Mao at Banai Photograph: (sambad.in )
କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍ ହୋଇଛି। ଗାଡ଼ି ସହ ଲୁଟ୍ ହୋଇଥିବା ପ୍ରାୟ ୪ ଟନ୍ ବିସ୍ଫୋରକର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ। ଗାଡ଼ିକୁ ଅଜ୍ଞାତ ୩୦ରୁ ୪୦ ଜଣ ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ଲୁଟିବାର ପ୍ରାୟ ୭ ଘଣ୍ଟା ପରେ ପୁଲିସ ଓ ସିଆର୍ପିଏଫ୍ର ମିଳିତ ଅଭିଯାନରେ ବିସ୍ଫୋରକାବୋଝେଇ ଗାଡ଼ି ଠାବ ହୋଇଛି। ସୂଚନା ଅନୁସାରେ, ଆଜି ବଡ଼ଗାଁରୁ ବିସ୍ଫୋରକ ବୋଝେଇ ହୋଇ ଏକ ଗାଡ଼ି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣି ଅଭିମୁଖେ ବାହାରିଥିଲା। ଖଣି ପହଞ୍ଚିବାକୁ ଆଉ ଅଳ୍ପଦୂର ଥିବାବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ପାଖାପାଖି ୩୦ରୁ ଅଧିକ ଅଜ୍ଞାତବ୍ୟକ୍ତି ଗାଡ଼ିକୁ ଘେରି ଯାଇଥିଲେ। ଏହାପରେ ସେମାନେ ଗାଡ଼ି ସହ ବିସ୍ଫୋରକକୁ ଲୁଟି ନେଇଥିଲେ।
ଖଣି କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୁଲିସ ଗୋଟିଏ ଟିମ୍ ଗଠନକରି ଛାନ୍ବିନ୍ ଆରମ୍ଭ କରିଥିଲା। ଏହାପରେ ପୁଲିସ ଓ ସିଆର୍ପିଏଫ୍ ଟିମ୍ ସରଣ୍ଡା ଜଙ୍ଗଲରେ ନିଜର କୁମ୍ବିଂ ଅଭିଯାନ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ସରଣ୍ଡା ଜଙ୍ଗଲର ଆଭ୍ୟନ୍ତରରୁ ବିସ୍ଫୋରକବୋଝେଇ ଗାଡ଼ିର ସନ୍ଧାନ ମିଳିଥିଲା। ଅନ୍ୟପକ୍ଷରେ କେବଲାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲମାନଙ୍କରେ କିଛିଦିନ ଧରି ମାଓବିରୋଧି ଅପରେସନ୍ ଜାରିରହିଛି। ତେଣୁ ମାଓବାଦୀମାନେ ଗାଡ଼ିକୁ ଲୁଟିନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସୀମାନ୍ତରେ ହାଇଆଲର୍ଟ
କେବଲାଙ୍ଗ ଥାନା ଅଧିନସ୍ଥ ବାଙ୍କୋ ଠାରେ ସଶସ୍ତ୍ର ମାଓବାଦୀମାନେ ଗୋଟିଏ ବିସ୍ଫୋରକ ବୋଝେଇ ଗାଡ଼ିକୁ ଲୁଟ୍ କରିବା ଘଟଣା ପରେ ଜରେଇକେଲା ସୀମାନ୍ତରେ ଝାଡ଼ଖଣ୍ଡ ପୁଲିସ ତରଫରୁ ହାଇ ଆଲର୍ଟ ଜାରି ହୋଇଛି। ଯେଉଁ ଜାଗାରୁ ବିସ୍ଫୋରକ ଗାଡ଼ି ଲୁଟ୍ ହୋଇଛି ସେହି ଅଞ୍ଚଳଟି ସରଣ୍ଡା ଜଙ୍ଗଲକୁ ଲାଗିଥିବାରୁ ସରଣ୍ଡା ଜଙ୍ଗଲରେ ଥିବା ଦୀଘା, ଥାଲକୋବାଦ, ଛୋଟାନାଗରା, ବରାଇବୁରୁ ସିଆର୍ପିଏଫ୍ କ୍ୟାମ୍ପ ତରଫରୁ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି। ମାଓ ନେତା ମିଶିର୍ ବେସରାଙ୍କ ନେତୃତ୍ୱରେ ମାଓବାଦୀମାନେ ଏହି ବିସ୍ଫୋରକ ଗାଡ଼ି ଲୁଟ୍ କରିଥିବା ସୂତ୍ରରୁ ଜଣା ପଡ଼ିଛି। ଉଲ୍ଳେଖଯୋଗ୍ୟ ଯେ ୨୦୦୯ ମସିହାର ୧୮ ଜୁଲାଇ ଦିନ ରାଉରକେଲାର ଚମ୍ପାଝରନ ଠାରେ ମଧ୍ୟ ମାଓବାଦୀମାନେ ଠିକ୍ ଏହିପରି ଭାବେ ଗୋଟିଏ ବିସ୍ଫୋରକ ଗାଡ଼ିକୁ ଲୁଟି ନେଇଥିଲେ। ଏହି ସମୟରେ ମାଓବାଦୀମାନେ ଓଡ଼ିଶା ପୁଲିସର ଜଣେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା ମଧ୍ୟ କରିଥିଲେ।
maoists
  
 Follow Us