IED recovered Photograph: (sambad.in )
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥରଖଣିକୁ ପହଞ୍ଚିବା ପୂର୍ବରୁ ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିବା ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଉଦ୍ଧାର ହୋଇଛି। ସୁରକ୍ଷା ବାହିନୀର ଯବାନମାନେ ଏହାକୁ ସିଂହଭୂମ ଜିଲ୍ଲା ତିରିଲପୋଷି ଠାରେ ଜବତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀ ସହିତ ମାଓବାଦୀଙ୍କର ଗୁଳିବିନିମୟ ଜାରି ରହିଛି।
ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଆସୁଥିବା ବେଳେ ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିଲା। ଗାଡ଼ି ସହ ଲୁଟ୍ ହୋଇଥିବା ପ୍ରାୟ ୪ ଟନ୍ ବିସ୍ଫୋରକର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗାଡ଼ିକୁ ଅଜ୍ଞାତ ୩୦ରୁ ୪୦ ଜଣ ଲୁଟିଥିବା କୁହାଯାଉଥିବାବେଳେ ସେମାନେ ମାଓବାଦୀ ହୋଇଥିବା ସନ୍ଦେହ କରାଯାଉଛି।
ଗତ ୨୭ ତାରିଖ ଦିନ ବଡ଼ଗାଁରୁ ବିସ୍ଫୋରକ ବୋଝେଇ ହୋଇ ଏକ ଗାଡ଼ି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣି ଅଭିମୁଖେ ବାହାରିଥିଲା। ଖଣି ପହଞ୍ଚିବାକୁ ଆଉ ଅଳ୍ପଦୂର ଥିବାବେଳେ ମଧ୍ୟାହ୍ନ ପ୍ରାୟ ୧୨ଟା ପାଖାପାଖି ୩୦ରୁ ଅଧିକ ଅଜ୍ଞାତବ୍ୟକ୍ତି ଗାଡ଼ିକୁ ଘେରି ଯାଇଥିଲେ। ଏହାପରେ ସେମାନେ ଗାଡ଼ି ସହ ବିସ୍ଫୋରକକୁ ଲୁଟି ନେଇଥିଲେ। ଏହା ପରେ ଖଣି କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୁଲିସ ଗୋଟିଏ ଟିମ୍ ଗଠନକରି ଛାନ୍ବିନ୍ ଆରମ୍ଭ କରିଥିଲା। ଏହାପରେ ପୁଲିସ ଓ ସିଆର୍ପିଏଫ୍ ଟିମ୍ ସରଣ୍ଡା ଜଙ୍ଗଲରେ ନିଜର କୁମ୍ବିଂ ଅଭିଯାନ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ସରଣ୍ଡା ଜଙ୍ଗଲର ଆଭ୍ୟନ୍ତରରୁ ବିସ୍ଫୋରକବୋଝେଇ ଗାଡ଼ିର ସନ୍ଧାନ ମିଳିଥିଲା। କେବଲାଙ୍ଗ ଥାନା ଅନ୍ତର୍ଗତ ଜଙ୍ଗଲମାନଙ୍କରେ କିଛିଦିନ ଧରି ମାଓବିରୋଧି ଅପରେସନ୍ ଜାରିରହିଛି। ତେଣୁ ମାଓବାଦୀମାନେ ଗାଡ଼ିକୁ ଲୁଟିନେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସୀମାନ୍ତରେ ହାଇଆଲର୍ଟ
କେବଲାଙ୍ଗ ଥାନା ଅଧିନସ୍ଥ ବାଙ୍କୋ ଠାରେ ସଶସ୍ତ୍ର ମାଓବାଦୀମାନେ ଗୋଟିଏ ବିସ୍ଫୋରକ ବୋଝେଇ ଗାଡ଼ିକୁ ଲୁଟ୍ କରିବା ଘଟଣା ପରେ ଜରେଇକେଲା ସୀମାନ୍ତରେ ଝାଡ଼ଖଣ୍ଡ ପୁଲିସ ତରଫରୁ ହାଇ ଆଲର୍ଟ ଜାରି ହୋଇଛି। ଯେଉଁ ଜାଗାରୁ ବିସ୍ଫୋରକ ଗାଡ଼ି ଲୁଟ୍ ହୋଇଛି ସେହି ଅଞ୍ଚଳଟି ସରଣ୍ଡା ଜଙ୍ଗଲକୁ ଲାଗିଥିବାରୁ ସରଣ୍ଡା ଜଙ୍ଗଲରେ ଥିବା ଦୀଘା, ଥାଲକୋବାଦ, ଛୋଟାନାଗରା, ବରାଇବୁରୁ ସିଆର୍ପିଏଫ୍ କ୍ୟାମ୍ପ ତରଫରୁ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି। ମାଓ ନେତା ମିଶିର୍ ବେସରାଙ୍କ ନେତୃତ୍ୱରେ ମାଓବାଦୀମାନେ ଏହି ବିସ୍ଫୋରକ ଗାଡ଼ି ଲୁଟ୍ କରିଥିବା ସୂତ୍ରରୁ ଜଣାପଡ଼ିଛି।
maoists | sundargarh
Follow Us