ତିନି ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ଶାନ୍ତ, ସରଳ ଓ ଶୃଙ୍ଖଳିତ ଜୀବନଯାପନ କରୁଥିବା ‌କୋରାପୁଟ ସହରର ଲୋକେ ଆଉ ସୁରକ୍ଷିତ ନାହାନ୍ତି। ଚେନ୍‌ ଲୁଟେରାମାନେ ସକାଳୁଆ ବୁଲିଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ସୁଯୋଗ ମିଳିଲା ପରେ ଦୁର୍ବୃତ୍ତମାନେ ସୁନା ଚେନ୍‌ ଲୁଟ୍‌ କରି ଫେରାର ହୋଇଯାଉଛନ୍ତି।

loot gold chain

କୋରାପୁଟ: କୋରାପୁଟ ସଦର ଓ ଟାଉନଥାନା ଅଂଚଳରୁ ମର୍ଣ୍ଣିଂୱାକରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଥିବା ୨ଟି ଥାନାରେ ୩ଟି ଅଭିଯୋଗ ହୋଇଛି। କୋରାପୁଟ ସଦରଥାନା ଅର୍ନ୍ତଗତ କୋଲାବ ଓସିସି କଲୋନି ନିକଟରେ ସୁବାସିନୀ ଖରାଙ୍କ ବେକରୁ ରବିବାର ସକାଳୁ ଦେଢ଼ ତୁଳା ସୁନାକୁ ତିନି ଜଣ ଦୁର୍ବୁତ୍ତ ବାଇକରେ ଆସି ଝାମ୍ପି ନେଇଥିଲେ। ଏନେଇ ସୁବାସିନୀ କୋଲାବ ପାଣ୍ଡିରେ ଅଭିଯୋଗ କରିବା ପରେ କୋରାପୁଟ ସଦରଥାନାରେ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ରୁନୁ ମାଝୀ।

ରବିବାର ଭୋର ସାଢ଼େ ୫ଟା ବେଳେ କୋରାପୁଟ ସହରର ସିନେମାସାହି ନିକଟରେ ଏନ ସୂଜାତା ନାମକ ମହିଳାଙ୍କ ବେକରୁ ତୁଳେ ଓ ଟିକିରାସାହି ମା’ ମୁତ୍ୟାଲୁମ୍ମା ମନ୍ଦିର ନିକଟରେ ଚନ୍ଦ୍ରମଣି ବେହେରା ନାମକ ମହିଳାଙ୍କ ବେକରୁ ଦୁଇ ତୋଳା ସୁନା ଅଳଙ୍କର ବାଇକରେ ତିନି ଜଣ ଦୁର୍ବୁତ୍ତ ଆସି ଝାମ୍ପି ନେଇଥିବା ଟାଉନଥାନାରେ ଅଭିଯୋଗ କରିଥିବା କହିଛନ୍ତି ଥାନା ଅଧିକାରୀ ଭବାନୀ ପ୍ରଧାନ। ମାମଲାର ତଦନ୍ତ ଆରମ୍ଭ କରିବା ସହ ଉକ୍ତ ଅଂଚଳର ସିସିଟିଭି ଫୁଟେଜ୍ ସଂଗ୍ରହ ଚାଳିଛି ବୋଲି କହିଛନ୍ତି ଟାଉନଥାନାର ଏସଆଇ ରଂଜିତ ମିଶ୍ର।

ଗତ ବର୍ଷକ ତଳେ ବି ଏପରି ମର୍ଣ୍ଣିଂୱାକରେ ଯାଉଥିବା ବହୁ ମହିଳା କୋରାପୁଟ ଓଜୟପୁର ସହରରେ ଏଭଳି ଦୁର୍ବୁତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଥିଲା। ପରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟକୁ ଚାଳାଣ କରିବା ସହ କିଛି ସୁନାଅଳଙ୍କାର ଏହି ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର କରିଥିଲେ। ଉଭୟ ଥାନା ପକ୍ଷରୁ ତ୍ବରିତ ପଦକ୍ଷେପ ନେବାକୁ ଆଇନଜୀବୀମାନେ ଦାବି କରିଛନ୍ତି। ସେଭଳି ଭୋର ସମୟରେ ମର୍ଣ୍ଣିଂୱାକରେ ବାହାରୁଥିବା ମହିଳା ମାନେ ସୁନା ଅଳଙ୍କାର ପିନ୍ଧି ନ ବାହାରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe