Mohan Charan Majhi Photograph: (sambad.in)
ଭୁବନେଶ୍ୱର: ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ। ଏହାସହିତ ଘରକୁ ରେସନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଗହମ ପ୍ରଦାନ କରାଯାଇଥାଏ। ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯାଇଥାଏ। ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନ ଥିଲା। ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି ।
ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟ ମାନେ ଦାବୀ କରିପାରିବେ ନାହିଁ। କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟ ମାନଙ୍କ ପାଇଁ ଏହା ଲାଗୁ ହେବ।
ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟ ମାନଙ୍କୁ ନିୟୋଜିତ କରାଯିବ, ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ। ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ।
Follow Us