ଦସ୍ତଖତ ପାଇଁ ୧୦ ହଜାର ଲାଞ୍ଚ: ପୂର୍ବତନ ଡାକ୍ତରଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ

ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୂର୍ବତନ ଅଧିକାତରୀ ଡ. ପତିତପାବନ ବାରିକଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (କୋର୍ଟ) ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି।

New Project (23)

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୂର୍ବତନ ଅଧିକାତରୀ ଡ. ପତିତପାବନ ବାରିକଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତ (କୋର୍ଟ) ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି। ତାଙ୍କୁ ୫ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟରେ କାରାଦଣ୍ଡ ଅଧିକ ୬ ମାସ ବୃଦ୍ଧି ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। 

ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଏକ ଗାଡ଼ିର ବିଲ୍ ପ୍ରସ୍ତୁତି ପାଇଁ ଲଗ୍ବୁକରେ ଦସ୍ତଖତ ଦେବାକୁ ଡ. ବାରିକ ୧୦ ହଜାର ଟଙ୍କା ଲାଞ୍ଚ ନେଇ  ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡ଼ିଥିଲେ। ଡ. ବାରିକ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଥିବା ବେଳେ କେନ୍ଦ୍ରରେ ନିୟୋଜିତ  ଗୁରୁଣ୍ଡିଆର ବିଜୟ କୁମାର ମହାନ୍ତିଙ୍କ ଗାଡ଼ିର ମୋଟା ଅଙ୍କର ବିଲ୍ ପ୍ରସ୍ତୁତି ପାଇଁ ଲଗ୍ବୁକରେ ଦସ୍ତଖତ ଆବଶ୍ୟକ ହୋଇଥିଲା। ଏଥିପାଇଁ ଡାକ୍ତର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗାଡ଼ି ମାଲିକ ବିଜୟ ଏତେ ଟଙ୍କା ଦେବାକୁ ଅକ୍ଷମ ବୋଲି କହିବା ପରେ ମଧ୍ୟ ଡାକ୍ତର ଶୁଣି ନଥିଲେ। ଶେଷକୁ ବିଜୟ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ବିଭାଗ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଧରିବାକୁ ଯୋଜନା କରିଥିଲା।

ଯୋଜନା ମୁତାପବକ ୪.୧୨.୨୦୧୫ରେ ମାଲିକ ବିଜୟ ମହାନ୍ତି ଡାକ୍ତର ବାରିକଙ୍କୁ ତାଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ   ଦେଉଥିବାବେଳେ ନିକଟରେ ଛକି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ମାଡ଼ି ବସିଥିଲେ। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରି ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିଲା।

ମାମଲାର ବିଚାର ଚାଲିଥିବାବେଳେ ଶନିବାର ସ୍ବତନ୍ତ୍ର ଅଦାଲତ ଦଣ୍ଡାଦେଶ କରିଛନ୍ତି। ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ତତ୍କାଳୀନ ଉପ ଅଧିକ୍ଷକ ପରମେଶ୍ବର କିସାନଙ୍କ ନେତୃତ୍ବରେ ମାମଲାର ତଦନ୍ତ କରିୀ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ସ୍ବତନ୍ତ୍ର ଜନଅଭିଯୋଜକ (ପିପି) ଶ୍ୟାମସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ  ସହକାରୀ ଜନଅଭିଯୋଜକ (ଏପିପି) ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ।

sundargarh | doctor | court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe