ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ପୁଣି ଥରେ ଗୁଳିମାଡ଼ ହୋଇଛି। ସେକ୍ଟର-୪ ଡାକଘର ସମ୍ମୁଖରେ ଶନିବାର ରାତିରେ ଗୁଳିକାଣ୍ଡ ଘଟିଛି। ଜଣେ ବ୍ୟକ୍ତି କାର ଚଳାଉଥିବା ବେଳେ ଦୁବୃର୍ତ୍ତମାନେ ଫାୟରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଯୁବକଙ୍କ ବେକରେ ଗୁଳିଚୋଟ ଲାଗିଥିବା ବେଳେ ତାଙ୍କୁ ଆଇଜିଏଚ୍କୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ବିଜୟ ଲାକ୍ରା।
ସେକ୍ଟର-୩ ଥାନା ଅଂଚଳ ଦେଇ କୁଆଁରମୁଣ୍ଡା ଅଞ୍ଚଳର ବିଜୟ ଲାକ୍ରା ଏକ କାରରେ ଯାଉଥିଲେ। ପୂର୍ବରୁ ଯୋଜନା କରିଥିବା ଦୁର୍ବୃତ୍ତମାନେ ସେକ୍ଟର-୪ ଡାକଘର ସମ୍ମୁଖରେ ଗୁଳିକାଣ୍ଡ କରିଥିଲେ। ଯୁବକଙ୍କ ବେକରେ ଗୁଳିଚୋଟ ଲାଗିଥିବା ବେଳେ ତାଙ୍କୁ ଆଇଜିଏଚ୍କୁ ସ୍ଥାନାନ୍ତରିତ କରାଯାଇଛି।
ଗୁଳିବାଜିବା ପରେ କାର୍ ଚାଳକ ବିଜୟ ଲାକ୍ରା ନିୟନ୍ତ୍ରଣ ହରାଇଥିଲେ। କାର୍ଟି ସେକ୍ଟର-୪ ଏ/୩୦ଘର ପାଚେରୀ ଭାଙ୍ଗି ପଶିଯାଇଛି। ସେକ୍ଟର-୩ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ କହିଛନ୍ତି, ଦୁର୍ବୃତ୍ତମାନେ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୨ ତାରିଖରେ ୟୁଥ ହଷ୍ଟେଲ ରାଉରକେଲା ଶାଖା ପକ୍ଷରୁ ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଆୟୋଜିତ ମିନି ମାରାଥନ ଚାଲଥିବା ବେଳେ ସେଠାରେ ସଲିଲ ସାହୁ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିଲାl ତାଙ୍କ ଛାତିରେ ଗୁଳି ବାଜିଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା।
Follow Us