Rain in Odisha Photograph: (sambad.in )
ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ମାଟିକୁ ସ୍ପର୍ଶ କରିଥିବା ମୌସୁମୀ ଦୁର୍ବଳ ହୋଇଛି। ରାଜ୍ୟରେ ଏବେ ମୌସୁମୀର ବ୍ରେକ୍ ଟାଇମ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଜୁନ ୧ ତାରିଖ ଠାରୁ କିଛି ଦିନ ପାଇଁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ଫଳରେ ବର୍ଷାରେ ବ୍ରେକ୍ ଲାଗିବ। ଆଗାମୀ ଦୁଇ ସପ୍ତାହ ପ୍ରଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେଇଗଲା ପରେ ମୌସୁମୀ ରାଜ୍ୟରେ ଏବେ ବିଶେଷ ସକ୍ରିୟ ନାହିଁ।
ପାଣିପାଗ ବିଭାଗ କହିଛି, ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ରଜ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ଆଉ ନାହିଁ। ବଙ୍ଗୋପସାଗରରେ ବାଦଲର ଘନତ୍ୱ ହ୍ରାସ ପାଉଛି। ରଜ ପରେ ରାଜ୍ୟରେ ପୁନର୍ବାର ମୌସୁମୀ ସକ୍ରିୟ ହେବ। ଆଜିଠାରୁ ବର୍ଷା କମିବ। କିନ୍ତୁ କିଛି କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ ବ୍ରଜପାତ ସହ ହାଲୁକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି।
ମୌସୁମୀରେ ବ୍ରେକ୍ ଲାଗିବା ପଛର କାରଣ
-ଲଘୁଚାପ ଦୁର୍ବଳ ହେଇ ବାଂଲାଦେଶ ଓ ଉତ୍ତର-ପୂର୍ବ ରାଜ୍ୟ ଆଡ଼କୁ ମୁହାଁଇଛି, ଯାହା ଫଳରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି
-ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ଆସିଲେ ବାୟୁମଣ୍ଡଳରେ ଜଲୀୟବାଷ୍ପର ପରିମାଣ କମିଯିବ
- ଉତ୍ତର ଆଫଗାନିସ୍ତାନରେ ଗୋଟିଏ ପଶ୍ଚିମାଝଡ଼ ସକ୍ରିୟ ଅଛି ଓ ଆଉ ଗୋଟିଏ ପଶ୍ଚିମା ଝଡ଼ ତା ପଛକୁ ଆସୁଛି, ଯାହା ଫଳରେ ଶୁଷ୍କ ବାୟୁ ମୌସୁମୀକୁ ଏବେ ଦୁର୍ବଳ କରୁଛି
-ମୌସୁମୀ ଦୃବଳ ହେବା ଫଳରେ ଏବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ
ସୂଚନାଯୋଗ୍ୟ, ଚଳିତ ବର୍ଷ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁବା କାରଣରୁ ବିଗତ କିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ମେ’ ମାସ ଶେଷ ସପ୍ତାହରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅନୁଭୂତ ହୋଇପାରି ନାହିଁ।
Rain in Odisha
Follow Us