ଆଜିର କେହି ବି ଯୁବକକୁ ଯୋଗକୁ ଆଗ୍ରହର ସହିତ ଗ୍ରହଣ କରିବାକୁ ପ୍ରୋତ୍ସାହିତ କଲେ ସେ ବୋଧହୁଏ ପ୍ରଶ୍ନ କରିବ, "ଯୋଗ ମୋ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?" ଅତଏବ ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ  ପ୍ରଥମେ  ଆମକୁ  ନିଜେ ବିଜ୍ଞତାର ସହ ଏହାର ସଠିକ ଉତ୍ତର ଜାଣିନେବା  ଆବଶ୍ୟକ। ବର୍ତ୍ତମାନ, ଏକ ଦଶନ୍ଧି ଧରି, ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ଭାରତ ଆମ ଜୀବନରେ ଯୋଗର ଅନନ୍ତ ମହତ୍ତ୍ୱକୁ ପାଳନ କରିବାରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ନେତୃତ୍ୱ ଦେଇ ଆସିଛି। ତଥାପି, ଆମ ମଧ୍ୟରୁ କେତେକ ହୃଦୟଙ୍ଗମ କରନ୍ତି ଯେ, ଯୋଗର ପ୍ରକୃତ ଅର୍ଥ ଏହାର ଆନ୍ତରିକ, ଗଭୀର ବ୍ୟକ୍ତିଗତ ପ୍ରକାଶନରେ ନିହିତ। ଈଶ୍ୱରଙ୍କ ସହିତ ଏକତା ପାଇଁ ଦିବ୍ୟ ଅନ୍ୱେଷଣ, ଯାହା ଉପରେ ବିଶ୍ୱର ସମସ୍ତ ଧର୍ମ ଗୁରୁତ୍ୱ ଦିଅନ୍ତି, ତାହା ଯୋଗ-ଧ୍ୟାନର ବୈଜ୍ଞାନିକ ପଦ୍ଧତି ଗୁଡିକର ନିୟମିତ ଅଭ୍ୟାସ ଦ୍ୱାରା ପ୍ରୋତ୍ସାହିତ ଏବଂ ପରିଶେଷରେ ସମ୍ଭବ ହୋଇପାରିଛି।

Advertisment

କ୍ରିୟାଯୋଗ ହେଉଛି ଆଧ୍ୟାତ୍ମିକ ଅଭ୍ୟାସର ସେହି ପଦ୍ଧତି, ଯାହା ଜଣେ ସଚ୍ଚୋଟ ଯୋଗୀ ସାଧକକୁ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରିଥାଏ। ଭଗବାନ ଶ୍ରୀକୃଷ୍ଣ ତାଙ୍କ ଶିଷ୍ୟ ଅର୍ଜୁନଙ୍କୁ ଶୁଣାଇଥିବା ସ୍ୱର୍ଗୀୟ କାବ୍ୟ, ଭଗବଦ୍ ଗୀତାରେ କ୍ରିୟାଯୋଗର ଦୁଇଥର ଉଲ୍ଲେଖ କରାଯାଇଛି। ଏବଂ ଏହି ଗୁରୁତ୍ୱପୂର୍ଣ୍ଣ, ସିଦ୍ଧାନ୍ତମୂଳକ ବିଜ୍ଞାନକୁ, ଯାହାକୁ ମାନବ ଶତାବ୍ଦୀ ଶତାବ୍ଦୀ ଧରି ପାସୋରି ଦେଇଥିଲା, ତାକୁ ଊନବିଂଶ ଶତାବ୍ଦୀରେ, ମହାନ ଗୁରୁ ଲାହିରୀ ମହାଶୟଙ୍କ ଦ୍ୱାରା, ତାଙ୍କ ଅମର ଗୁରୁ ମହାବତାର ବାବାଜୀଙ୍କ ଆଶୀର୍ବାଦ ଫଳରେ ପୁନଃ ଆବିଷ୍କାର କରାଯାଇଥିଲା। କ୍ରିୟାଯୋଗର ଗଭୀର ଜ୍ଞାନ ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦଙ୍କୁ ତାଙ୍କ ଗୁରୁ ଏବଂ ଲାହିଡ଼ି ମହାଶୟଙ୍କ ଶିଷ୍ୟ ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱର ଗିରି ପ୍ରଦାନ କରିଥିଲେ।

୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ବିଶେଷ ଉପଲକ୍ଷେ

ଏହିପରି, ଯୋଗାନନ୍ଦଜୀ କ୍ରିୟାଯୋଗର ବିଶ୍ୱସ୍ତରୀୟ ଦୂତ ହେବାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ସେ ପଶ୍ଚିମ ଦେଶ ମାନଙ୍କରେଏହାର ଉପକାରିତାକୁ ବିଷୟରେ ବହୁଳ ଭାବରେ ପ୍ରଚାର ଏବଂ ପ୍ରସାରକରିଥିଲେ। ଆଜି, ବିଶ୍ୱବ୍ୟାପୀ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ, ଯୋଗ ଧ୍ୟାନର ବୈଜ୍ଞାନିକ ପଦ୍ଧତି ଅଭ୍ୟାସ କରନ୍ତି ଯାହା କ୍ରିୟାଯୋଗ ପଥର ଏକ ସହଜାତ ଅଂଶ। ଯୋଗାନନ୍ଦଜୀ ତାଙ୍କର ବିଶ୍ୱସ୍ତରୀୟ ପ୍ରଶଂସିତ ଆତ୍ମଜୀବନୀ ଯୋଗୀର ଆତ୍ମଚରିତରେ ଏତେ ପ୍ରେରଣାଦାୟକ ଭାବରେ ଉଲ୍ଲେଖ କରିଛନ୍ତ, "ମାୟା କିମ୍ବା ପ୍ରକୃତିର ସ୍ୱାଭାବିକ ନିୟମ ଅଧୀନରେ ଥିବା ପୁରୁଷମାନଙ୍କ ମଧ୍ୟରେ, ଜୀବନ ଶକ୍ତିର ପ୍ରବାହ ବାହ୍ୟ ଜଗତ ଆଡ଼କୁ ଥାଏ; ଏହି ସ୍ରୋତ ଇନ୍ଦ୍ରିୟ ଗୁଡିକରେ ନଷ୍ଟ ଏବଂ ଅପବ୍ୟବହୃତ ହୁଏ । କ୍ରିୟାର ଅଭ୍ୟାସ ଏହି ପ୍ରବାହକୁ ବିପରୀତଗାମୀ କରାଏ; ପ୍ରାଣ ଶକ୍ତି ମାନସିକ ରୂପେ ଆଭ୍ୟନ୍ତରୀଣ ବ୍ରହ୍ମାଣ୍ଡକୁ ନିର୍ଦ୍ଦେଶିତ ହୁଏ ଏବଂ ସୂକ୍ଷ୍ମ ମେରୁଦଣ୍ଡୀୟ ଶକ୍ତି ସହିତ ପୁନଃମିଳିତ ହୁଏ। ପ୍ରାଣ ଶକ୍ତିର ଏପରି ସୁଦୃଢ଼ୀକରଣ ଦ୍ୱାରା, ଯୋଗୀର ଶରୀର ଏବଂ ମସ୍ତିଷ୍କର କୋଷଗୁଡ଼ିକ ଏକ ଆଧ୍ୟାତ୍ମିକ ସୁଧା ଦ୍ୱାରା ନବୀକୃତ ହୁଅନ୍ତି ।"

ଯୋଗୀର ଆତ୍ମଚରିତର ପୃଷ୍ଠାରୁ, ଆମେ ଆହୁରି ଜାଣିବାକୁ ପାଉ ଯେ କ୍ରିୟାଯୋଗର ନିୟମିତ ଅଭ୍ୟାସ, ଜଣେ ନିଷ୍ଠାବାନ  ସାଧକର ରକ୍ତକୁ ଅମ୍ଳଜାନରେ ପୁନଃଚାର୍ଜ କରି ଅଙ୍ଗାରକାମ୍ଳ ରହିତ କରିବାରେ ସକ୍ଷମ କରିଥାଏ। ଏହିପରି, ମସ୍ତିଷ୍କ ଏବଂ ମେରୁଦଣ୍ଡ ଏହି ଅତିରିକ୍ତ ଅମ୍ଳଜାନ ଦ୍ୱାରା ପୁନର୍ଜୀବିତ ହୁଏ ଏବଂ ମାଂସପେଶୀର କ୍ଷୟକୁ ରୋକାଯାଏ। କ୍ରିୟାଯୋଗର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତାକୁ ଏଥିରୁ ଅଧିକ ଗୁରୁତ୍ୱ କଅଣ ଦିଆଯାଇପାରେ! ଏହା ଏକ ଜୀବନ-ବର୍ଦ୍ଧକ କୌଶଳ ଯାହା ଜଣେ ନିଷ୍ଠାବାନ ସାଧକଉ ଜୀବନକୁ ନିଃଶନ୍ଦେହ ଉନ୍ନତ କରିଥାଏ ।

