Manish Agrawal Photograph: (sambad.in)
ମାଲକାନଗିରି: ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଆଜି ଆତ୍ମସମର୍ପଣ କରିବା ପରେ କୋର୍ଟ ତାଂକୁ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ ଅଗ୍ରୱାଲ ଲୁଚିଛପି କୋର୍ଟରେ ହାଜର ହୋଇଥିଲେ ବୋଲି ଚର୍ଚ୍ଚା ହେଉଛ। ସେ କୋର୍ଟରେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ କେହି ସୁରାକ ପାଇପାରିନଥିଲେ। କେବଳ ତାଂକର ଓକିଲମାନେ ହିଁ ଏ ସଂପର୍କରେ ଅବଗତ ଥିଲେ। କିନ୍ତୁ ମନୀଷ ଅଗ୍ରୱାଲ ଆତ୍ମସମର୍ପଣ କରୁଥିବା ନେଇ ଖବର ପ୍ରଚାର ହେବା ପରେ କୋର୍ଟରେ ଭିଡ଼ ଲାଗିଥିଲା।
ଶ୍ରୀ ଅଗ୍ରୱାଲ ଆତ୍ମସମର୍ପଣ ନକରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଂକୁ ତୁରନ୍ତ ଏସଡିଜେଏମ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନି ସେ ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଂକ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ୫୦ ହଜାର ଲେଖାଏଁ ଦୁଇଟି ମୁଚାଲିକାରେ ତାଂକୁ ଜାମିନ ପ୍ରଦାନ କରାଯାଥିଲା।
ଜାମିନ ମିଳିବା ପରେ ମନୀଷ ଅଗ୍ରୱାଲ ଗଣମାଧ୍ୟମ ଆଗରେ କିଛି କହିନଥିଲେ। ଚୁପଚାପ ଗାଡ଼ିରେ ବସି ଚାଲିଯାଇଥିଲେ। ତାଂକ ଓକିଲ ନୃସିଂହ ଚରଣ ମହାନ୍ତି କିନ୍ତୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରକାଶ କରିଥିଲେ ଯେ ଶ୍ରୀ ଅଗ୍ରୱାଲ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ଶ୍ରୀ ଆଗ୍ରୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି।
ତେବେ ମାମଲାକୁ ନେଇ ପ୍ରଶ୍ନ କରାଯିବାରୁ ଓକିଲ ଶ୍ରୀ ମହାନ୍ତି କେଶ ଚାଲିବ ବୋଲି କହିଥିଲେ। ଅନ୍ୟଦିଗରେ ବରିଷ୍ଠ ଓକିଲ ଗୋବିନ୍ଦ ପାତ୍ର କିନ୍ତୁ ଶ୍ରୀ ଅଗ୍ରୱାଲଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ଶ୍ରୀ ଅଗ୍ରୱାଲ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଥିବା ବେଳେ କାହାରିକୁ ଭଲ ବ୍ୟବହାର ପ୍ରଦର୍ଶନ କରିନଥିଲେ। ସମସ୍ତଙ୍କୁ ଖରାପ ବ୍ୟବହାର ସହ କୋର୍ଟକୁ ଏବଂ ଓକିଲମାନଙ୍କୁ ସେ ଗଣତିରେ ନେଉନଥିଲେ। ଏବେ ସେ ଉଚିତ ଶିକ୍ଷା ପାଇଛନ୍ତି। ସେ ଆତ୍ମସମର୍ପଣ କରିବା ଏବଂ ଜାମିନରେ ଯିବା ହିଁ ତାଂକ ପାଇଁ ବଡ଼ କଥା ବୋଲି କହିଥିଲେ। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଓକିଲ ଶ୍ରୀ ପାତ୍ର ଦୋହରାଇଥିଲେ। ଏହି କେଶରେ ଖଲାସ ହୁଅନ୍ତୁ କି ନହୁଅନ୍ତୁ କିନ୍ତୁ ଆଇନକୁ ସର୍ବଦା ମର୍ଯ୍ୟାଦା ଦେବାକୁ ପଡ଼ିବ ବୋଲି କହିଥିଲେ।
Malkangiri
Follow Us