କଟକ: ଦୁଇଟି ଜାହାଜକୁ ଗିରଫ କରାଯିବ। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଚୁକ୍ତି ଉଲ୍ଲଂଘନ ଓ ବ୍ୟାବସାୟିକ ବିବାଦକୁ ନେଇ ଆଲ୍ଫାର୍ଡ ମାରିଟାଇମ ଲିମିଟେଡ୍ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି ପାରାଦୀପ ବନ୍ଦରରେ ଓସିନ ଜାଡେ ଓ ଓସିନ୍ ମୋର୍ଗାନାଇଟ ଜାହାଜଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଉପରୋକ୍ତ ଦୁଇ ଜାହାଜ ପରାଦୀପ ବନ୍ଦରରେ ରହିଛନ୍ତି। ତେଣୁ ତୁରନ୍ତ ଜାହାଜ ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଉ।
ଯଦି ଜାହାଜର ଆରେଷ୍ଟ ପାଇଁ ନିର୍ଦ୍ଦେଶ ଦିଆ ନ ଯାଏ ତେବେ ଆବେଦନକାରୀଙ୍କ ମାମଲା ଅର୍ଥହୀନ ହୋଇଯିବ ଓ ଅପୂରଣୀୟ କ୍ଷତି ହୋଇ ପାରେ ବୋଲି ହାଇକୋର୍ଟ ମତ ଦେବା ସହିତ ତୁରନ୍ତ ଓସିନ ଜାଡେ ଓ ଓସିନ ମୋର୍ଗାନାଇଟ ଜାହାଜକୁ ପାରାଦୀପ ବନ୍ଦରରେ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମାମଲାରେ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୪୯,୨୬୮,୯୦୨.୪୫ ଆମେରିକୀୟ ଡଲାର ସହିତ ସୁଧ ଦାବି କରି (ପ୍ରାୟ ୪୨୮ କୋଟି ଟଙ୍କା) ଆଲଫାର୍ଡ ମେରାଇନ ଲିମିଟେଡ୍ ପକ୍ଷରୁ ଓସିନ ଜାଡେ ଓ ଓସିନ ମୋର୍ଗାନାଇଟ ବିରୋଧରେ ଏହି ମାମଲା ହାଇକୋର୍ଟରେ ଦାୟର କରାଯାଇଛି। ଏହି ଦୁଇ ଜାହାଜ ଏବେ ପାରାଦୀପ ବନ୍ଦରରେ ଅଛି। ଚୁକ୍ତି ଉଲ୍ଲଂଘନ ପାଇଁ ହୋଇଥିବା କ୍ଷତି ଭରଣା ପାଇଁ ଏହି ସାମୁଦ୍ରିକ ବିବାଦ ଆବେଦନ ଦାୟର କରାଯାଇଛି।
Orissa High Court | Paradip
Follow Us