ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇଣ୍ଡିଆନ୍‌ ଷ୍ଟିଲ ଆସୋସିଏସନ୍‌ର ସଦସ୍ୟଙ୍କୁ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ।

ଭୁବନେଶ୍ୱର: ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡ଼ିଶାର ଲକ୍ଷ୍ୟ। ଏଥିରେ ଖଣି ଓ ଷ୍ଟିଲ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ତେଣୁ, ଓଡ଼ିଶାରେ କମ୍ପାନି ପ୍ରତିଷ୍ଠା କରୁଥିବା ସଂସ୍ଥା ଗୁଡିକୁ ସୁବିଧାରେ କଞ୍ଚାମାଲ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଷ୍ଟିଲ କମ୍ପାନିଗୁଡ଼ିକୁ ମଧ୍ୟ ଉପଯୁକ୍ତ ବିଚାର ଆଲୋଚନା କରାଯାଇ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 
ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ବର୍ତ୍ତମାନ ଦେଶର ଷ୍ଟିଲ ଉତ୍ପାଦନ ପରିମାଣ ବାର୍ଷିକ ୧୬୫ ମିଲିଅନ୍‌ ଟନ୍‌ ରହିଛି। ୨୦୪୭ ସୁଦ୍ଧା ଏହି ପରିମାଣ ୫୦୦ ମିଲିଅନ୍‌ ଟନ୍‌ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଦେଶର ଷ୍ଟିଲ ଉତ୍ପାଦନ ବୃଦ୍ଧିରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ। ତେଣୁ, ଷ୍ଟିଲ କମ୍ପାନିଗୁଡ଼ିକ ଯେପରି ସୁବିଧାରେ ଲୁହାପଥର ମିଳିବ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳି ପାରିବ, ସେ ବିଷୟରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। 

ବୈଠକରେ ଅଧିକ ଲୁହା ପଥର ଖଣିର ନିଲାମ୍ ଏବଂ ନିଲାମ୍ ହୋଇଥିବା ଖଣିଗୁଡ଼ିକରୁ ଶୀଘ୍ର ଉତ୍ତୋଳନ ଆରମ୍ଭ ଉପରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ପ୍ରାୟ ୩୦ଟି ଖଣି ନିଲାମ୍ ହେବାର ସମ୍ଭାବନା ରହିଛି ବୋଲି ଜଣାଯାଇଛି। ଏହା ସହିତ ଓଡ଼ିଶା ଖଣି ନିଗମରୁ କିପରି ସୁବିଧାରେ ଷ୍ଟିଲ କମ୍ପାନିଗୁଡ଼ିକୁ ଲୁହାପଥର ଯୋଗାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। 

publive-image

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe