FIR in Malkangiri police station Photograph: (sambad.in)
ମାଲକାନଗିରି: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗତ ୧୫ ତାରିଖ ଦିନ ସଂଧ୍ୟାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ନେଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ମାଲକାନଗିରି ଥାନାରେ ଏତଲା ହୋଇଛି। ଘଟଣା ଦିନ ଶିଶୁକନ୍ୟାର ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ଆଣିଥିଲେ।
ସୂଚନା ଅନୁସାରେ ଝିଅର ମୁଣ୍ଡରେ ଆଘାତ ଲାଗିବାରୁ ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲକୁ ଆଣିଥିଲେ। ମେଡିକାଲରେ ଝିଅର ଚିକିତ୍ସାରେ ଡାକ୍ତର ଅବହେଳା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଡାକ୍ତର ସପନ କୁମାର ଦିଣ୍ଡାଙ୍କୁ ମଧ୍ୟ ପରିବାର ଏବଂ ତାଂକ ସଂପର୍କୀୟମାନେ ହାତାହାତି କରିଥିବା ଡାକ୍ତରଖାନା ପକ୍ଷରୁ ଅଭିଯୋଗ ହୋଇଥିଲା।
ଆଜି ଡାକ୍ତର ସପନ କୁମାର ଦିଣ୍ଡା ମାଲକାନଗିରି ଥାନାରେ ଡିଏଚଏଚର ସମସ୍ତ କର୍ମଚାରୀଙ୍କ ସହ ପହଞ୍ଚି ଏତଲା ଦାୟର କରିଥିଲେ। ଏତଲାରେ ସେ ଦର୍ଶାଇଥିଲେ ଯେ ସେ ନିଜେ ଆହତ କୁନି ଝିଅର ଚିକିତ୍ସା କରିଛନ୍ତି। ଝିଅର ଅବସ୍ଥା ଗୁରୁତର ଥିବା ପରିବାର ଲୋକଙ୍କୁ ମଧ୍ୟ ଜଣାଇଛନ୍ତି।
ତେବେ ଏହାକୁ ନେଇ ପରିବାର ଲୋକେ ତାଂକୁ ଗାଳିଗୁଲଜ କରିବା ସହ ହାତାହାତି କରିଥିବା ଏତଲାରେ ଦର୍ଶାଇଛନ୍ତି। ସେ ପୁଣି ଉଲ୍ଲେଖ କରିଛନ୍ତି ଯେ ଆହତ ଝିଅଟି ଡାକ୍ତରଖାନାରେ ପହଞ୍ଚିବା ପରେ ତାଂକୁ ପ୍ରଥମେ ଅନ୍ୟ ଜଣେ ଡାକ୍ତର ଚିକିତ୍ସା କରିଥିଲେ। ସେତେବେଳେ ସେ ମଧ୍ୟ ଝିଅର ଅବସ୍ଥା ଗୁରୁତର ଥିବା କହିଥିଲେ। ମୁଣ୍ଡରେ ଭୀଷଣ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଡାକ୍ତର ସେତେବେଳେ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ଡାକ୍ତରଙ୍କ ଦୋଷ ବୋଲି କହି ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ଡାକ୍ତର ଶ୍ରୀ ଦିଣ୍ଡା ନିଜ ପ୍ରତି ବିପଦ ଥିବା ନେଇ ସେ ପୁଲିସକୁ ଜଣାଇଥିଲେ।
ବାହାର ଯାଉଥିବା ବେଳେ ହୁଏତ ପରିବାର ଲୋକେ ଆକ୍ରମଣ କରିପାରିନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ତେବେ ଏତଲା ପାଇବା ପରେ ଆଇଆଇସି ରିଗାନ କିଣ୍ଡା ତଦନ୍ତ କରୁଥିବା ଜଣାପଡିଛି।
Malkangiri
Follow Us