elephant in G Udayagiri Photograph: (sambad.in)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର କୁରୁମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀପଲ ଆସି ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଛନ୍ତି। ଗତ ବର୍ଷ ମଧ୍ଯ ହାତୀପଲ ଆସି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଥିଲେ। ଫଳରେ ପୀଡ଼ିତା ପରିବାର ଜଙ୍ଗଲରେ ଥିବା ଘର ଛାଡ଼ି କୁରୁମିଙ୍ଗିଆ ଆସି ରହିଥିଲେ। ଶେଷରେ ପୁଣିଥରେ ସେହି ଜଙ୍ଗଲ ଜାଗାକୁ ଫେରି ଘର ମରାମତି କରି ରହିଥିଲେ।
୨୮ ଟିକିଆ ହାତୀପଲ କୁରୁମିଙ୍ଗିଆ, ବାରାକାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା, ଡଗରମୁଣ୍ଡା ଦେଇ କାଟାଗୁଡ଼ା ଗ୍ରାମରେ ପହଞ୍ଚି ଘରଦ୍ୱାର ଭଙ୍ଗା ରୁଜା ସହ ଫସଲ ହାନି କରିଛନ୍ତି। କାଟାଗୁଡ଼ା ମଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନଙ୍କ ସହ ଅନେକ ଚାଷୀଙ୍କ ଫସଲ ବାଡ଼ ଭିତରେ ପଶି କଦଳୀ, ହଳଦୀ ବିଭିନ୍ନ ଫଳ ବଗିଚା ଭିତରେ ପଶି ଖାଇବା ସହ ଘର ଭିତରେ ଥିବା ଧାନ ଖାଇ ବ୍ୟାପକ କ୍ଷୟ କ୍ଷତି କରି ଘର ଦ୍ୱାର ଭାଙ୍ଗି ଦେଇଛନ୍ତି।
କାଟାଗୁଡ଼ାବାସୀଙ୍କ କହିବାନୁସାରେ ୨୮ ଟିକିଆ ହାତୀପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପସି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀ ଭୟରେ ଗତ ବର୍ଷ ଘର ଦ୍ୱାର ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ। କିନ୍ତୁ ରହିବା ପାଇଁ କିଛି ସାହାରା ନ ପାଇବାରୁ ପୁଣି ସେହି ଜଙ୍ଗଲ ଭିତରକୁ ଫେରି ଗତବର୍ଷ ହାତୀ ଭାଙ୍ଗିଥିବା ଘର ମରାମତି କରି ରହିଲେ। ଏହି ବର୍ଷ ପୁଣି ଥରେ ହାତୀପଲ ଆସି ସେହି ଘରଗୁଡ଼ିକ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଦେଖିବାକୁ ମିଳିଛି, ଯେହେତୁ ଜଙ୍ଗଲି ହାତୀ ବାରମ୍ବାର ଏହିପରି ଘର ଭାଙ୍ଗୁଥିବା ବେଳେ ସରକାର ଏହି ୪ ପରିବାର ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
ସେମାନେ ଗତ ବର୍ଷ କ୍ଷୟକ୍ଷତି ବାବଦକୁ ସରକାରଙ୍କ ଠାରୁ କୌଣସି ସହାୟତା ପାଇ ନ ଥିଲେ। କାରଣ ସେମାନଙ୍କର ପଟ୍ଟା ଜମି ନାହିଁ। ସେପଟେ ବେସାହାରା ହୋଇ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ୪ ପରିବାର। ସରକାର ଯଦି ଏହି ପରିବାରକୁ ସ୍ଥାୟୀ ପଟ୍ଟା ଜାଗା ସହିତ ସହାୟତା ପ୍ରଦାନ କଲେ ସେମାନେ ଶାନ୍ତି ରେ ଭୟମୁକ୍ତ ଜୀବନ ଯାପନ କରିଥାନ୍ତେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।
Elephant | Kandhamal
Follow Us