ଗୋପାଳପୁର-ସମ୍ବଲପୁର ରେଳପଥ: ଫୁଲବାଣୀ ଦେଇ ବୌଦ୍ଧ ପାଇଁ ହେବ ସର୍ଭେ

ବହୁ ପ୍ରତୀକ୍ଷିତ ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ରେଳ ଲାଇନ ଦ୍ବାରା ସଂଯୋଗ କରିବା ପାଇଁ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

Bhanjanagar

Bhanjanagar Photograph: (sambad.in)

ଭଞ୍ଜନଗର: ବହୁ ପ୍ରତୀକ୍ଷିତ ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ରେଳ ଲାଇନ ଦ୍ବାରା ସଂଯୋଗ କରିବା ପାଇଁ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଉକ୍ତ ରେଳପଥ ନିମନ୍ତେ କେନ୍ଦ୍ର ସରକାର ୨୦୧୦-୧୧ରେ ସର୍ଭେ କରିବା ପାଇଁ ପୂର୍ବତନ ରେଳ ବିଭାଗକୁ ଅନୁମତି ଦେଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଏହା ଶୀତଳଭଣ୍ଡାରରେ ରହିଯାଇଥିଲା। ଏହାପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ଦୀର୍ଘବର୍ଷ ଧରି ଦାବୀ ହୋଇଥିଲା।

ଜୋରଦାର ଆନ୍ଦୋଳନ ପରେ ପ୍ରକଳ୍ପର ଫାଇନାଲ ଲୋକେସନ୍ ସର୍ଭେ ହୋଇଥିଲା। ଏହି ପ୍ରକଳ୍ପ ପୂର୍ବରୁ ଫୁଲବାଣୀ ଦେଇ ଯିବ ବୋଲି ଇଷ୍ଟକୋଷ୍ଟ ପକ୍ଷରୁ ଜାରି କରାଯାଇଥିବା ମ୍ୟାପ୍‌ରେ ଦର୍ଶାଯାଇଥିବା ବେଳେ ପରବର୍ତ୍ତି ସମୟରେ ରେଳଲାଇନ ବଦାଙ୍ଗିରୁ ଚକାପାଦ ରୂପାଝରି ଦେଇ ଯିବା ନେଇ ନିଷ୍ପତି ନିଆଯାଇଥିଲା। ଏହାକୁ ନେଇ ଫୁଲବାଣୀରେ ତୀବ୍ର ବିରୋଧ ମଧ୍ୟ ହୋଇଥିଲା। ବର୍ତ୍ତମାନ ସର୍ଭେରୁ ବାଦ ପଡ଼ିଥିବା ଫୁଲବାଣୀ ସହରକୁ ପୁଣି ରେଳ ଲାଇନ ସଂଯୋଗ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡରୁ ଭାୟା ଫୁଲବାଣୀ ଦେଇ ବୌଦ୍ଧ ପର୍ଯ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଇଂଜିନିୟରିଂ ସର୍ଭେ ରିପୋର୍ଟ,ଏଲାଇଜମେଣ୍ଟ୍ ଡିଜାଇନ ପ୍ରସ୍ତୁତ ପାଇଁ ଟେଣ୍ଡର ଅଫରକୁ ଗ୍ରହଣ କରାଯାଇଛି। ଏଥିସହ ସଂପୂର୍ଣ୍ଣ ରେଳପଥର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ ସହ ବ୍ୟୟ ଅଟକଳ, ଭୂମୀ ଅଧିଗ୍ରହଣ, ଗୋପାଳପୁର ଠାରୁ ରେଢ଼ାଖୋଲ ପର୍ଯ୍ୟନ୍ତ ଇଲେକ୍ଟ୍ରିଫାଇଡ ବିଜି ରେଳଲାଇନ ଆଦି ସଂର୍ପକରେ ରିପୋର୍ଟ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କବିସୂର୍ଯ୍ୟନଗରର ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ପ୍ରକାଶ କରିଛନ୍ତି। 

ଏନେଇ ଓରିଡେଲ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ତାହା ଜାନୁଆରି ମାସରେ ଖୋଲିଛି। ଗତ ମାସ ୨୨ ତାରିଖରେ ଠିକାଦାର ସଂସ୍ଥାକୁ ଚୁକ୍ତି ପାଇଁ ଓରିଡେଲ କମ୍ପାନି ଚିଠି ଲେଖିଛି। ଚୁକ୍ତି ପରେ ଠିକାଦାର ସଂସ୍ଥା ସର୍ଭେ କାମ ଆରମ୍ଭ କରିବ। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ। ଡିପିଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ)କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

 Indian Railways | ganjam | Sambalpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe