କନଷ୍ଟେବଳ ନିଯୁକ୍ତି ମାମଲା: ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ

ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ ହେବ। ଏଥି ସହିତ ନିଯୁକ୍ତି ପ୍ରକ୍ରିୟା ଉପରେ ରହିଥିବା ଅଦାଲତୀ ଅଙ୍କୁଶ ହଟିଛି।

Orissa High Court

Orissa High Court Photograph: (sambad.in)

କଟକ: ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୩ ବର୍ଷ କୋହଳ ହେବ। ଏଥି ସହିତ ନିଯୁକ୍ତି ପ୍ରକ୍ରିୟା ଉପରେ ରହିଥିବା ଅଦାଲତୀ ଅଙ୍କୁଶ ହଟିଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି ବେଳେ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରାଯାଇଥିଲା।

ଏହି ପଦବି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ମାମଲାର ପ୍ରତିପକ୍ଷ ପ୍ରାର୍ଥୀ ସମ୍ମତି ଜଣାଇଥିଲେ। ଏହାପରେ ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେଇ ହାଇକୋର୍ଟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣିକିଆ ବିଚାରପତିଙ୍କ ୨୦୨୪, ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍ ଅପିଲକୁ ହାଇକୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବା ପାଇଁ ୨୦୨୪, ଡିସେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲକୁ ହାଇକୋର୍ଟ ୨୦୨୪, ଡିସେମ୍ବର ୨୩ରେ ଗ୍ରହଣ କରି ଡିସେମ୍ବର ୫ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ୨୦୨୪, ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ମାର୍ଚ୍ଚ ୧୩ରେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସିପାହି/କନଷ୍ଟେବଳ ପଦରେ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରୁ ନଥିଲା। 

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ପୁଲିସର ଓଏସଏପି, ଆଇଆର, ଏସଆଇଆର, ସ୍ପେଶାଲ ସିକ୍ୟୁରିଟି ବାଟାଲିଅନରେ ୧୩୬୦ଟି ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ‌ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ୨୦୨୪, ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪, ଜାନୁଆରି ୧ରେ ପ୍ରାର୍ଥୀଙ୍କ ସର୍ବ ନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।  

Orissa High Court | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe