ରାଉରକେଲା: ଘର ଝାଡ଼ଖଣ୍ଡ, ବ୍ୟାଙ୍କ ସେବା ପାଉଛନ୍ତି ଓଡ଼ିଶାରୁ। ବର୍ଷବର୍ଷ ଧରି ଏମିତି ସମସ୍ୟା ଭୋଗୁଛନ୍ତି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବାସିନ୍ଦା। ସୋରଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ନୂଆଗାଁରେ ଥିବା ଅନ୍ୟ ଜାତୀୟକରଣ ବ୍ୟାଙ୍କ ହିଁ ଏକମାତ୍ର ଭରସା। ଟଙ୍କା ଉଠାଣଠୁ ଆରମ୍ଭକରି ଜମାକରିବା ପର୍ଯ୍ୟନ୍ତ ନେଣଦେଣ ଆଦି ସବୁ କାମ ପାଇଁ ସୋରଡ଼ା ବ୍ୟାଙ୍କକୁ ସେମାନଙ୍କୁ ଆସିବାକୁ ପଡ଼ୁଛି। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ବ୍ୟାଙ୍କ କିଂବା ଏଟିଏମ୍ ନଥିବାରୁ ଗାଁରୁ ୧୫ କିମି ଦୂର ଓଡ଼ିଶା ବ୍ୟାଙ୍କକୁ ଆସିବାକୁ ସେମାନେ ବାଧ୍ୟ ହେଉଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁର ଅଞ୍ଚଳର ବ୍ୟାଙ୍କରେ ପ୍ରାୟ ୧୦ ହଜାର ଝାଡ଼ଖଣ୍ଡବାସିନ୍ଦାଙ୍କ ଜମାଖାତା ରହିଛି। ପ୍ରତି ସୋମବାରରୁ ଶନିବାର ପର୍ଯ୍ୟନ୍ତ ନୂଆଗାଁ, ସୋରଡ଼ା, ବିଶ୍ରା ଓ ବୀରମିତ୍ରପୁର ବ୍ୟାଙ୍କକୁ ଯେତିକି ସ୍ଥାନୀୟ ଗ୍ରାହକଙ୍କ ଆସିଥାନ୍ତି, ତା’ର ୩୦ ପ୍ରତିଶତ ଗ୍ରାହକ କେବଳ ସୀମାନ୍ତ ଝାଡ଼ଖଣ୍ଡ ଅଞ୍ଚଳର। ଝାଡ଼ଖଣ୍ଡ ମୁଖ୍ୟ ସହରରେ ଥିବା ବ୍ୟାଙ୍କ ଏସବୁ ଗାଁଗୁଡ଼ିକଠାରୁ ପ୍ରାୟ ୪୦ରୁ ୫୦ କିମି ଦୂରରେ ରହିଛି।
ଝାଡ଼ଖଣ୍ଡ ବାନୋ ବ୍ଲକ୍ର ସାହୁବେଡ଼ା, ହାଟିଂଘଡ଼ା, ଆନନ୍ଦପୁର, ରାଇକେଲା, ଗେନମେର, ହୃଦା, ପାନିଆସାଲ୍, ସାଢ଼େ, ରୁଙ୍ଘି, ଜାମତେଇ, ଫାଟକା ଆଦି ଗ୍ରାମର ପ୍ରାୟ ୫ ହଜାରୁ ଅଧିକ ଲୋକ ନୂଆଗାଁ ଓ ସୋରଡ଼ା ବିଭିନ୍ନ ବ୍ୟାଙ୍କରେ ବର୍ଷବର୍ଷ ଧରି କାରବାର କରିଆସୁଛନ୍ତି। ରାତିଅଧରେ ଅର୍ଥର ଆବଶ୍ୟକତା ପଡ଼ିଲେ ପ୍ରାୟ ୧୨ କିମି ଦୂର ସୋରଡ଼ା ଏଟିଏମ୍କୁ ଆସିଥାନ୍ତି। ନେଟ୍ୱର୍କ ନଥିବାରୁ ସ୍ଥାନୀୟ ଅଞ୍ଚଳର ଜାତୀୟକରଣ କିଂବା ଘରୋଇ ବ୍ୟାଙ୍କ ଖୋଲାଯାଇପାରୁନି। ଆଜିକୁ ସାତ ଦଶନ୍ଧି ଧରି ସେମାନେ ଓଡ଼ିଶାର ବ୍ୟାଙ୍କ ଉପରେ ନିର୍ଭରଶୀଳ।
ସେମିତି ବିଶ୍ରା ସୀମାନ୍ତକୁ ଲାଗିଥିବା ଝାଡ଼ଖଣ୍ଡର ପାରୋଡିହି, ମକରଣ୍ଡା, ସମଠା, ସାଗଯୋଡ଼ି, ରେଡ଼ା, ଧାନପାଲି, ପଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପାଲି, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡିହି, ନୱାଡିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗ୍ରାମବାସୀଙ୍କୁ ମଧ୍ୟ ବ୍ୟାଙ୍କସେବା ପାଇଁ ସମାନ ଦଶା ଭୋଗିବାକୁ ପଡୁଛି। ପ୍ରାୟ ୫୦ ପ୍ରତିଶତ ଲୋକ ସୁନ୍ଦରଗଡ଼ର ବିଶ୍ରା ଓ ଜରେଇକେଲାରୁ ବ୍ୟାଙ୍କସେବା ପାଉଛନ୍ତି।
ଏସବୁ ଗାଁଗୁଡ଼ିକରୁ ମନୋହରପୁର ୩୦ କିମି ଦୂର। ଏତେଦୂର ଯିବା ପରିବର୍ତ୍ତେ ସେମାନେ ମାତ୍ର ୧୦ କିମି ଦୂର ବିଶ୍ରା ଓ ଜରେଇକେଲାରେ ବ୍ୟାଙ୍କଖାତା ଖୋଲିବାକୁ ପସନ୍ଦ କରୁଛନ୍ତି। କେବଳ ଏତିକି ନୁହେଁ, ପର୍ବପର୍ବାଣି, ବିବାହ, ବ୍ରତ, ସାମାଜିକ କାର୍ଯ୍ୟକ୍ରମରେ ଜିନିଷପତ୍ର ପାଇଁ ଏମାନଙ୍କ ପ୍ରମୁଖ ବଜାର ହେଉଛି ବିଶ୍ରା, ବୀରମିତ୍ରପୁର ଓ ନୂଆଗାଁ। ସ୍ବାସ୍ଥ୍ୟସେବା ପାଇଁ ବିଶ୍ରା, ନୂଆଗାଁ, ହାତୀବାରି ଓ ବୀରମିତ୍ରପୁର ପିଏଚ୍ସି ଓ ସିଏଚ୍ସି ଉପରେ ନିର୍ଭରଶୀଳ। ଗୁରୁତର ରୋଗୀ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍), ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ସମେତ ରାଉରକେଲାର ଘରୋଇ କ୍ଲିନିକ୍, ଘରୋଇ ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଆସନ୍ତି। ଘର ଝାଡ଼ଖଣ୍ଡ ହୋଇଥିଲେ ହେଁ, ଏମାନଙ୍କ ଜୀବନଜୀବିକା ସବୁ କିଛି ଓଡ଼ିଶାରେ।
sundargarh
Follow Us