ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ ପରେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହା ପରେ ସେଠାରୁ କୋର୍ଟଙ୍କୁ ନିଆଯାଇଛି। ଏଥି ସହିତ ବିଏମ୍ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।
ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି, ଜଗନ୍ନାଥ ପ୍ରଧାନ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଭିନ୍ନ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି। ସମର୍ଥକମାନେ କହିଛନ୍ତି, ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର। ଜଣେ ସମର୍ଥକମାନେ କହିଛନ୍ତି, ଜଗନ୍ନାଥ ପ୍ରଧାନଙ୍କ କୌଣସି ଭୁଲ ନାହିଁ। ଯଦି ଜଗନ୍ନାଥ ପ୍ରଧାନଙ୍କ ଭୁଲ ଥିଲା, ପୁଲିସ ଘଟଣାର ତଦନ୍ତ କରିବାର ଥିଲା। ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା।
ଡିସିପି କାର୍ଯ୍ୟାଳୟରେ ଆଜି ରାତି ୯ଟା ୪୦ରେ ପହଞ୍ଚି ଜଗନ୍ନାଥ ପ୍ରଧାନ କହିଥିଲେ, ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାକୁ ମୁଁ ସବୁବେଳେ ନିନ୍ଦା କରିଆସୁଛି। ଏହି ଆକ୍ରମଣ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ଓଏଏସ୍ ସଂଘ ମୋର ଗିରଫ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଆନ୍ଦୋଳନ କାରଣରୁ ଜନସାଧାରଣ ପ୍ରଭାବିତ ହୋଇପାରନ୍ତି। ରଥଯାତ୍ରା ଓ ବନ୍ୟା ସମୟରେ ପ୍ରଶାସନିକ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ମୋହନ ଚରଣ ମାଝୀ ସରକାର ବଦନାମ ନହୁଅନ୍ତୁ ଏହା ମୁଁ ଚାହେଁ। କିନ୍ତୁ ସରକାରଙ୍କ ସମ୍ମାନ, ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗ କରିବି।
ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟରେ ପହଞ୍ଚିବା ନେଇ ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଡିସିପିଙ୍କ ଡାକରା କ୍ରମେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟକୁ ଆସିଛନ୍ତି।
ଜଗନ୍ନାଥ ପ୍ରଧାନ ଗତକାଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଡାକିଥିଲେ। ସେଥି ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲି। ରାଜ୍ୟ ସଭାପତିଙ୍କ ସହିତ କଥା ହେଲି। ତାଙ୍କର ସହିତ ମୋର ଆଲୋଚନା ହୋଇଛି। ଯେମିତି ଗୋଟେ ପରିବାରରେ ଆଲୋଚନା ହୁଏ, ସେହିଭଳି ଆଲୋଚନା ହୋଇଛି।
ତେବେ ଶ୍ରୀ ପ୍ରଧାନ ଦଳୀୟ ନେତୃତ୍ବଙ୍କ ସହିତ କ’ଣ କଥା ହେଲେ ସେନେଇ ମୁହଁ ଖୋଲି ନଥିଲେ। ଶ୍ରୀ ସାମଲ କେବଳ କହିଥିଲେ, ବିଏମ୍ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ସେବିଷୟରେ ଚନ୍ତା କରୁଛନ୍ତି। ଆମେ ଜଗନ୍ନାଥ ପ୍ରଧାନଙ୍କୁ ଆଲୋଚନା ପାଇଁ ଡାକିଥିଲୁ। ଦଳର ଆଭ୍ୟନ୍ତରୀଣ କଥା ଗଣମାଧ୍ୟମ ଆଗରେ କହିବା ଠିକ୍ ହେବ ନାହିଁ। ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂ କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜଗନ୍ନାଥ ପ୍ରଧାନ କଥା ହୋଇଛନ୍ତି। ଆମେ ବାହାରେ ବସିଥିଲୁ। ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟାକୁ ଆମେ ନିନ୍ଦା କରୁଛୁ।
ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲେ। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଥିଲେ। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ। ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି।
ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି।
ଶ୍ରୀ ପ୍ରଧାନ କହିଛନ୍ତି, ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ। ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି। ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି।
ଏହି ଖବର ପଢ଼ନ୍ତୁ: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି। ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି। ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି।
BJP | Jagannath Pradhan Bhubaneswar DCP