କ୍ରିୟାଯୋଗର ସୁଗମତା ସାର୍ବଜନୀନ ଏବଂ ସମସ୍ତ ମାନବ ଏହାର ଅଭ୍ୟାସ ମାଧ୍ୟମରେ ଜୀବନର ସାଧାରଣ ଦିନଚର୍ଯ୍ୟାକୁ ଉନ୍ନତ କରି ଆଧ୍ୟାତ୍ମିକ ଉଚ୍ଚତା ଏବଂ ଗଭୀରତାକୁ ଆରୋହଣ କରିପାରିବ। ୧୯୧୭ ମସିହାରେ, ପରମହଂସ ଯୋଗାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ଯୋଗୋଦ ସତସଙ୍ଗ ସୋସାଇଟି ଅଫ୍ ଇଣ୍ଡିଆ (YSS), ହେଉଛି ଏକ ସଂଗଠନ ଯାହା ଯୋଗାନନ୍ଦଜୀଙ୍କ ପବିତ୍ର କ୍ରିୟାଯୋଗ ଶିକ୍ଷାକୁ ଭାରତ, ନେପାଳ ଏବଂ ଶ୍ରୀଲଙ୍କାର ସାଧକମାନଙ୍କ ନିକଟରେ ପ୍ରସାରିତ କରେ। ଯୋଗାନନ୍ଦଜୀଙ୍କ ଦ୍ୱାରା ଠିକ୍ ଶହେ ବର୍ଷ ପୂର୍ବରୁ ୧୯୨୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ସେଲ୍ଫ ରିଅଲାଇଜେସନ ଫେଲୋସିପ୍ (SRF) ହେଉଛି YSS ର ସହଯୋଗୀ ସଂଗଠନ, ଯାହା ଲସ୍ ଏଞ୍ଜେଲସରେ ଅବସ୍ଥିତ ଏହାର ମୁଖ୍ୟାଳୟ ମାଧ୍ୟମରେ, ବିଶ୍ୱବ୍ୟାପୀ ସେହି ପ୍ରକାର ଭୂମିକା ଗ୍ରହଣ କରେ । ବର୍ଷ ବର୍ଷ ଧରି, ଲକ୍ଷ ଲକ୍ଷ ଭକ୍ତ ଏହି ଶିକ୍ଷାରୁ ଉପକୃତ ହୋଇଛନ୍ତି।

ଆପଣ ଏବଂ ମୋ ଭଳି ଏହି ବିଶ୍ୱର ସାଧାରଣ ଲୋକଙ୍କ ପାଇଁ, ଯୋଗର ଜୀବନ ଚରିତାର୍ଥକାରୀ ପ୍ରଭାବ କେବଳ ସେତେବେଳେ ଅନୁଭବ ହେବ ଯେତେବେଳେ ଆମେ କ୍ରିୟା ଯୋଗ ଭଳି ଏକ ବୈଜ୍ଞାନିକ ପଦ୍ଧତିର ଅଭ୍ୟାସକୁ ଗମ୍ଭିରତା ଏବଂ ନିଷ୍ଠାର ସହିତ ଗ୍ରହଣ କରିବା। ତେବେ ଯାଇଁ, ଆମ ପ୍ରତ୍ୟେକଙ୍କ ପାଇଁ ଏହା ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରକୃତ ମହତ୍ତ୍ୱ ହେବ! ଅଧିକ ସୂଚନା ପାଇଁ।: yssofindia.org

ଲେଖକ: ବିବେକ ଆତ୍ରେୟ

Yoga