ଦୋକାନୀ-ଲ୍ୟାମ୍ପସ ମଧୁଚନ୍ଦ୍ରିକା: ସାର ନମିଳିବାରୁ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି ଜିଲ୍ଲାରେ ସାରର କଳାବଜାରି ଯୋଗୁଁ ଚାଷୀ ହନ୍ତସନ୍ତ। ଜିଲ୍ଲାର ସାତୋଟି ଯାକ ଲ୍ୟାମ୍ପସରେ ସାରର ଅଭାବ ଦେଖାଦେଇଛି। ଗୋଟିଏ ପଟେ ଡିଆରସିଏ ସମସ୍ତ ଲ୍ୟାମ୍ପସକୁ ହଜାର ହଜାର କ୍ବିଣ୍ଟାଲ ସାର ପ୍ରଦାନ କରାଯାଇଥିବା କୁହାଯାଉଛି।

Mkg road blocked by farmers (5)

ମାଲକାନଗିରି: ଜିଲ୍ଲାରେ ସାରର କଳାବଜାରି ଯୋଗୁଁ ଚାଷୀ ହନ୍ତସନ୍ତ। ଜିଲ୍ଲାର ସାତୋଟି ଯାକ ଲ୍ୟାମ୍ପସରେ ସାରର ଅଭାବ ଦେଖାଦେଇଛି। ଗୋଟିଏ ପଟେ ଡିଆରସିଏ ସମସ୍ତ ଲ୍ୟାମ୍ପସକୁ ହଜାର ହଜାର କ୍ବିଣ୍ଟାଲ ସାର ପ୍ରଦାନ କରାଯାଇଥିବା କୁହାଯାଉଥିବା ବେଳେ ଲ୍ୟାମ୍ପସରୁ ସାର କେଉଁଆଡେ ଗାଏବ ହୋଇଗଲା। ଆଜି ହଜାର ହଜାର ଚାଷୀ ମାଥିଲି ମୁଖ୍ୟ ଛକର ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ମାଥିଲି ବ୍ଲକର ୨୦ଟି ପଞ୍ଚାୟତର ହଜାର ହଜାର ଚାଷୀ ସବୁଦିନ ଲ୍ୟାମ୍ପସକୁ ଆସି ଖାଲି ହାତରେ ଫେରୁଥିଲେ। ଏହା ପୂର୍ବରୁ ମଧ୍ୟ ସମ୍ବାଦରେ ମାଥିଲି ଲ୍ୟାମ୍ପସରେ ହେଉଥିବା ଦୁର୍ନୀତି ସଂପର୍କରେ ପ୍ରକାଶ କରାଯାଇଥିଲା। ଲ୍ୟାମ୍ପସ କର୍ତ୍ତୃପକ୍ଷ ଚାଷୀଙ୍କୁ ଗୋଟିଏ ସାର ବସ୍ତା ଦେଇ ୬ଟି ବର୍ଷା ଖାତାରେ ଦର୍ଶାଉଥିଲେ। ଏସବୁ ସାହ ସିଧାସଳଖ ଦୋକାନକୁ ଯାଉଥିଲା।

ତେବେ ଏଥିରେ କିଛି ପ୍ରଭାବଶାଳୀଙ୍କ ହାତ ରହିଥିବା ଅଭିଯୋଗ ହୋଇଥିଲା। ଯେଉଁମାନେକି ୨୦୦ରୁ ୩୦୦ ବସ୍ତା ଲେଖାଏଁ ସାର ନେଇଯାଇଥିବା ଚାଷୀ ଅଭିଯୋଗ କରିଥିଲେ। ଆଜି ସକାଳରୁ ହିଁ ରାସ୍ତାକୁ ଅବରୋଧ କରି ଲ୍ୟାମ୍ପସ ଏବଂ ଦୋକାନୀ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ପର୍ଦାଫାସ କରାଯାଇଥିଲା। ଲ୍ୟାମ୍ପସରେ ଚାଷୀ ତାଲା ଠୁଙ୍କି ଦେଇଥିଲେ। ସାର ନମିଳିବା ପର୍ଯ୍ୟନ୍ତ ଚାଷୀ ରାସ୍ତାରୁ ହଟିବେ ନାହିଁ ବୋଲି ସିଧା ସିଧା କହୁଥିଲେ। କିନ୍ତୁ ପୁଲିସ ଓ ପ୍ରଶାସନ ପହଞ୍ଚି ଚାଷୀଙ୍କୁ ବହୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀ ନିଜ ଜିଦରେ ଅଟଳ ରହିଥିଲେ। ଏପରିକି ବିଡିଓ  ପ୍ରୋମଦ କୁମାର ବେହେରା ଏବଂ ତହସିଲଦାର ପହଞ୍ଚି ଲୋକଙ୍କୁ ଯେତେ ବୁଝାଇଲେ ମଧ୍ୟ ଲୋକେ ବୁଝିନଥିଲେ।

