ମା’ଙ୍କ ଦର୍ଶନ ଲାଗି ପୀଠ-ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦୁର୍ଗାପୂଜା ପାଇଁ ଐତିହାସିକ କଟକ ସହର ଚଳଚଞ୍ଚଳ ହୋଇ ଉଠିଛି। ତାରକସିର ସହରେ ନିର୍ମିତ ମା’ଙ୍କ ଚାନ୍ଦିମେଢ଼ ଭକ୍ତଙ୍କୁ ଆକର୍ଷିତ କରୁଛି। କଟକନିବାସୀ ମା’ଙ୍କ ଦର୍ଶନ ପାଇଁ ଘରୁ ବାହାରି ଆସିଛନ୍ତି। କେବଳ କଟକ ନୁହେଁ। ବରଂ ଭୁବନେଶ୍ବର ସମେତ ଆଖପାଖରୁ ମଧ୍ୟ ଲୋକେ କଟକ ଦୁର୍ଗାପୂଜା ଦେଖିବାକୁ ଆସିଥାନ୍ତି।

କଟକ: ଶାରଦୀୟ ଦୁର୍ଗାପୂଜାର ମହାନବମୀ ଅବସରରେ ଭକ୍ତମାନେ ମା’ଙ୍କ ପୀଠ ଓ ମଣ୍ଡପଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଐତିହାସିକ କଟକ ସହର ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଥିବା ବେଳେ ଦେବୀଙ୍କ ଆଶ୍ରୟସ୍ଥଳରେ ଝୁଣା-ଧୂପର ଧୂଆ ଗଗନପବନକୁ ଭେଦି ଯାଉଛି। ଉଭୟ ମନ୍ଦିର ଓ ମଣ୍ଡପଗୁଡ଼ିକ ସୁଗନ୍ଧରେ ଭରିଯାଉଛି। ମା’ଙ୍କର ଆରତୀ ସମୟରେ ପାରଂପରିକ ବାଦ୍ୟ ‌ଢୋଲ, ନାଗଡ଼ା, ଘଣ୍ଟି ଓ ଘଣ୍ଟା ଏକ ଭିନ୍ନ ବାତାବରଣ ସୃଷ୍ଟି କରୁଛି।

publive-image

ରାତି ପାହିଲେ ମା’ଙ୍କର ଦଶହରା ପୂଜା। ଏଥି ପାଇଁ ଉଭୟ ପୀଠ ଓ ମଣ୍ଡପରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନବମୀ ତିଥିରେ କଟକର ଐତିହାସିକ ଦେବୀ ମନ୍ଦିରରେ ଭକ୍ତମାନେ ପ୍ରବଳ ଭିଡ଼ ଲଗାଇଛନ୍ତି। ଏଥିରୁ ମା’ କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ମଧ୍ୟ ବାଦ୍‌ ପଡ଼ିନାହିଁ। ଶ୍ରଦ୍ଧାଳୁମାନେ ମା’ କଟକଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ଠାରେ ଧୂପ-ଦୀପ ପ୍ରଜ୍ବଳନ କରି ଆଶୀର୍ବାଦ ନେଇଛନ୍ତି। ମା’ କଟକଚଣ୍ଡୀ ଆଜି ଶ୍ରଦ୍ଧାଳୁମାନଙ୍କୁ ମହାସରସ୍ବତୀ ବେଶରେ ଦର୍ଶନ ଦେଇଥିଲେ। ସେହିପରି ଭକ୍ତମାନେ ଗଡ଼ଚଣ୍ଡୀଙ୍କ ଅପୂର୍ବ ମହିଷାର୍ଦ୍ଦିନୀ ବେଶ ଦର୍ଶନ କରିଥିଲେ।

ମା’ ଦୁର୍ଗାଙ୍କ ମହାନବମୀ ଅବସରରେ କଟକ ସହରର ଶତାଧିକ ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତମାନେ ସକାଳୁ ଘରକାମ ସାରି ମା’ଙ୍କ ଆଶୀର୍ବାଦ ନେବାକୁ ବାହାରି ପଡ଼ିଛନ୍ତି। ସକାଳ ୭ଟାରୁ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଛି। ସନ୍ଧ୍ୟା ପରଠାରୁ ଭିଡ଼ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଭିଡ଼ ଯୋଗୁଁ ମୁଖ୍ୟରାସ୍ତାର ଅବସ୍ଥା ଶୋଚନୀୟ ଥିବା ବେଳେ ଗଳିକନ୍ଦିର କଥା ଅବା ପଚାରେ କିଏ।

publive-image

ଭାରତ ପ୍ରସିଦ୍ଧ କଟକରେ ପ୍ରଥମେ ୧୫୦୯ ମସିହାରେ ଦୁର୍ଗାପୂଜାର ଆୟୋଜନ ହୋଇଥିଲା। ବାଲୁବଜାରରେ ବିନୋଦ ବିହାରୀ ପୂଜା ମଣ୍ଡପରେ ଶ୍ରୀ ଚୈତନ୍ୟ ଦେବ ଘଟ ସ୍ଥାପନ କରି ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ସହିତ କିଛି ବାନାର୍ଜୀ ବ୍ରାହ୍ମଣ ପରିବାର ଆସି ଏଠାରେ ରହି ପୂଜା କରିଥିଲେ। ଆଜି ପର୍ଯ୍ୟନ୍ତ ଏହି ପରଂପରା ଜାରି ରହିଛି।

ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପ ବି ବେଶ ପୁରୁଣା। ୧୮୭୫ ମସିହାରେ ପ୍ରଥମେ ହରପାର୍ବତୀ ଓ ପରେ ୧୯୦୨ ମସିହାରୁ ଏଠାରେ ଦୁର୍ଗା ପୂଜା ପାଇ ଆସୁଛନ୍ତି। ଚୌଧୁରୀ ବଜାର ପୂଜା ମଣ୍ଡପ ପ୍ରଥମେ ମାଆଙ୍କ ପାଇଁ ଚାନ୍ଦି ମେଢ଼ ନିର୍ମାଣ ହୋଇଥିଲା। ତା’ପରେ ଶେଖ୍ ବଜାରରେ ମଧ୍ୟ କରାଯାଇଥିଲା।

publive-image

ସମୟ ସହିତ ବଦଳିଛି ପୂଜା ଆୟୋଜନର ଧାରା। କେବଳ ଜରି ଓ କାଗଜ ସାଜସଜ୍ଜାରୁ ଆରମ୍ଭ ହୋଇ ଆଜି ତାହା ପହଞ୍ଚିଛି ଚାନ୍ଦି ମେଢ଼, ସୁନା ମେଢ଼ରେ। ଏବେ କଟକ ସହରରେ ଶାରଦୀୟ ପୂଜା ଅବସରରେ ଶତାଧିକ ସ୍ଥାନରେ ଦୁର୍ଗାପୂଜା, ହରଗୌରୀ, ମହାଦେବ ପୂଜାକରାଯାଉଛି। ପ୍ରାୟ ୨୦ଟି ପୂଜା କମିଟି ଚାନ୍ଦି ମେଢ଼ରେ ମା’ଙ୍କୁ ପୂଜା କରୁଛନ୍ତି, ଯାହା ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ଆକର୍ଷିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe