ଗଂଜେଇ ଚାଳାଣକାରୀଙ୍କ ଠାରୁ ଲୁଟି ୫ ଅଭିଯୁକ୍ତ ଗିରଫ

କୋରାପୁଟ ଟାଉନ୍ ପୁଲିସ ଗଂଜେଇ ଚାଳାଣକାରୀ ଜଣେ ମହିଳା ଓ ଜଣେ ପୁରୁଷଙ୍କ ସହ ଲୁଟରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୁଲିସ ୩୪କିଲୋ ୫୦୦ଗ୍ରାମ ଗଂଜେଇ, ୫ଟି ମୋବାଇଲ୍ ଫୋନ, ୬୬୦ଟଙ୍କା ଓ ଗୋଟିଏ ଅଟୋକୁ ଜବତ କରିଛି। ଏହା ସହ ଏହି ମାମଲାରେ ୫ଜଣଙ୍କୁ ଆଜି ସଂଧ୍ୟାରେ କୋର୍ଟକୁ ଚାଳାଣ କରିଛି।

kt

କୋରାପୁଟ: ଗତ ୧୮ତାରିଖ ଅର୍ଦ୍ଧରାତ୍ର ସାଢ଼େ ୨ଟାରୁ ୩ଟା ମଧ୍ୟରେ ୨ଗଂଜେଇ ଚାଳାଣକାରୀଙ୍କ ଠାରୁ ଜଣେ ଅ‌ଟୋ ଡ୍ରାଇଭର ଓ ତାଙ୍କ ୨ସହଯୋଗୀ ଲୁଟ କରି ଫେରାର ହୋଇଥିଲେ। ଏହି ମାମଲାରେ କୋରାପୁଟ ଟାଉନ୍ ପୁଲିସ ଗଂଜେଇ ଚାଳାଣକାରୀ ଜଣେ ମହିଳା ଓ ଜଣେ ପୁରୁଷଙ୍କ ସହ ଲୁଟରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ପୁଲିସ ୩୪କିଲୋ ୫୦୦ଗ୍ରାମ ଗଂଜେଇ, ୫ଟି ମୋବାଇଲ୍ ଫୋନ, ୬୬୦ଟଙ୍କା ଓ ଗୋଟିଏ ଅଟୋକୁ ଜବତ କରିଛି। ଏହା ସହ ଏହି ମାମଲାରେ ୫ଜଣଙ୍କୁ ଆଜି ସଂଧ୍ୟାରେ କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ଭବାନୀ ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ତାରିଖ ଦିନ ରାତି ସାଢ଼େ ୨ଟାରୁ ୩ଟା ବେଳେ କୋରାପୁଟ ରେଳଷ୍ଟେସନ ନିକଟରେ ଗଂଜେଇ ଚାଳାଣକାରୀ ଅଭିଯୁକ୍ତ ଦ୍ବୟ ନୂଆଦିଲ୍ଲୀର ଆଲକାମସ୍ ବାନୋ(୨୧) ଓ ହେମସିଂ ମୌର୍ଯ୍ୟା(୨୩) ୨ଟି ବ୍ୟାଗ ଧରି ରାତ୍ରଯାପନ କରିବା  ପାଇଁ ଲଜ୍ ଖୋଜୁଥିଲେ। ଏହି ସମୟରେ ଅଭିଯୁକ୍ତ ମୋହନ ନାଗ ନିଜ ଅଟୋରେ ଏମାନଙ୍କୁ ଲଜକୁ ନେବାକୁ କହି ଉମୁରୀ-ଛପର ରାସ୍ତାର ନିଛାଟିଆ ସ୍ଥାନକୁ ନେଇଥିଲେ। ବାଟରେ ନିଜ ଅନ୍ୟ ଦୁଇ ସହଯୋଗୀ ଅଭିଯୁକ୍ତ ଟିକିରାମ ହରିଜନ, ରୁପନ୍ତର ରାଟିଙ୍କୁ ଫୋନ କରି ଡାକିଥିଲେ। ତିନି ଜଣ ମିଶି ଏହି ନିଛାଟିଆ ଛପର ରାସ୍ତାରେ ସେମାନଙ୍କ ଦୁଇଟି ବ୍ୟାଗ୍, ୨ଟି ମୋବାଇଲ ଫୋନ ଓ ୧୨ହଜାର ଟଙ୍କା ଲୁଟ କରି ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ।

କିଛି ଲୋକେ  ଉଭୟଙ୍କୁ ସଂଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖି ପୁଲିସର ୧୧୨ନମ୍ବରରେ ଫୋନ କରି ଜଣାଇଥିଲେ। ପୁଲିସ ସବଇନିସପେକ୍ଟର ଲତିକା ବୈଦ୍ୟ ଆଲକାମସ୍ ଓ ମୌର୍ଯ୍ୟାକୁ ଥାନାକୁ ଆଣିଥିଲେ। ଥାନା‌ରେ ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ରଂଜିତ ମିଶ୍ର ଓ ସବଇନିସପେକ୍ଟର ଲତିକା ଏମାନଙ୍କୁ ପଚରାଉଚାରା କରିବାରେ ସେମାନେ ଅଟୋଚାଳକଙ୍କ ଦ୍ବାରା ଲୁଟର ଶୀକାର ହେବା ସମ୍ପର୍କରେ କହିଥିଲେ। ପରେ ପଚାରୁପଚାରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉଭୟ ଗଂଜେଇ ଚାଳାଣ କରିବାକୁ ଆସିଥିବା କହିଥିଲେ।

ଏଥି ପୂର୍ବରୁ ବି ଏମାନେ ଏଠାକୁ ଆସି ରେଳଷ୍ଟେସନ୍ ନିକଟରୁ ଗଂଜେଇ ନେଇ ଦେଶର ରାଜଧାନୀ ଦିଲ୍ଲୀ ଯାଇଥିବା ସ୍ବୀକାର କରିଥିଲେ। ଏମାନଙ୍କ ବୟାନମୁତାବକ ବସଷ୍ଟାଣ୍ଡ ଅଂଚଳରୁ ପୁଲିସ ପ୍ରଥମେ ଅଟୋଚାଳକ ଅଭିଯୁକ୍ତ ମୋହନଙ୍କୁ ଧରିଥିଲେ। ମୋହନ ଲୁଟ କରିଥିବା ମାନିବା ସହ ତା ସହ ଭାଣ୍ଡିସାହିର ରୁପାନ୍ତର ଓ ବିସିଂପୁର ଥାନା ଅର୍ନ୍ତଗତ ରାଣୀଗଡର ଟିକିରାମ ଲୁଟରେ ସହଯୋଗ କରିଥିବା କହିଥିଲେ। ପୁଲିସ ଏହି ତିନି ଜଣଙ୍କୁ ଆଣିବା ପରେ ଏମାନଙ୍କ ଠାରୁ ଲୁଟ୍ ହୋଇଥିବା ୨ଟି ବ୍ୟାଗ୍ ଉଦ୍ଧାର କରିଥିଲେ। ଗୋଟିଏ ବ୍ୟାଗରେ ୩୪କିଲୋ ୫୦୦ଗ୍ରାମ ଗଂଜେଇ ମିଳିଥିଲା। ଏହା ସହ ଲୁଟ ଅଭିଯୁକ୍ତଙ୍କ ଠାରୁ ୬୬୦ଟଙ୍କା ୫ଟି ମୋବାଇଲ୍ ଫୋନ ଜବତ କରିଛି ପୁଲିସ। ଉଭୟ ମାମଲାରେ ୫ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଛି। ଗଂଜେଇ ଚାଳାଣକାରୀ ମାନେ କାହା ଠାରୁ ଗଂଜେଇ ନେଇ ଦେଶର ରାଜଧାନୀ ଦିଲ୍ଲୀ ଯାଉଥିଲେ ତା ସମ୍ପର୍କରେ କିଛି କହିନଥିବା କହିଛନ୍ତି ଥାନା ଅଧିକାରୀ। ଡାଏଲ କରିଥିବା ଫୋନନମ୍ବରକୁ ଡିଲିଟ୍ କରିଦେଇଥିବା କହିଛନ୍ତି ଥାନା ଅଧିକାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe