ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଁ ୫୦୦୦ ଟଙ୍କା ନେଉଥିଲେ ଲାଞ୍ଚ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ତାଙ୍କ ସ୍ବାମୀ ଧରାପଡ଼ିଛନ୍ତି।

Vigilance raid

Vigilance raid Photograph: (sambad.in)

ବରଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କରାଇଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ ତାଙ୍କ ସ୍ବାମୀ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୁପୂର ସେଠ୍‌ ଏବଂ ତାଙ୍କର ସ୍ବାମୀ ବେଦ୍‌ ପ୍ରକାଶ ବିଶ୍ବାଳ। 

ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନ ଜ୍ଞାନ ପଞ୍ଚାୟତର ପିଇଓ ନୁପୂର ସେଠ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ ହିତାଧୀକାରୀଙ୍କୁ ଗୃହ କରାଇଦେବା ନାମରେ ୧୦,୦୦୦ ଟଙ୍କା ମାଗିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସେ ୧୦,୦୦୦ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିଥିଲେ। ତେଣୁ ୫୦୦୦ ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ସଂପୃକ୍ତ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସେ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। 

ସରକାରୀ ଯୋଜନାରେ ଜଣେ ହିତାଧିକାରୀଙ୍କୁ ଗୃହ କରାଇ ଦେବା ଆଳରେ ଟଙ୍କା ଲାଞ୍ଚ ନେବା ମହିଳା ପିଇଓଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ହିତାଧିକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ପିଇଓଙ୍କୁ ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଛନ୍ତି। 

ଶ୍ରୀମତୀ ସେଠ୍‌ ହିତାଧୀକାରୀଙ୍କ ଠାରୁ ସିଧାସଳଖ ଟଙ୍କା ନନେଇ ସ୍ବାମୀ ବେଦ୍‌ ପ୍ରକାଶ ବିଶ୍ବାଳଙ୍କ ଜରିଆରେ ଆଜି ଟଙ୍କା ନେଉଥିଲେ। ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ଏଥି ସହିତ ଭିଜିଲାନ୍ସ ବିଭାଗ ସଂପୃକ୍ତ ଅଧିକାରୀ ଶ୍ରୀମତୀ ସେଠ୍‌ ଏବଂ ତାଙ୍କର ସ୍ବାମୀ ବେଦ୍‌ ପ୍ରକାଶଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଶ୍ରୀମତୀ ସେଠ୍‌ଙ୍କ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅଭିଯୋଗ ଆସିଛି।  

Vigilance | raid

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe