elephant in G Udayagiri Photograph: (sambad.in)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଳଜ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ବିଭିନ୍ନ ଗାଁରେ ୨୫ଟିକିଆ ହାତୀପଲର ଉପଦ୍ରବ ପରେ ଅଞ୍ଚଳବାସୀ ତ୍ରାହିତ୍ରାହି ଡାକ ଦେଲେଣି। କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ହାତୀପଲ ଆସି ଘର ଦ୍ୱାର ସହ ଫସଲ ନଷ୍ଟ କରୁଛନ୍ତି।
ଗତ ବର୍ଷ ମଧ୍ଯ ହାତୀପଲ ଆସି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଥିଲେ ଯାହା ଫଳରେ ପୀଡ଼ିତା ପରିବାର ଜଙ୍ଗଲରେ ଥିବା ଘର ଛାଡ଼ି କୁରୁମିଙ୍ଗିଆ ଆସି ବାର ଦ୍ଵାର ହୋଇ ରହିଥିଲେ। ଶେଷରେ ପୁଣିଥରେ ସେହି ଜଙ୍ଗଲ ଜାଗାକୁ ଫେରି ଘର ମରାମତି କରି ରହିଥିଲେ।
୨୫ ଟିକିଆ ହାତୀପଲ କୁରୁମିଙ୍ଗିଆ, ବାରାକାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା, ଡଗରମୁଣ୍ଡା ଦେଇ କାଟାଗୁଡ଼ା ଗ୍ରାମରେ ପହଞ୍ଚି ଘର ଦ୍ୱାର ଭଙ୍ଗା ରୁଜା ସହ ଫସଲ ହାନି କରିଥିଲେ। କାଟାଗୁଡ଼ା ମଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନଙ୍କ ସହ ଅନେକ ଚାଷିଙ୍କ ଫସଲ ବାଡ଼ ଭିତରେ ପଶି କଦଳୀ, ହଳଦୀ ବିଭିନ୍ନ ଫଳ ବଗିଚା ଭିତରେ ପଶି ଖାଇବା ସହ ଘର ଭିତରେ ଥିବା ଧାନ ଖାଇ ବ୍ୟାପକ କ୍ଷୟ କ୍ଷତି କରି ଘର ଦ୍ୱାର ଭାଙ୍ଗି ଦେଇଥିଲେ। କାଟାଗୁଡ଼ାବାସୀଙ୍କ କହିବାନୁସାରେ ହାତୀପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପସି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଥିଲେ। ପୁଣି ଗତକାଲି ରାତିରେ ହାତୀପଲ କଳିଙ୍ଗା ଦୁଗୁଡିପାରି ଦୁବେସାହିର ବିଶ୍ଵାମିତ୍ର ସାହୁଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶେଇ ଦେଇଥିବା ଦେଖିବାକୁ ମିଳିଛି।
ହାତୀପଲରେ ୫ଟି ଦନ୍ତା ହାତୀ ଥିବା ବେଳେ ୧୨ଗୋଟି ମାଈ ଏବଂ ୮ଗୋଟି ପିଲା ହାତୀ ଅଛନ୍ତି। କିଛି ଦିନ ଭିତରେ ସ୍ଥାନୀୟ ଅଞ୍ଚଳର ରେଟୁଡି ଗ୍ରାମର ବ୍ୟାପକ ଧାନ ଫସଲ ବଗିଚା ନଷ୍ଟ କରିଦେବା ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଏହି ହାତୀପଲ ଦିନରେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ମୁଜଗଡ଼ ବନଖଣ୍ଡର ଦରପୀଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ନଇଁଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଜଙ୍ଗଲକୁ ପ୍ରବେଶ କରି ବ୍ୟାପକ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଗୋଟିଏ ପକ୍ଷରେ ଅଞ୍ଚଳ ବାସୀଙ୍କ ଭିତରେ ହାତୀକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ବନବିଭାଗ କର୍ମଚାରୀଙ୍କ ନିଦ ହଜେଇ ଦେଲାଣି ହାତୀପଲ।
Kandhamal
Follow Us