ବିଶୋଇ: ନିଜ ଧାନ ଫସଲର ସୁରକ୍ଷା  ପାଇଁ ବିଲକୁ ହାତୀ ଘଉଡାଇବା ପାଇଁ ଯାଇ ରାଇରଙ୍ଗପୁର ବନଖଣ୍ଡ ଅଧୀନ ମଣଦା ବନାଞ୍ଚଳ ଅନ୍ତର୍ଗତ ତୁଳସୀବଣି ବିଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୋଡାଗଡ଼ ପଞ୍ଚାୟତ ସ୍ଥିତ ରାଜପାଳ ଗ୍ରାମର ସଙ୍ଗା ବାରି (୫୫)।

Advertisment

ହାତୀ କବଳରେ ପଡ଼ି ଯାଇଥିଲେ ସଙ୍ଗା ବାରି

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଏକ ଦନ୍ତା ଓ ମାଈ ହାତୀ ରାଜପାଳ ଗ୍ରାମ ନିକଟସ୍ଥ ବିଲକୁ ପାଚିଲା ଧାନ ଫସଲ  ଖାଇବା ପାଇଁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ବିଲକୁ ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ଉକ୍ତ ଦୁଇ ଗୋଟି ହାତୀ ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ତେବେ ଘଟଣାରେ ସଙ୍ଗା ନିଜକୁ ରକ୍ଷା କରି ନପାରି ହାତୀ କବଳରେ ପଡ଼ି ଯାଇଥିଲେ।ଘଟଣା ସ୍ଥଳରେ ସଙ୍ଗାକୁ ହାତୀ ଦଳି ଚକଟି ଦେଇଥିଲା ଫଳରେ ଘଟଣା ସ୍ଥଳରେ ସଙ୍ଗାଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଖବରପାଇ ଏସିଏଫ ତଥା ମଣଦା ବନାଞ୍ଚଳ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ଧରିତ୍ରୀ ମୁର୍ମୁଙ୍କ ସମେତ ମଣଦା ଓ ବରେହିପାଣି ରେଞ୍ଜର ସମସ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଥିଲେ। ସଙ୍ଗାଙ୍କ ପରିବାର ଗରିବ ଶ୍ରେଣୀର ଥିବାବେଳେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ଯଥା ଶୀଘ୍ର ସଙ୍ଗାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Accident 2 Death: ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ

 ଏଣେ ଗତ ୩ ତାରିଖରେ କଳାହାଣ୍ଡିଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ରେଞ୍ଜ ଲାଞ୍ଜିଗଡ଼ ସେକ୍ସନ ତ୍ରିଲୋଚନପୁର ପଞ୍ଚାୟତ କୁନ୍ନା କାଡୁ ଗାଁର କାଣୁ ମାଝୀଙ୍କ ପୁତ୍ର ରବି ମାଝୀ(୭)ଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସାନଭାଇ ସାମରି ମାଝୀ(୫)ଙ୍କୁ ହାତୀ ଫିଙ୍ଗି ଦେଇଥିବା ବେଳେ ପିଠିରେ ଆଘାତ ଲାଗିଥିବା ସୂଚନା ମିଳିଛି। କାଣୁ ମାଝୀ ଆଜିକୁ ୩ ବର୍ଷ ହେଲା ହରଡାଗୁଡା ଗାଁରେ ଘର କରି ନିକଟସ୍ଥ ଜଙ୍ଗଲରେ ପଢୁଚାଷ କରୁଥିବା ବେଳେ ଆଜି ସକାଳେ ସାଢ଼େ ୮ ଘଣ୍ଟା ସମୟରେ ଦୁଇ ଭାଇ ରବି ମାଝୀ ଓ ସାନଭାଇ ସାମରି ମାଝୀ ନିଜ ଚାଷ ଗୁଡ଼ିଆକୁ ଯାଉଥିବା ବେଳେ ଗାଁ ନିକଟସ୍ଥ ପାଣିଟାଙ୍କି ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ ଯୋଗୁଁ ରବିର ମୃତ୍ୟୁ ଘଟିଥିଲା। 

ସେହିପରି କୁମଖାଲ ପଞ୍ଚାୟତ କାତୁଲବାଇ ଗାଁର ଜଣେ ୧୮ବର୍ଷୀୟ ଯୁବକ ଜଙ୍ଗଲକୁ ନିଜ ଗାଈ ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଏଥିରେ ତାଙ୍କର ପ୍ରାଣହାନି ଘଟିଥିଲା l ବର୍ତମାନ ଲାଞ୍ଜିଗଡ଼ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଜାରି ରହିଥିବା ବେଳେ ଧାନ ଫସଲ ସମେତ ଘରଦ୍ୱାର ଭଙ୍ଗାରୁଜା କରୁଥିବାରୁ ସନ୍ଧ୍ୟା ହେଲେ ଅଞ୍ଚଳ ଲୋକେ ହାତୀର କୋକୁଆ ଭୟରେ ଥରୁଛନ୍ତି।ଉକ୍ତ ଅଞ୍ଚଳରେ ରାତି ନ ହଉଣୁ ବିଜୁଳି କଟା ଯୋଗୁଁ ଲୋକେ ଆହୁରି ଭୟଭୀତ ହେଉଥିବା ବେଳେ ବିଜୁଳି ଆଲୁଅ ନଥିବା ଯୋଗୁଁ ମଧ୍ୟ ହାତୀ ଗାଁ ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି l