ଅଣସର ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ; ହାଇକୋର୍ଟଙ୍କ ଜବାବ ତଲବ

ମହାପ୍ରଭୁଙ୍କ ଅଣସର ନେଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ଚଳିତ ବର୍ଷ ଅଣସର ସମୟରେ ଶ୍ରୀମନ୍ଦିରରେ ପାଟବୋଳା କାର୍ଯ୍ୟରେ ଦୁଇ ଜଣ ପାଟରାବିଶୋୟୀ ସେବକଙ୍କୁ ନିୟୋଜିତ ପ୍ରସଂଗ ନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ୨୦୨୫, ଜୁନ ୧୨ରେ ଜାରି ନିର୍ଦ୍ଦେଶନାମା ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଜବାବ ତଲବ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବର୍ତ୍ତମାନ ଚାଲିଥିବା ସେବାପୂଜାରୁ ପ୍ରତିପକ୍ଷ ନମ୍ବର ୩ ଓ ୪ (ଭିକାରୀ ପୃଷ୍ଟି ଓ ଗୋପୀନାଥ ଲେଙ୍କା)ଙ୍କୁ  ବାଦ ଦେବା ପ୍ରସଂଗରେ ବିଚାର କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ଜାରି ରହିଥିବ‌ା ଏପରି ସେବା ଯେପରି କୌଣସି ପ୍ରକାର ବାଧାପ୍ରାପ୍ତ ନ ହୁଏ ତାହା ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଟରାବିଶୋୟୀ ସେବକ ସନ୍ତୋଷ କୁମାର ପାତ୍ର ଓ ଅନ୍ୟ ୭ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁନ ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।  

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫, ଜୁନ ୧୨ରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ଉଲ୍ଲେଖ କରାଯାଇଥିଲା ଯେ ଚଳିତ ବର୍ଷ ଅଣସର ସମୟରେ ପାଟରାବିଶୋୟୀ ସେବକ ଭିକାରୀ ପୃଷ୍ଟି ଓ ଗୋପୀନାଥ ଲେଙ୍କାଙ୍କୁ ପାଟବୋଳା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବଡ଼ବାଡ଼ ବାଡ଼ଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦେଉଳକରଣ ସେମାନଙ୍କୁ ପାଟବୋଳା କାର୍ଯ୍ୟରେ ନିୟୋଜିତ କରିବେ ବୋଲି ମୁଖ୍ୟ ପ୍ରଶାସକଙ୍କ ଆଦେଶକ୍ରମେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଜାରି କରିଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଏପରି ଆଦେଶକୁ ବିରୋଧ କରି ଏହି ମାମଲା ହାଇକୋର୍ଟରେ ଦାୟର ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ରେକର୍ଡ ଅଫ୍ ‌ରାଇଟ୍ସର ଉଲ୍ଲଂଘନ କରି ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି ବୋଲି ଅଭି‌ଯୋଗ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଆବେଦନକାରୀମାନେ ପାଟରାବିଶୋୟୀ ସେବକ। ଶ୍ରୀଜଗନ୍ନାଥ ମନ୍ଦିର ରେକର୍ଡ ଅଫ୍ ରାଇଟ୍ସରେ ଆବେଦନକାରୀଙ୍କ ବଂଶଜଙ୍କ ନାଁ ରହିଛି। ବଂଶାନୁକ୍ରମିକ ଭାବେ ପାଟବୋଳା ସେବା ଆବେଦନକାରୀମାନେ କରି ଆସୁଛନ୍ତି। ପାଟବୋଳା ସେବା ଏକ ଗୁପ୍ତ ତଥା ପବିତ୍ର ସେବା।

ଏ ସଂକ୍ରାନ୍ତୀୟ ଜ୍ଞାନ ଗୋଟିଏ ପିଢୀରୁ ଅନ୍ୟ ପିଢୀକୁ ମିଳିଥାଏ। ବାହାର ଲୋକମାନେ ଏହି ସେବା ବିଷୟରେ ଜାଣିବା ସମ୍ଭବ ନୁହେଁ। ରେକର୍ଡ ଅଫ୍ ରାଇଟ୍ସ ଅନୁସାରେ ନୀତି ସଂପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସକ ପଦକ୍ଷେପ ନେବା କଥା। କିନ୍ତୁ ରେକର୍ଡ ଅଫ୍ ରାଇଟ୍ସ ଉଲ୍ଲଂଘନ କରି ଜୁନ୍ ୧୨ର ନିର୍ଦ୍ଦେଶ ଜାରି କରାଯାଇଥିଲା। ରେକର୍ଡ ଅଫ୍ ରାଇଟ୍ସ ଅନୁସାରେ ପ୍ରତିପକ୍ଷ ନମ୍ବର ୩ ଓ ୪ ପାଟବୋଳା ସେବା ପାଇଁ ଯୋଗ୍ୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଜୁନ୍ ୧୨ରେ ପ୍ରତିପକ୍ଷ ନମ୍ବର ୩ ଓ ୪ଙ୍କୁ ପାଟବୋଳା ସେବା ପାଇଁ ଅନୁମତି ଦିଆଯିବା ଘଟଣା ପାଇଁ ପାଟରାବିଶୋୟୀ ସେବକ ଓ ଅନ୍ୟ ‌ସେବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜୁନ୍ ୧୨ର ନିର୍ଦ୍ଦେଶ ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

 Puri Jagannath temple | Orissa High Court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe