ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଯାଜପୁରରେ ଦୁଷ୍କର୍ମ, ଜଗତସିଂହପୁର, ମାଲକାନଗିରିରେ ଗଣଦୁଷ୍କର୍ମ ଓ ପୁରୀରେ ଯୌନ ନିର୍ଯାତନା ଆମକୁ ମର୍ମାହତ କରିଛି। ମହିଳାଙ୍କ ବିରୋଧରେ  ଦିନକୁ ଦିନ ବଢୁଥିବା ହିଂସା ବିଚଳିତ କରୁଛି।

New Project (29)

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି ଯାଜପୁରରେ ଦୁଷ୍କର୍ମ, ଜଗତସିଂହପୁର, ମାଲକାନଗିରିରେ ଗଣଦୁଷ୍କର୍ମ ଓ ପୁରୀରେ ଯୌନ ନିର୍ଯାତନା ଆମକୁ ମର୍ମାହତ କରିଛି। ରାଜ୍ୟରେ ମହିଳାଙ୍କ ବିରୋଧରେ  ଦିନକୁ ଦିନ ବଢୁଥିବା ହିଂସା ବିଚଳିତ କରୁଛି। 

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି ସୁପ୍ରିମୋ କହିଛନ୍ତି, ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁଦିନ ଅସୁରକ୍ଷିତ ହୋଇପଡୁଛି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବିରୋଧରେ ହିଂସା କରାଯାଉଛି। ଜଣେ ଯୁବ ଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁସନରୁ ଘରକୁ ଫେରୁଛି, ସେ ସୁରକ୍ଷିତ ମନେ କରୁନାହିଁ। ଏମାନେ ପ୍ରତିଦିନ ବିପଦର ସାମ୍ନା କରୁଛନ୍ତି। ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୌନ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି।  

ନବୀନ କହିଛନ୍ତି ଯେ, ଆମେରିକା ସରକାର ଗତମାସରେ ଲେଭେଲ-୨ ଯାତ୍ରା ପରାମର୍ଶ ଜାରି କରିଥିଲେ, ଯେଉଁଥିରେ ସେ ଓଡ଼ିଶା ସମତେ ୬ଟି ଭାରତୀୟ ରାଜ୍ୟର ନାମ ନେଇଥିଲେ। ଏହିସବୁ ରାଜ୍ୟକୁ ଯାଉଥିଲେ ସ୍ବତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଆମେରିକା ସରକାର କହିଥିଲେ ଯେ, ମାଓବାଦୀ, ଆତଙ୍କବାଦୀ ହ୍ରାସ ପାଉଥିବା ବେଳେ ମହିଳାଙ୍କ ବିରୋଧରେ ହିଂସା ବଢ଼ିଛି।  

ଗତ ୧୭ ତାରିଖରେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହୋଇଥିଲା ଯେ, ସନ୍ଧ୍ୟା ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ରହିବେ ନାହିଁ। ଏହାକୁ ଜନସାଧାରଣରେ ତୀବ୍ର ବିରୋଧ କରାଯିବା ପରେ ପ୍ରଶାସନ ପୁଣି ନିଷ୍ପତ୍ତି ବଦଳାଇଥିଲା।  

ନବୀନ କହିଛନ୍ତି, ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଏବଂ ରାଜନୈତିକ ଇଚ୍ଛାଶକ୍ତି ବିନା ଏହି ସମସ୍ୟା କେବଳ ବୃଦ୍ଧି ପାଇବ। ରାଜନୈତିକ ନେତୃତ୍ୱକୁ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ପୁଲିସ ଷ୍ଟେସନରେ ସ୍ଥାନୀୟ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ଅନୁମତି ଦେବା ଦ୍ୱାରା ରାଜ୍ୟ ସାରା ହିଂସା ବିଶେଷକରି ଲିଙ୍ଗଭିତ୍ତିକ ହିଂସା ସାଧାରଣ ହେବ। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ କରି ତୁରନ୍ତ କାର୍ଯ୍ୟ କରିବା ଉଚିତ। ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ।  

Naveen Pattnaik

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe