Suresh Pujari Photograph: (sambad.in)
ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ରାଜ୍ୟର ଲୋକଙ୍କ ପାଇଁ ମୋହନ ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତ୍ତି କାର୍ଯ୍ୟରେ ପରିଣତ ହେଲେ ଉପାନ୍ତ, ଦୁର୍ଗମ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା ଲୋକଙ୍କୁ ସାମୟିକ ସମୟ ପାଇଁ ରହିବା ଓ ଫ୍ରେସ୍ ହେବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାର ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଅତିଥି ଭବନ ନିର୍ମାଣ କରିବାକୁ ଯାଉଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି।
ରାଜସ୍ୱମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ଅତିଥି ଭବନ ନିର୍ମାଣ ହେବ। ଏହା ଦ୍ବାରା ରାଜ୍ୟବାସୀ ଉପକୃତ ହେବେ। ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟ ସେବା ପାଇଁ ଆସନ୍ତି। ଏହା ସହ ଶିକ୍ଷା ଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ମଧ୍ୟ ଏଠାକୁ ଆସିଥାନ୍ତି। ଏଠି ରହିବା ପାଇଁ ସେମାନେ ହୋଟେଲ୍ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ୍ ହାଉସ ପ୍ରସ୍ତୁତ ହେବ। ଏହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ। ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍ ହାଉସ୍ ହେବ। ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି। ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ।
ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀ ଭୁବନେଶ୍ବରରେ ଅତିଥି ଭବନ ନିର୍ମାଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କାରଣ ରାଜଧାନୀକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଅନେକ କାମରେ ଆସିଥାନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଲୋକ ହୋଟେଲ, ଲଜ୍ ଭଳି ସ୍ଥାନରେ ଆର୍ଥିକ ରୂପେ ଠକେଇର ଶିକାର ମଧ୍ୟ ହୋଇଥାନ୍ତି। ରାଜ୍ୟ ସରକାର ଏହି ନିଷ୍ପତ୍ତି ଦ୍ବାରା ଲୋକେ ସହଜ ଓ ସୁବିଧାରେ ରହିବା ସୁବିଧା ପାଇପାରିବେ। ଲୋକଙ୍କୁ ରୋଜଗାର ମିଳିବ। ଏହାର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ସୃଷ୍ଟି ହେବ।
ତେବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯଦି ୩୦ ଜିଲ୍ଲା ପାଇଁ ୩୦୦୦ କୋଠରୀ ନିର୍ମାଣ କରାଯିବ, ସେଥିପାଇଁ ବହୁତ ବଡ଼ ସ୍ଥାନ ଦରକାର ପଡ଼ିବ। ଏତେଗୁଡ଼ିଏ କୋଠରୀ ନିର୍ମାଣ କରିବା ପାଇଁ ସରକାର ସହର ଭିତରେ ସ୍ଥାନ ବାହାର କରିବେ ନା ସହର ବାହାରେ କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ସହର ବାହାରେ ଅତିଥି ଭବନ ନିର୍ମାଣ କରିବେ, ତା’ହେଲେ ପରିବହନ ବ୍ୟବସ୍ଥା ସଠିକ୍ ହେବା ଦରକାର। ସେହିପରି ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସମସ୍ତ ରାଜସ୍ବ ସେବା ରହିବ ଗୋଟିଏ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଲୋକେ ଘରେ ବସି ସମସ୍ତ ସୁବିଧା ପାଇପାରିବେ। ଆପ୍ ପ୍ରସ୍ତୁତ ହୋଇ ସାରିଛି, ଖୁବ୍ ଶୀଘ୍ର ଲଞ୍ଚ୍ ହେବ। ଆପ୍ ଦ୍ବାରା ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ସମାଧାନ କରିହେବ। ଛୋଟ ଛୋଟ କାମ ପାଇଁ ରାଜସ୍ବ ବିଭାଗକୁ ଦୌଡ଼ିବାକୁ ପଡ଼ିବନି। କାଗଜପତ୍ର ଅନଲାଇନ୍ ଜରିଆରେ ଡାଉନଲୋଡ୍ କରି ହେବ।
Bhubaneswar
Follow Us