ଉଗ୍ରରୂପରେ ବନାଗ୍ନି: ପୋଡୁ-ମକା ଚାଷ ପାଇଁ ଜଙ୍ଗଲ ଲଗାଉଛନ୍ତି ନିଆଁ

ଖରାର ପ୍ରକୋପ ବଢ଼ି ଚାଲିଛି। ତାପ ମାତ୍ରା ବି ବଢ଼ୁଛି। ଅପରପକ୍ଷରେ ଯେତେ ବନସୁରକ୍ଷା ସମିତି କରି ସଚେତନ କରିବା ବାଦ୍‌ ବି ଜଙ୍ଗଲପାର୍ଶ୍ବ ଗ୍ରାମାଂଚଳର ଲୋକେ ସଚେତନ ହେବାର ନାଁ ନେଉନାହାନ୍ତି।

କୋରାପୁଟ: ଖରାର ପ୍ରକୋପ ବଢ଼ି ଚାଲିଛି। ତାପ ମାତ୍ରା ବି ବଢ଼ୁଛି। ଅପରପକ୍ଷରେ ଯେତେ ବନସୁରକ୍ଷା ସମିତି କରି ସଚେତନ କରିବା ବାଦ୍‌ ବି ଜଙ୍ଗଲପାର୍ଶ୍ବ ଗ୍ରାମାଂଚଳର ଲୋକେ ସଚେତନ ହେବାର ନାଁ ନେଉନାହାନ୍ତି। ପୋଡୁଚାଷ ଓ ମକାଚାଷ ପାଇଁ ବ୍ୟାପକ ଭାବେ ଛୋଟ ବଡ ଜଙ୍ଗଲ, ପାହାଡ଼ରେ ନିଆଁ ଲଗାଉଛନ୍ତି। ଜଙ୍ଗଲରେ ଡାଳପତ୍ର ଶୁଖିଲା ପଡ଼ିଥିବାରୁ କେଉଁଠି ଟିକେ ନିଆଁ ଲାଗିଗଲେ ଏହା ବ୍ୟାପିବା ସହ ବ୍ୟାପକ ହେଉଛି। ଏପରିକି ନିଆଁ ଲିଭାଇବାକୁ ଥିବା ସ୍ବତନ୍ତ୍ର ଅଗ୍ନିନିରୋଧକ ମଂଚ ବି ଫେଲ୍ ମାରିଛି। 

ଚଳିତବର୍ଷ କୋରାପୁଟ ବନଖଣ୍ଡରେ ଜାନୁଆରିରୁ ଅପ୍ରେଲ ୪ ତାରିଖ ଯାଏଁ ୬୨୧ଟି ଓ ଜୟପୁର ଉପଖଣ୍ଡରେ ୬୧୭ଟି ସ୍ଥାନରେ ନିଆଁ ଲାଗି ସାରିଲାଣି। ଦିନକୁ ୩୦ଟି ସ୍ଥାନରେ ନିଆଁ ଲାଗୁଛି। ଏପରିକି ଛୋଟ ବଡ଼ ପାହାଡ଼ରେ ନିଆଁ ଲଗାଉଥିବାରୁ ପାରାସ୍କ୍ବାର୍ଡ, ନିଆଁ ଲିଭା ଦଳ ପାହାଡ ଉପରକୁ ଯାଇ ଲିଭାଇ ତଳକୁ ଫେରିବା ବେଳକୁ ପୁଣି ଲାଗୁଛି। ନିଆଁ ଲିଭାଇ ଲିଭାଇ ନାକେଦମ୍ ହୋଇ ପଡ଼ିଛି ବନବିଭାଗ। ଗତକାଲି ଓ ଆଜି ୫୨ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି।

publive-image

ଗତ ଫେବ୍ରୁଆରି ଠାରୁ ଆଜି ଯାଏଁ ସର୍ବାଧିକ କୋରାପୁଟ ଡିଭିଜନର ନାରାୟଣପାଟଣା ୪୦୩, ଲକ୍ଷ୍ମୀପୁର ୧୦୦, ସେମିଳିଗୁଡା ୬୦, କୋରାପୁଟ ଓ ଲମତାପୁଟ ୨୦, ବାଲଦା ୧୮, ଜୟପୁର ଡିଭିଜନର ବୋରିଗୁମ୍ମା  ୧୮୯ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜୟପୁର ୧୨୧, ଗୁପ୍ତେଶ୍ବର ୧୦୦ଟି, କୁନ୍ଦ୍ରା ୭୦, କୋଟପାଡ ୮୭ ଓ ବୈପାରୀଗୁଡା ରେଞ୍ଜରେ ୫୦ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରିଥିବା ଉଭୟ ଡିଭିଜନରୁ ସୂଚନା ମିଳିଛି।

ପ୍ରତିଦିନି ନିଆଁ ଲାଗିବା ଏବଂ ଲିଭାଇବା ପ୍ରକ୍ରିୟାରେ କର୍ମଚାରୀମାନେ ହନ୍ତସନ୍ତ ହୋଇ ପଡ଼ୁଥିବା କହିଛନ୍ତି କୋରାପୁଟ ରେଂଜର ଏସକେ ପାହାଡସିଂ। ଲିଭାଇକି କର୍ମଚାରୀ ମାନେ ଆସିବା ମାତ୍ରକେ ପୁଣି ଲୋକେ ନିଆଁ ଲଗାଉଛଥିବାରୁ ଏହା ବନ୍ଦ ହେବା ନାଁ ନେଉନି ବୋଲି କହିଛନ୍ତି ରେଂଜର ମାନେ। ଯେତେ ବନସୁରକ୍ଷା ସମିତି ଗଠନ କରି ସଚେତନତା ସୃଷ୍ଟି କରିବା ବାଦେ ମଧ୍ୟ ଜାଳେଣୀ କାଠ ଓ ପଢ଼ୁଚାଷ କରିବା ପାଇଁ ନିଆଁ ଲଗାଉଛନ୍ତି ବୋଲି କହିଛନ୍ତି ରେଂଜର। ବନାଗ୍ନି ଏହାକୁ ରୋକିବା ପାଇଁ କରାଯାଇଥିବା ଅଗ୍ନିନିରୋଧକ ମଂଚା କେଉଁ କାମ ପାଇଁ ଲାଗିଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ସେଠାରେ କେହି ବି ରହୁନଥିବା ବେଳେ ଦିନର ୨୪ଘଣ୍ଟା ଖୋଲାମେଲା ରହୁଛି। ରେଂଜରମାନଙ୍କୁ ପଚାରିଲେ ବନାଗ୍ନି ରୋକୁଥିବା କର୍ମଚାରୀ ଓ ୱାଚମ୍ୟାନ୍ ମାନଙ୍କ ବିଶ୍ରାମ ପାଇଁ କରାଯାଇଛି ବୋଲି କହିଛନ୍ତି କୋରାପୁଟ ରେଂଜର। ଅଯଥାରେ ଏହା କରି ସରକାର ଅର୍ଥ ନଷ୍ଟ ହୋଇଛି ବୋଲି ପରିବେଶବିତ୍‌ମାନେ କହୁଛନ୍ତି। 

Forest | Fire | Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe