ଲକ୍ଷ୍ମୀବସ୍‌: ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା, କ୍ଷତି ସହୁଛନ୍ତି ରାଜ୍ୟ ସରକାର

ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ଅତି ତରବରିଆ ଭାବେ ଲକ୍ଷ୍ମୀ ବସ୍‌ ସେବା ଯୋଜନାର ଶୁଭାରମ୍ଭ କରିଥିଲେ। କମ୍‌ ଭଡ଼ାରେ ସରକାର ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେଇଥିଲେ। ନୂଆ ସରକାରରେ ବି ସେବା ଜାରି ରହିଛି। କିନ୍ତୁ ଏହି ସେବା ଦ୍ବାରା ରାଜ୍ୟ ସରକାରଙ୍କର ରାଜସ୍ବ କ୍ଷତି ହେଉଛି।

Laxmi bus

Photo: Premendra Parichha

ମାଲକାନଗିରି: ଜିଲ୍ଲାରୁ ଗତ ଅକ୍ଟୋବର ମାସରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀବସ୍‌ ସେବା ଯୋଜନାର ଶୁଭାରମ୍ଭ କରିଥିଲେ। ଜିଲ୍ଲାକୁ ୩୬ଟି ବସ ପ୍ରଦାନ କରାଯାଇଛି। ଜିଲ୍ଲାର ସାତୋଟି ବ୍ଲକର ସମସ୍ତ ପଞ୍ଚାୟତକୁ ବସ୍‌ ଚଳାଚଳ କରୁଥିବା ବେଳେ ଜିଲ୍ଲା ସଦର ମହକୁମାକୁ ମଧ୍ୟ ବସ ଚଳାଚଳ କରୁଛି। ପ୍ରତିଦିନ ବସଗୁଡିକ ନିଜର ଗନ୍ତବ୍ୟସ୍ଥଳକୁ ସମୟ ଅନୁସାରେ ଚାଲିଛି। କିନ୍ତୁ ବସରେ ହାତଗଣତି ଲୋକ ହିଁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଡ୍ରାଇଭର ଓ କଣ୍ଡକ୍ଟରକୁ ମିଶା ମାତ୍ର ୫ରୁ ୧୦ ଜଣ ମଧ୍ୟରେ ଲୋକ ବସୁଥିବା ଦେଖିବାକୁ ମିଳିଛି। 

ଲକ୍ଷ୍ମୀ ବସ୍‌ରେ ୩୮ଟି ସିଟ ରହିଥିବା ବେଳେ କେବେ ମଧ୍ୟ ସଂପୂର୍ଣ୍ଣ ସିଟ ଭର୍ତ୍ତି ହେଉଥିବା ଦେଖିବାକୁ ମିଳୁ ନାହିଁ। ଏହି ସେବା ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଚାରି ପାଞ୍ଚ ମାସ ଜିଲ୍ଲାର ସମସ୍ତ ବସରୁ ମାତ୍ର ୧୦ ହଜାର ଟଙ୍କା ଆଦାୟ ହେଉଥିଲା। ପରେ କିନ୍ତୁ ଧୀରେଧୀରେ ଏହି ସେବାର ଲୋକେ ଫାଇଦା ଉଠାଇଥିଲେ। ସେହି ତୁଳନାରେ ପ୍ରତିଦିନ ଆଦାୟ ମଧ୍ୟ ୪୦ରୁ ଏବେ ୫୦ ହଜାର ଟପିଲାଣି। କିନ୍ତୁ ଏହା ଖର୍ଚ୍ଚ ଠାରୁ ଢେର କମ୍ ବୋଲି ଜଣାପଡିଛି। ପ୍ରତିଦିନ ତେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ସମସ୍ତ ଗାଡି ପିଛା ଦେଢ ଲକ୍ଷରୁ  ଦୁଇ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ତେଣୁ ଘୋଡା ୬ଟଂକାକୁ ଦାନା ୯ ଟଙ୍କା ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ରାଜ୍ୟରେ ଚାଲିଥିବା ବସ ସେବାକୁ ଦେଖିବାକୁ ଗଲେ ସେହିପରି ଗତ ଅକ୍ଟୋବରର ୧୨ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ମୋଟ ୩୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାତ୍ର ୨୫ ଲକ୍ଷ ଟଙ୍କା ଆଦାୟ ହୋଇଥିବା ସୂତ୍ରରୁ ଜଣାପଡିଛି। ଅର୍ଥାତ ୩୭୪ କୋଟି ଟଙ୍କା ସିଧା ସଳଖ ପାଣିରେ ପଡ଼ିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ଖବର ପଢ଼ନ୍ତୁ: ଫ୍ୟାନରେ ଝୁଲି ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ଅତି ତରବରିଆ ଭାବେ ଗାଡ଼ିଗୁଡିକ ଖରିଦ କରି ସମସ୍ତ ଜିଲ୍ଲାରେ ଏହି ସେବା ଆରମ୍ଭ କରିଥିଲେ। ଏବେ ଏତେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଦାୟ କମ୍ ହେଉଥିବାରୁ ବର୍ତ୍ତମାନର ସରକାର ଏନେଇ କି ପଦକ୍ଷେପ ନେବେ ତାକୁ ଦେଖିବାକୁ ବାକି ରହିଲା। କିନ୍ତୁ ଜିଲ୍ଲାର ଯାତ୍ରୀମାନଙ୍କ କହିବା ହେଲା ଗାଡିଗୁଡ଼ିକ ପ୍ରତିଦିନ ଯିବା ଆସିବା କରୁଥିବାରୁ ଏହି ଅଂଚଳର ଆଦିବାସୀ ମହିଳା ଓ ପୁରୁଷ ଉପକୃତ ହେଉଛନ୍ତି। ଏଥିସହ ବହୁ ଛାତ୍ରଛାତ୍ରୀ କଲେଜକୁ ଯାଉଥିବାରୁ ଏହି ବସ ସେବା ତାଂକ ପାଇଁ ଆଶୀର୍ବାଦ ପାଲଟିଛି। କମ୍ ଟଙ୍କାରେ ସେମାନେ କଲେଜ ଯାଇ ସୁରକ୍ଷିତ ଭାବେ ଘରେ ପହଞ୍ଚିପାରୁଛନ୍ତି। ନଚେତ ଅନ୍ୟ ବସରେ ଦାମ ଅଧିକା ଦେବା ସହ ନିଜ ଗାଁକୁ ପହଞ୍ଚିବାରେ ବିଳମ୍ବ ହେଉଥିବା ବୋଲି କହନ୍ତି। ବିଜେଡି କହିଛି ସବସିଡାଇଜ ମୂଲ୍ୟରେ ସରକାର ଏହି ସେବା ଯୋଗାଇ ଦେଇଥିଲେ। ଯେଉଁଠି କୌଣସି ବସ ଯାଉନଥିଲା, ସେଠି ଏହି ସେବା ପହଞ୍ଚିପାରିଛି। ଅନ୍ୟଦିଗରେ କଂଗ୍ରେସ କହିଛି ତତ୍କାଳୀନ ସରକାର ଅତି ତହବରିଆ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କଲେ ଯାହା ସରକାରଙ୍କ ପାଇଁ କ୍ଷତି।

ଏହି ଖବର ପଢ଼ନ୍ତୁ: ଖତ ଖାଉଛି କୋଟିକୋଟି ଟଙ୍କାର ଲକ୍ଷ୍ମୀ ବସ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe