Father killed by son. Photograph: (sambad.in)
ଯୁଯୁମୁରା: ପୁଅ ଭୁଲିଗଲା ପିଲାଦିନର କଥା। ଭୁଲିଗଲା ବାପା‘-ମା’ର ସ୍ନେହ-ମମତା। ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା-ମା’ଙ୍କୁ ଏକ ଲୁହାରଡ୍ରେ ନିସ୍ତୁକ ମାଡ଼ ମାରିଛି। ଏଥିରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁରେ ଏହି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ଉକିଆ ମଲ୍ଲିକ(୭୨) ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ବାଳକୃଷ୍ଣ(୪୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁର ଗୟା ମଲ୍ଲିକଙ୍କ ୪ ଝିଅ ଓ ଦୁଇ ପୁଅ। ସମସ୍ତ ପୁଅ-ଝିଅଙ୍କର ବିବାହ ସରିସାରିଛି। ତେବେ ପାରିବାରିକ ସମସ୍ୟା ନେଇ ଆଜି ସାନପୁଅ ବାଳକୃଷ୍ଣ ଆଜି ପୂର୍ବାହ୍ଣରେ ବାପାଙ୍କ ସହିତ ଯୁକ୍ତିତର୍କ କରିଥିଲା। ଏହି ସାମାନ୍ୟ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଉତ୍ତେଜିତ ବାଳକୃଷ୍ଣ ଏକ ଲୁହାରଡ଼ରେ ବାପା ଗୟାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଅ ହାତରୁ ସ୍ବାମୀଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଉକିଆ ଆସିଥିଲେ। ସେ ମଧ୍ୟ ପୁଅର ଆକ୍ରମଣରେ ଲହୁଲୁହାଣ ହୋଇଥିଲେ।
ପଡ଼ୋଶୀ ଲୋକେ ଏହି ଘଟଣାକୁ ନେଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ଗୟାଙ୍କର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଗୁରୁତର ଉକିଆଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସମ୍ବଲପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଉକିଆ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।
ପୁଲିସ ଅଭିଯୁକ୍ତ ବାଳକୃଷ୍ଣକୁ ଅଟକ ରଖିଛି। ଥାନାକୁ ନେଇ ଅଧିକ ପଚରାଉଚରା ସହ ଏକ ମାମଲା ରୁଜୁ କରିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବାଳକୃଷ୍ଣର ମାନସିକ ଅବସ୍ଥା ଭଲ ନଥିଲା। ପୂର୍ବରୁ ମଧ୍ୟ ପରିବାରରେ କଳିଝଗଡ଼ା ଲାଗି ରହିଥାଏ ବୋଲି ପଡୋଶୀ ଲୋକେ କହିଛନ୍ତି।
Sambalpur | Police
Follow Us