Health secretary of Odisha Photograph: (sambad.in)
ଭୁବନେଶ୍ବର: ଡାଇରିଆକୁ ନେଇ ରାଜ୍ୟ ସରକାର ଏବେ ଚିନ୍ତାରେ ଅଛନ୍ତି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ ଏନେଇ ସ୍ୱାସ୍ଥ୍ୟ ସଚିବ ଅଶ୍ବତୀ ଏସ୍ ସତର୍କ କରାଇଛନ୍ତି। ସେ କେବଳ ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିନ ୧୦ଟା ସୁଦ୍ଧା ୫ ଜିଲ୍ଲାରୁ ୩ ଶହ ନୂଆ କେସ୍ ଚିହ୍ନଟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ଡାଇରିଆକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ଯେଉଁ ରୋଗୀ ହସ୍ପିଟାଲରେ ଆଡମିଟ୍ ହେଉଛନ୍ତି ତାଙ୍କୁ ୨୪ ଘଣ୍ଟିଆ ନୀରିକ୍ଷଣରେ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ। କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି। ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ। ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।
ଢେଙ୍କାନାଳରେ ଷ୍ଟପ୍ ଡାଇରିଆ ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗତକାଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ୧୦ ଦିନ ହେବ ଡାଇରିଆରେ ଲୋକ ଆକ୍ରାନ୍ତ ହେବାରେ ଲାଗିଛନ୍ତି। କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯେଉଁକାରଣରୁ ଷ୍ଟପ୍ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଶତ୍ରୁଘ୍ନ ଜେନା, ବିଧାୟିକା ସୀମାରାଣୀ ନାୟକ, ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଯୋଗାଣ ମନ୍ତ୍ରୀଙ୍କ ପ୍ରତିନିଧି ରାହାସ ବିହାରୀ ବେହେରା, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ।
Health
Follow Us