ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଝଡାବାନ୍ତିରେ ୧୫ ଦିନରେ ଦୁଇ ମହିଳାଙ୍କ ମୃତ୍ୟୁ ଏବଂ ଅନେକ ଆକ୍ରାନ୍ତ ଥିବା ନେଇ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖବର ପାଇ ଗତକାଲି ଏକ ସ୍ୱାସ୍ଥ୍ୟ ଟିମ ଚେପଟିଆମ୍ବା ଗ୍ରାମ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଫେରିଥିବା ବେଳେ ଆଜି ସକାଳୁ ପୁଣି ସେହି ଟିମ ଚେପଟିଆମ୍ବା ଗ୍ରାମ ଯାଇ ଥିବା ଜଣାପଡିଛି।

Advertisment

ଆଜି ସକକୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସମସ୍ତ ଝଡାବାନ୍ତିରେ ଆକ୍ରାନ୍ତ ରୋଗୀମାନକୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାଗଣା ଔଷଧ ବଣ୍ଟନ କରିବା ସହିତ ଔଷଧ ସେବନ ସମ୍ପର୍କରେ ବୁଝାଇ ଥିଲେ। ସେହିପରି ଗ୍ରାମବାସୀଙ୍କୁ ମାଇକ ଯୋଗେ ସଚେତନତା କରାଯାଇଥିଲା। ବିଶେଷ କରି ହାତ ସାବୁନରେ ଧୋଇବା, ନାଳକୂପ ପାଣିକୁ ଫୁଟାଇ ବ୍ୟବହାର କରିବା, ରୋଷେଇ ଖାଦ୍ୟକୁ ଢ଼ାଙ୍କୁଣୀରେ ଘୋଡ଼ାଇ ରଖିବା ସହିତ ପରିଷ୍କାର ପରିଛନ୍ନତା ଉପରେ ସଚେତନ କରିଥିଲେ।

Jharigaon

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ ହୋଇଥିଲା। ଝରିଗାଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଚେପଟିଆମ୍ବା ଗ୍ରାମରେ ଥିବା ୬ଟି ନାଳକୂପର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନବରଙ୍ଗପୁର ପଠାଇ ଥିବା ସୂଚନା ମିଳିଛି।ଗ୍ରାମର ପାଣି ଜମୁଥିବା ସ୍ଥାନ ଗୁଡିକରେ ବିଲଚିଂ ପାଉଡର ପକାଯାଇଥିଲା। ଆଜି ପୁଣି ଦୁଇ ଜଣ ନୂଆ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା ଚେପଟିଆମ୍ବା ଗ୍ରାମ ଗ୍ରସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଚେପଟିଆମ୍ବା ଗ୍ରାମରେ MHU ଟିମ ଏବଂ RBSK ଟିମ ସାତ ଦିନ ପର୍ଯ୍ୟନ୍ତ ୨୪ ଘଣ୍ଟା ସଜାଗ ରହିବେ ଏବଂ ଆଜି ଠାରୁ ଗୋଟିଏ ଆମ୍ବୁଲାନ୍ସ ଚେପଟିଆମ୍ବା ଗ୍ରାମରେ ରହିବ ବୋଲି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଅରବିନ୍ଦ ପଣ୍ଡା ସୂଚନା ଦେଇଛନ୍ତି।ତେବେ ଝାଡ଼ାବାନ୍ତି କାରଣ ସ୍ପଷ୍ଟ ଜଣାପଡିନାହିଁ।

ଏହି ଖବର ପଢ଼ନ୍ତୁ: ଝାଡ଼ାବାନ୍ତିରେ ଦୁଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