ଆସନ୍ତା ୭ ଦିନ ମଧ୍ୟରେ ଚାଷୀଙ୍କ ନିକଟରେ ସାର ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ଧାରଣାରୁ ହଟିଥିଲେ। ତେବେ ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଚାଷୀ ରାଜରାସ୍ତାକୁ ଅବରୋଧ କରିଥିଲେ। କିନ୍ତୁ ଅନ୍ୟଦିଗରେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦା କିନ୍ତୁ ଚାଷୀଙ୍କୁ ସରକାର ଠକୁଥିବା ନେଇ ଅଭିଯୋଗ କରିବା ସହ ଆଗାମୀ ଦିନରେ ଯଦି ଚାଷୀଙ୍କୁ ସାର ନମିଳେ ତେବେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଆଦିବାସୀ ସଂଘର ନେତା ବନ୍ଧୁ ମୁଦୁଲି, ଘନଶ୍ୟାମ ମାଡକାମୀ ପ୍ରମୁଖ ମଧ୍ୟ ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଥିଲେ। ଏପଟେ ଧାନ ଗଛ ମରିବା ଉପରେ ହେଲାଣି। ତୁରନ୍ତ ସାର ଦରକାର। ଦୋକାନମାନଙ୍କରେ ୫ ଗୁଣ ଦାମ ପଡୁଥିବାରୁ ଚାଷୀ ଏତେ ଟଂକା ଦେଇ ସାର କିଣିବା ପାଇଁ ଆର୍ଥିକ ସମ୍ବଳ ନଥିବା କହିଥିଲେ। 

ଡିଆରସିଏସଙ୍କ ରିପୋର୍ଟ ଅନୁଯାୟୀ ମାଲକାନଗିରି ଲ୍ୟାମ୍ପସକୁ ୪ହଜାର ୧୫ କ୍ବିଣ୍ଟାଲ ସାର ଆସିଥିବା ବେଳେ ଶିଖପାଲୀ ଲ୍ୟାମ୍ପସକୁ ୪ ହଜାର ୧୭ କ୍ବିଣ୍ଟାଲ, ମାଥିଲି ଲ୍ୟାମ୍ପସକୁ ୪ ହଜାର ୩୨ କ୍ବିଣ୍ଟାଲ, ପଡିଆ ଲ୍ୟାମ୍ପସକୁ ୪ ହଜାର ୮୪ କ୍ବିଣ୍ଟାଲ, କାଲିମେଳା ଲ୍ୟାମ୍ପସକୁ ୪୨୮ କ୍ବିଣ୍ଟାଲ, ଗୋବିନ୍ଦପାଲ୍ଲୀ ଲ୍ୟାମ୍ପସକୁ ୪ ହଜାର ୬୪ କ୍ବିଣ୍ଟାଲ, କୁଡୁମୁଲୁଗୁମ୍ମା ଲ୍ୟାମ୍ପସକୁ ୨ ହଜାର ୮୫ କ୍ବିଣ୍ଟାଲ, କୋରକୋଣ୍ଡା ଲ୍ୟାମ୍ପସକୁ ୫ ହଜାର ୧ କ୍ବିଣ୍ଟାଲ ସାର ପ୍ରଦାନ କରାଯାଇଛି। ତେବେ ଜିଲ୍ଲାରେ ମୋଟ ୩୪ ହଜାର ୩୦ କ୍ବିଣ୍ଟାଲ ସାର ପ୍ରଦାନ କରାଯାଇଛି। ତେବେ ଏତେ ସାର କେଉଁଠିକୁ ଗଲା ତାହାର ସଠିକ ରିପୋର୍ଟ ଲ୍ୟାମ୍ପସ ପାଖରେ ନଥିବା ଜଣାପଡିଛି। ଅନ୍ୟଦିଗରେ ସାର ଗୋଦାମର ଇନଚାର୍ଜଙ୍କୁ ଡିଲରମାନଙ୍କୁ କେତେ ସାର ପ୍ରଦାନ କରାଯାଇଛି ବୋଲି ପଚାରିବାରୁ ସେ କିଛି ସମୟ ଉତ୍ତର ଦେଇନଥିଲେ। ପରେ ପୁଣି ପଚାରିବାରୁ ହୁଏତ ୭୦୦ କ୍ବିଣ୍ଟାଲ ଦିଆଯାଇଥିବା ବୋଲି କହିଥିଲେ। କିନ୍ତୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିନଥିଲେ। କେବଳ ମାଥିଲି ଲ୍ୟାମ୍ପସରେ ନୁହେଁ ବରଂ ଜିଲ୍ଲାର ସମସ୍ତ ଲ୍ୟାମ୍ପସରେ ଚାଷୀ ଲ୍ୟାମ୍ପସକୁ ଘେରିବା ସହ ସାର ପାଇଁ ଦାବି କରିଥିଲେ। ତୁରନ୍ତ ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ଚାଷୀଙ୍କୁ ସାର ପ୍ରଦାନ କରିବାରେ ସହଯୋଗ କରିବେ ବୋଲି ଦାବି କରାଯାଇଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe