ନବରଙ୍ଗପୁର: ଜିଲ୍ଲାର ଲାଇଫ ଲାଇନ୍ ଥିଲା ଇନ୍ଦ୍ରାବତୀ ନଦୀ। ଏହି ନଦୀ ଏବେ ଶୁଖା। ଉପରେ ହୋଇଥିବା ଡ୍ୟାମ୍ରୁ କିଛି ଲାଭ ଜିଲ୍ଲାବାସୀ ପାଉନାହାନ୍ତି। ବରଂ ବର୍ଷା ମାସ ଆସିଲେ ବନ୍ୟା ଦେଖିବାକୁ ବାଧ୍ୟ ହେଉଛନ୍ତି। ଡ୍ୟାମ୍ ଲୋକାର୍ପଣ ପରେ ଜନଆନ୍ଦୋଳନ ଓ ଜନସ୍ବାର୍ଥ ମାମଲାକୁ ପ୍ରତିହତ କରିବା ପାଇଁ ତତ୍କାଳୀନ ସରକାର ବସାଇଥିଲା ହାର୍ଜା କମିସନ। କମିସନ ବି ଇନ୍ଦ୍ରାବତୀ ଡ୍ୟାମରୁ ୭ କ୍ୟୁସେକ୍ ପାଣି ଛାଡ଼ିବା ସହ ନବରଙ୍ଗପୁରଜିଲ୍ଲାର ତୁରୀ, ଗୁଣତାଟ ଓ କୋରାପୁଟ ଜିଲ୍ଲାର ବାଙ୍ଗରୀ ନାଳରେ ଡ୍ୟାମ ନିର୍ମାଣ ପ୍ରସ୍ତାବ ଦେଇଥିଲେ। ୪୭ବର୍ଷ ପରେ ବି ଏହା କାର୍ଯ୍ୟକାରୀ ନ ହୋଇ ନାଲିପିତା ତଳେ ରହିଯାଇଛି।
ଇନ୍ଦ୍ରାବତୀ ନଦୀ ମହାନଦୀ ବେସିନରୁ ବାହାରି ଗୋଦାବରୀ ନଦୀରେ ମିଶିବା ସହ ଏହା ଚିରସ୍ରୋତା ନଦୀ ଭାବେ ପରିଗଣିତ ହୋଇଥିଲା। ଏହି ନଦୀର ପାଣିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚାଷୀମାନେ ବିଭିନ୍ନ ଋତୁକାଳୀନ ଚାଷ କରି ଲାଭାନ୍ବୀତ ହେଉଥିଲେ। ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହ ଜିଲ୍ଲାର ଆର୍ଥିକ ମାନଦଣ୍ଡ ବି ଭଲ ରହିଥିଲା। ୧୯୭୫ ମସିହାରେ ନଦୀର ଜଳକୁ ଗଚ୍ଛିତ ରଖି ଜଳସଚେନ ସହ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
/sambad/media/media_files/2025/05/10/ngp-indravati2-111201.jpg)
ନବରଙ୍ଗପୁର ଜିଲ୍ଲାର ଖାତିଗୁଡାରେ ଇନ୍ଦ୍ରାବତୀ ମୁଖ୍ୟଡ୍ୟାମ ସହ ପୋଡାଗଡ, କପୁର, କୋରାପୁଟ ଜିଲ୍ଲାର ମୁରାନରେ ଜଳଭଣ୍ଡାରର ଜଳସଂରକ୍ଷଣ ରଖିବା ସହ ଡ୍ୟାମ ନିର୍ମାଣ ହେଲା। ୧୯୭୮ ମସିହାରେ କଳହାଣ୍ଡି ଜିଲ୍ଲାର ମୁଖିଗୁଡ଼ା ଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଖଣିମନ୍ତ୍ରୀ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରିଥିଲେ। ୧ ଲକ୍ଷ ୨୮ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିଲା। ନିର୍ମାଣ ସରିବା ପରେ ୨୦୦୧ମସିହାରେ ଏହା କାର୍ଯ୍ୟକାରୀ ହୋଇଛି।
ଜିଲ୍ଲାବାସୀ ଚିନ୍ତା କରିଥିଲେ ଜିଲ୍ଲାରେ ଥିବା ଡ୍ୟାମ୍ଗୁଡ଼ିକରୁ ଜିଲ୍ଲାକୁ ପାଣି ମିଳିବ ଚାଷ କରିବେ। ଡ୍ୟାମ୍ ନିର୍ମାଣ ଓ ବିଦ୍ୟୁତ ଉତ୍ପାଦନ ଆରମ୍ଭ ପରେ ଉଭୟ ଜିଲ୍ଲାରେ ୪ ଜଳଭଣ୍ଡାର ରହିଥିଲେହେଁ ଉପରମୁଣ୍ଡ ପାଣି ତଳମୁଣ୍ଡକୁ ଆସିପାରୁ ନାହିଁ। ଅପରପକ୍ଷରେ କଳାହାଣ୍ଡି ଓ ନୂଆପଡ଼ା ଆଜି ଶସ୍ୟାଶ୍ୟାମଳା।
ଚାଷୀମାନେ ଉପରଇନ୍ଦ୍ରାବତୀ ପ୍ରକଳ୍ପରୁ ନିରାଶ ହେବା ସହ ଚାଷ ପାଇଁ ଚାଷୀ ପାଣି ପାଉନଥିବାରୁ ଆନ୍ଦୋଳନ, ଜନସ୍ବାର୍ଥ ମାମଲା କରିଥିଲେ। ତତ୍କାଳୀନ ସରକାର ହାର୍ଜା କମିସନ ବସାଇଥିଲେ। କମିସନ ଡ୍ୟାମ୍ରୁ ୭ କ୍ୟୁସେକ୍ ଜଳ ବର୍ଷ ତମାମ ଛାଡ଼ିବା ସହିତ ଟୁରୀ, ଗୁଣତାଟ ଓ ବାଙ୍ଗରୀ ନାଳରେ ଡ୍ୟାମ୍ ନିର୍ମାଣ କରିଲେ ଶୁଖା ଅଞ୍ଚଳରେ କିଛି ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସ୍ତାବ ୪୭ବର୍ଷ ପରେ ବି କାର୍ଯ୍ୟକାରୀ ହୋଇ ନ ପାରି ନାଲିପିତା ତଳକୁ ପଳାଇଛି।
Nabarangpur
Follow Us