହିବା ପାଇଁ ନି‌ର୍ଦ୍ଦେଶ ଜାରି କରିଛନ୍ତି ।  ଜିଲ୍ଳାର ତିନୋଟି ବାତ୍ୟା ଆଶ୍ରୟସ୍ଥଳୀ ଗୁଣପୁରର ବିକ୍ରମପୁର,ବିଷମକଟକର କୁଟ୍ରାଗଡ ଓ ରାୟଗଡା ବ୍ଲକର ହାଟ‌ ଶେଷଖାଲକୁ  ପ୍ରସ୍ତୁତ ରଖାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି ।  ସମସ୍ତ ବ୍ଳକର ବିଡିଓ,ତହସିଲଦାର ଏବଂ ଜରୁରୀକାଳୀନ କାର୍ଯ୍ୟାଳୟ ୨୪ଘଣ୍ଟା କାର୍ଯ୍ୟ କରିବ ବୋଲି କହିଛନ୍ତି ଜିଲ୍ଳାପାଳ କୁଲକର୍ଣୀ ପ୍ରକାଶ କରିଛନ୍ତି ।

Cyclone Montha | Heavy Rain | Andhra Pradesh