ଗ୍ରେଟର୍‌ ରାଉରକେଲା ଏକମାତ୍ର ବିକଳ୍ପ: ଜନସଂଖ୍ୟା ବଢ଼ୁଛି, ଭିତ୍ତିଭୂମି ସ୍ଥାଣୁ

ସ୍ମାର୍ଟସିଟି ରାଉରକେଲାର ଜନସଂଖ୍ୟା କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ତେବେ ସେହି ଅନୁପାତରେ ସୁବିଧାସୁଯୋଗ କିନ୍ତୁ ମିଳୁନି। ଭଡ଼ାଟିଆ ଘରଭଡ଼ା ପାଇଁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ନୂଆ ଶିଳ୍ପକାରଖାନା ବି ସ୍ଥାପନ ହେଉନି।

Rourkela

Rourkela Photograph: (Sambad )

ରାଉରକେଲା: ସ୍ମାର୍ଟସିଟି ରାଉରକେଲାର ଜନସଂଖ୍ୟା କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ତେବେ ସେହି ଅନୁପାତରେ ସୁବିଧାସୁଯୋଗ କିନ୍ତୁ ମିଳୁନି। ଭଡ଼ାଟିଆ ଘରଭଡ଼ା ପାଇଁ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ନୂଆ ଶିଳ୍ପକାରଖାନା ବି ସ୍ଥାପନ ହେଉନି। ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ତଥା ଅନ୍ୟାନ୍ୟ ସଂସ୍ଥାରୁ ଅବସର ନେଉଥିବା ସରକାରୀ ଅଧିକାରୀ ରାଉରକେଲା ଛାଡ଼ୁଛନ୍ତି। ଏସବୁର ମୂଳ କାରଣ ହେଉଛି, ରାଉରକେଲା ସହରର  ଅଭିବୃଦ୍ଧିରେ ସ୍ଥାଣୁତା।

ସଂପ୍ରତି ସହରରେ ବାସଗୃହ ଠାରୁ ଆରମ୍ଭକରି ଶିଳ୍ପକାରଖାନା ସ୍ଥାପନ, ପ୍ରକଳ୍ପ ନିର୍ମାଣ ପାଇଁ ଜମିର ଘୋର୍‌ ଅଭାବ। ଜମିର ଅଭାବଯୋଗୁଁ ସହରର ସଂପ୍ରସାରଣ ସମ୍ଭବ ହେଉନି। ଏବେ ରାଉରକେଲାର ସମଗ୍ର ବିକାଶ ପାଇଁ ‘ଗ୍ରେଟର୍‌ ରାଉରକେଲା’ ଏକମାତ୍ର ବିକଳ୍ପଭାବେ ଉଭା ହୋଇଛି। 

ରାଉରକେଲା ସହର ମୁଖ୍ୟତଃ ଦୁଇ ଭାଗ, ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସହରାଞ୍ଚଳ ଓ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଅଞ୍ଚଳରେ ବିଭକ୍ତ। ଆର୍‌ଏମ୍‌ସି ଅନ୍ତର୍ଗତ ସିଭିଲ ଟାଉନସିପ୍‌, ଛେଣ୍ଡ୍‌, ବାସନ୍ତୀକଲୋନି, ପାନପୋଷ, ଉଦିତନଗର ଆଦି ଅଞ୍ଚଳରେ ଖାଲି ଜମି ନାହିଁ। ପାଖାପାଖି ଗତ ୨ ଦଶନ୍ଧିହେଲା ଏ ଅଞ୍ଚଳରେ ନୂଆ ଘର ନିର୍ମାଣ ହୋଇପାରୁନି। ଅପରପକ୍ଷରେ ଆର୍‌ଏସ୍‌ପି ସହରାଞ୍ଚଳ ଅନ୍ତର୍ଗତ ଜମି, ଆର୍‌ଏସ୍‌ପି ମାଲିକାନାସତ୍ତ୍ବରେ ଥିବାରୁ ଏଠାରେ ରାଜ୍ୟସରକାର ପ୍ରକଳ୍ପ ନିର୍ମାଣ କରିପାରୁନାହାନ୍ତି। ଫଳରେ ଏହି ଅଞ୍ଚଳରେ ବହୁ ପରିମାଣର ଜମି ଖାଲିପଡ଼ିଥିଲେ ସୁଦ୍ଧା ସେଠାରେ ପ୍ରକଳ୍ପ ନିର୍ମାଣ ହୋଇପାରୁନି। ଅବଶ୍ୟ, ଆର୍‌ଏସ୍‌ପିଠାରୁ ଅବ୍ୟବହୃତ ଜମିକୁ ନିଜ ଅକ୍ତିଆରକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଭିତ୍ତିଭୂମି ନିର୍ମାଣ କରାଯାଇପାରିବ। କିନ୍ତୁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି, ଯଦ୍ବାରା ଏଠାରେ ନୂତନ ବାସଗୃହ ତଥା ଅନ୍ୟାନ୍ୟ ସରକାରୀ ପ୍ରକଳ୍ପ ନିର୍ମାଣ ହୋଇପାରୁନି।
ସହରରେ ନୂଆ ଘର ନିର୍ମାଣ ପାଇଁ ଜମିଅଭାବ ଦେଖାଦେଉଥିବାରୁ, ଲୋକେ ସହର ଛାଡ଼ି ଅନ୍ୟତ୍ର ଘର ନିର୍ମାଣ କରିବାକୁ ବାଧ୍ୟ ହେଉଛନ୍ତି। ରାଉରକେଲାର ପୂର୍ବ ଗୌରବ ଫେରିପାଇବାକୁ ସହର ସଂପ୍ରସାରଣ ବା ଗ୍ରେଟର୍‌ ରାଉରକେଲା ଏକାନ୍ତ ଜରୁରୀ। ସହର ସଂଲଗ୍ନ ଅଞ୍ଚଳ, ଯଥା-ଲାଠିକଟା, ନୂଆଗାଁ, କାଂଶବାହାଲ, କୁଆରମୁଣ୍ଡା, ବିଶ୍ରା ଯାଏ ସହରର ପରିସୀମା ବୃଦ୍ଧି କରି, ଗ୍ରେଟର୍‌ ରାଉରକେଲାର ସ୍ବପ୍ନକୁ ସାକାର କରାଯାଇପାରିବ। ଏହା ସମ୍ଭବ ହେଲେ ହିଁ ରାଉରକେଲାର କଳେବର ବୃଦ୍ଧି ପାଇବ।
 Rourkela 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe