ରାଜ୍ୟରେ ସର୍ବୋତ୍ତମ ମନ୍ଦିର ପରିଚାଳନା ନେଇ ଆସିବ ମାର୍ଗଦର୍ଶିକା: ମନ୍ତ୍ରୀ

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ପ୍ରମୁଖ ରାଜ୍ୟ ଗୁଡ଼ିକରେ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରାଯାଇ ଓଡ଼ିଶା ଲାଗି ସର୍ବୋତ୍ତମ ନୀତି ପ୍ରଣୟନ କରାଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I 

Prithivraj Harichandan

ଭୁବନେଶ୍ୱର: ରାଜ୍ୟରେ ଥିବା ପୁରାତନ ମନ୍ଦିରଗୁଡ଼ିକର ଶୃଙ୍ଖଳିତ ରୀତିନୀତି ଓ ପରିଚାଳନା ନେଇ ସର୍ବୋତ୍ତମ ନୀତି ଆସିବI ଏଥି ସହିତ ମନ୍ଦିରର ଉନ୍ନତୀକରଣ ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବI ଏଥିଲାଗି ଅନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ପ୍ରମୁଖ ରାଜ୍ୟ ଗୁଡ଼ିକରେ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରାଯାଇ ଓଡ଼ିଶା ଲାଗି ସର୍ବୋତ୍ତମ ନୀତି ପ୍ରଣୟନ କରାଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I 

ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଲେ ଯେ ଦେବୋତ୍ତର ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତକରି ରାଜ୍ୟରେ ଥିବା ପୁରାତନ ମନ୍ଦିର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଡ଼ିବ, ଯାହାକୁ ଆଧାର କରି ମନ୍ଦିରର ଶୃଙ୍ଖଳିତ ରୀତି ନୀତି ସହ ଖରାପ ଅବସ୍ଥାରେ ଥିବା ମନ୍ଦିର ଗୁଡ଼ିକର ମରାମତି ଓ ସଂରକ୍ଷଣ ସମ୍ଭବ ହୋଇ ପାରିବI  


ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବା ଭଳି ଦେବୋତ୍ତର କମିସନରଙ୍କ ୱେବସାଇଟର ଆଧୁନିକୀକରଣ,  ଦେବୋତ୍ତର ତଥା ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିରଗୁଡ଼ିକର ସଠିକ ନୀତିକାନ୍ତି, ପର୍ବପର୍ବାଣୀ ଆୟୋଜନ, ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ, ସତ୍ଵଲିପି ଅନୁଯାଇ ସେବାପୂଜା ଅଧିକାର, ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ଓ କର୍ତ୍ତବ୍ୟ, ଓଏଚ୍‌ଆରଇ ଆଇନ୍‌ ୧୯୫୧ର ପ୍ରାବଧାନ ଅନୁସାରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକର ସୁପରିଚାଳନା, ଦେବୋତ୍ତର ନିରୀକ୍ଷକଙ୍କ ଦାୟିତ୍ୱ ଏବଂ ସରକାରୀ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ପାଇଁ ନୂତନ ନିଯୁକ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲାI 

ସବୁ ଧାର୍ମିକ ଅନୁଷ୍ଠାନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ  ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧକାରୀମାନଙ୍କୁ ପରାମର୍ଶ ଦେଇଥିଲେI  ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଓ ଭଗବାନ ପ୍ରସାଦ ସାହୁଙ୍କ ସମେତ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ I

 Prithiviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe