ଦେବଗଡ଼: ଏମିତି ବି ମୃତ୍ୟୁ ଆସେ। ଫୁଟବଲ ଖେଳୁଥିବାବେଳେ ଚାଲିଗଲା ଖେଳାଳିଙ୍କ ଜୀବନ। ମୃତକ ହେଲେ ପୌରାଚଂଳର ଭୂୟାଁ ସାହିର ପ୍ରକାଶ ନାଏକ(୩୩)। ସେ ୨ ନମ୍ବର ୱାର୍ଡ ନିବାସୀ ଥିଲେ।
ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦ ପକ୍ଷରୁ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୨୧ ତାରିଖରୁ କାଉନସିଲର କପ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆଜି ୱାର୍ଡନଂ -୨ ସହିତ ୱାର୍ଡ ନଂ-୭ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତେବେ ମ୍ୟାଚ ଚାଲିଥିବାବେଳେ ପ୍ରକାଶ ହଠାତ ଖସିପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ଖବରପାଇ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଘଟଣାସ୍ଥଳରେ ପଂହଚି ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଖେଳ ହେଉଥିବା ସ୍ଥାନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ ପୌର ପରିଷଦ ପକ୍ଷରୁ ୧୦ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।
ସୂଚନାପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Deogarh | Sports
Follow Us