ଶରତରେ ଗ୍ରୀଷ୍ମଋତୁ ଭଳି ଗୁଳୁଗୁଳି

ଦିନକ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ଧରାପୃଷ୍ଠରେ ମା’ ବିରାଜିବେ। ଶ୍ରଦ୍ଧାଳୁମାନେ ମା’ଙ୍କୁ ପୂଜାର୍ଚ୍ଚନା କରିବେ। ଉଭୟ ସକାଳ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମା’ଙ୍କ ମନ୍ଦିର ଓ ମଣ୍ଡପ ଯାଇ ଦର୍ଶନ କରିବେ। କିନ୍ତୁ ଚଳିତ ବର୍ଷ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି।

Ali1

ଭୁବନେଶ୍ବର/ଆଳି: ଶରତ ଋତୁ ଆସିଛି। ଦିନକ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ଧରାପୃଷ୍ଠରେ ମା’ ବିରାଜିବେ। ଶ୍ରଦ୍ଧାଳୁମାନେ ମା’ଙ୍କୁ ପୂଜାର୍ଚ୍ଚନା କରିବେ। ଉଭୟ ସକାଳ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମା’ଙ୍କ ମନ୍ଦିର ଓ ମଣ୍ଡପ ଯାଇ ଦର୍ଶନ କରିବେ। କିନ୍ତୁ ଚଳିତ ବର୍ଷ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି। ଗତ ଜୁଲାଇ ୭ ତାରିଖ ଠାରୁ ବର୍ଷା ଲାଗି ରହିଛି। ପ୍ରାୟତଃ ପ୍ରତିଦିନ ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇଛି। କିନ୍ତୁ ଏହା ଖଣ୍ଡ ବର୍ଷା। ଏତେ ବର୍ଷା ହେଲେ ସୁଦ୍ଧା ଗରମ ଓ ଗୁଳୁଗୁଳି ସରିନାହିଁ। ଗ୍ରୀଷ୍ମଋତୁ ଭଳି ଶରତରେ ଗୁଳୁଗୁଳି ଅନୁଭୂତ ହେଉଛି। ଖରା ବି ପ୍ରବଳ ହେଉଛି। କିନ୍ତୁ ଖୁସିର କଥା ଯେ, ଗ୍ରୀଷ୍ମଦିନ ଭଳି ତାପମାତ୍ରା ନାହିଁ। ଶରତରେ ଗୁଳୁଗୁଳିର ଅଭାବନୀୟ ଚିତ୍ର କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକରୁ ଆସିଛି। ବିଭିନ୍ନ ସ୍କୁଲରେ ୬୩ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଛନ୍ତି। 

ali

ସିଙ୍ଗିରି ଚକ୍ରଧର ହାଇସ୍କୁଲ, ହସିମୁଦ୍ଦିନ ସ୍କୁଲ୍ ଓ ମେଣ୍ଢପୁର ହାଇସ୍କୁଲ ପରେ ଆଜି ନିଆଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ହଠାତ୍ ଜଣେ ପରେ ଜଣେ ୯ ଜଣ ଛାତ୍ରୀ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ। ବିଦ୍ୟାଳୟର ନିରୂପମା ବେହେରା, ଶୁଭଦର୍ଶିନୀ ସାମଲ, ଆଦ୍ୟାଶା ମହାନ୍ତି, ପ୍ରୀତିପ୍ରଦା ପାତ୍ର, ଲଭଲି ବେହେରା, ଅର୍ପିତା ସାମଲ, ଯଶସ୍ବୀ ତୃପ୍ତି ତନୁଜା, ଲକ୍ଷ୍ମୀପ୍ରିୟା ସାହୁ ଓ ଶ୍ରଦ୍ଧାଞ୍ଜଳି ରାଉତଙ୍କୁ ଆଳି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ, ଗୁଳଗୁଳି କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ପ୍ରଣବ କୁମାର ଶୁକ୍ଳା କହିଛନ୍ତି।

ସୂଚନାଯୋଗ୍ୟ, ସିଙ୍ଗିରି ଚକ୍ରଧର ହାଇସ୍କୁଲରେ ୧୭, ହସିମୁଦ୍ଦିନ ଓ ମେଣ୍ଢପୁର ହାଇସ୍କୁଲରେ ୩୭ ଛାତ୍ରଛାତ୍ରୀ ଶ୍ବାସକ୍ରିୟା ନେବାରେ କଷ୍ଟ ଅନୁଭବ କରି ଏହିଭଳି ଅସୁସ୍ଥ ହୋଇପଡ଼ିଥିଲେ। ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି। ‌ଛୋଟପିଲା ଓ ବୟସ୍କମାନେ ଅଧିକ ଅସୁସ୍ଥ ଅନୁଭବ କରୁଛନ୍ତି। ଖରାଦିନ ଭଳି ପଙ୍ଖା, କୁଲର ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ପଡୁଛି। ଭିଡ଼ ଭିତରେ ଅଧିକ ଅଣନିଃଶ୍ବାସୀ ହେବାକୁ ପଡୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe