ମାଲକାନଗିରି: ଜିଲ୍ଲାରେ ଚାଷୀ ଏବେ ଚାଷ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ଧାନ ଗଛ ବଢ଼ିବା ସହ ସାର ଦରକାର ପଡୁଛି। ଜିଲ୍ଲାରେ ରହିଥିବା ୭ଟି ଯାକ ଲ୍ୟାମ୍ପସରେ ଚାଷୀଙ୍କୁ ଏବେ ସାର ପ୍ରଦାନ କରାଯାଉଛି। ମାଥିଲି ଲ୍ୟାମ୍ପସରେ ସାର ଦୁର୍ନୀତି ଚରମସୀମାରେ ପହଞ୍ଚଛି। ଜିଲ୍ଲାରେ ପ୍ରାୟ ୫ ହଜାର ଚାଷୀ ୟୁରିଆ ସାର ନେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାରେ ୨୦ଟି ପଞ୍ଚାୟତରେ ଲ୍ୟାମ୍ପସ ରହିଥିବା ବେଳେ ୯ ଜଣ ଭିଆଇସି(ଭିଲେଜ ଇନଚାର୍ଜ) ରହିଛନ୍ତି।
ତେବେ ଏହି ଭିଲେଜ ଇନଚାର୍ଜମାନେ ଚାଷୀଙ୍କ ନିଜ ନିଜ ଅଂଚଳରେ ସାର ପ୍ରଦାନ କରିବା କଥା। କିନ୍ତୁ ସତ୍ୟନାରାୟଣ ସ୍ବାଇଁ ନାମକ ଜଣେ ଭିଆଇସି ଦ୍ବାରା ସାର ବଣ୍ଟନ କରାଯାଉଛି। ପୂର୍ବରୁ ଜଣେଜଣେ ଚାଷୀଙ୍କୁ ୩ଟି ଲେଖାଏଁ ୟୁରିଆ ସାର ପ୍ରଦାନ କରାଯାଉଥିଲା। ଏବେ କିନ୍ତୁ ଜଣେଜଣେ ଚାଷୀଙ୍କୁ ଗୋଟିଏ ଲେଖାଏଁ ୟୁରିଆ ସାର ବସ୍ତା ପ୍ରଦାନ କରାଯାଉଛି। କିନ୍ତୁ ଭିଆଇସି ନିଜ କମ୍ୟୁଟରରେ ୬ଟି ଲେଖାଏଁ ସାର ବସ୍ତା ପ୍ରଦାନ କରାଯାଉଥିବା ନେଇ ଲିପିବଦ୍ଧ କରୁଥିବା ଚାଷୀ ଜାଣିବା ପରେ ଉତ୍ତେଜନା ପ୍ରକାଶ ପାଇଛି।
/filters:format(webp)/sambad/media/media_files/2025/08/13/mkg-mathili-lamps-re-sara-durniti-1-2025-08-13-20-27-26.jpg)
ଏହି ଖବର ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ଜାଣିବା ପରେ ମାଥିଲି ଲ୍ୟାମ୍ପସରେ ପହଞ୍ଚି ସଂପୃକ୍ତ ଭିଆଇସି ଶ୍ରୀ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ସ୍ବାଇଁ ଚାଷୀଙ୍କୁ ପୂର୍ବରୁ ଅଫଲାଇନରେ ସାର ପ୍ରଦାନ କରାଯାଇସାରିଛି। ଯାହାକୁ ଏବେ ଅନଲାଇନରେ ଚଡାଯାଉଛି ବୋଲି ଯୁକ୍ତି ବାଢୁଥିଲେ। କିନ୍ତୁ ପ୍ରକୃତରେ କୌଣସି ଚାଷୀ ୬ଟି ଲେଖାଏଁ ସାର ବସ୍ତା ପାଇନଥିବା ଅଭିଯୋଗ କରିଥିଲେ। ତଞ୍ଚକତା କରି ମାଥିଲି ଲ୍ୟାମ୍ପସ ତରଫରୁ ସାର କଳାବଜାରୀ କରାଯାଉଥିବା ସ୍ପଷ୍ଟ ହୋଇଯାଇଛି। ଲ୍ୟାମ୍ପସ କର୍ତ୍ତୃପକ୍ଷ ମିଳିମିଶି ସାର ଦୁର୍ନୀତି କରିଥିବା ଚାଷୀ ଅଭିଯୋଗ କରିଛନ୍ତି।
ଶହଶହ ଚାଷୀ ଆଜି ଲ୍ୟାମ୍ପସ ଘେରିବା ସହ ସେମାନଙ୍କୁ ୬ଟି ଲେଖାଏଁ ସାର ପ୍ରଦାନ କରିବାକୁ ଦାବି କରିଥିଲେ। ଶ୍ରୀ ବୁରୁଦା ମଧ୍ୟ ତୁରନ୍ତ ଚାଷୀଙ୍କୁ ଅନଲାଇନରେ ଯାହା ରେକର୍ଡ କରାଯାଇଛି ତାହା ଦେବାକୁ ଦାବି କରିଥିଲେ। ବର୍ତ୍ତମାନ ମାଥିଲି ଲ୍ୟାମ୍ପସରେ ୪୦୭୨ କ୍ବିଣ୍ଟାଲ ୫୦ କିଲୋ ୟୁରିଆ ସାର ମହଜୁଦ ରହିଥିବା ଜଣାପଡ଼ିଛି। ଏହାର ଉଚିତ ତଦନ୍ତ ହେଲେ ସାର ଦୁର୍ନୀତିର ପର୍ଦାଫାସ ହୋଇପାରିବ ବୋଲି ଚାଷୀ ଦାବି କରିଛନ୍ତି।
ସାର ବସ୍ତା ପିଛା ୨୬୬ ଟଙ୍କା ହୋଇଥିବା ବେଳେ ଲ୍ୟାମ୍ପସ ତରଫରୁ ୨୮୦ ଟଙ୍କା ଦାବି କରାଯାଉଛି। ବଳକା ୧୩ ଟଙ୍କା ଲୋଡିଂ ଏବଂ ଅନଲୋଡିଂ ବାବଦକୁ ଖର୍ଚ୍ଚ ବୋଲି କୁହାଯାଉଛି। ଜଣେଜଣେ ଚାଷୀଙ୍କୁ ଅତି କମରେ ୪ଟି ୟୁରିଆ ସାର ଦରକାର ପଡୁଥିବା ବେଳେ ମାତ୍ର ଗୋଟିଏ ୟୁରିଆ ସାର ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ପୁଣି ଦୁରଦୁରାନ୍ତରରୁ ଆସୁଥିବା ଚାଷୀ ବହୁ ହଇରାଣ ହେଉଥିବା କହିଥିଲେ। ତେବେ ଏନେଇ ଲ୍ୟାମ୍ପସର ପରିଚାଳନା ନିର୍ଦେଶିକା କିନ୍ତୁ ଚୁପ ରହିଥିଲେ। ତେବେ ସାର ଦୁର୍ନୀତିର ଉଚିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
Malkangiri
Follow Us