ନୂଆପଡ଼ା: କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା। ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏହାର ଜବାବ୍ ରଖିଛନ୍ତି ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା।

Advertisment

ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ବନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ବ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡି ରହି ଜୀବନ ଦେଇଥିଲେ ବି ତାହା ବିଜେଡି କରିନାହିଁ। ଏହି ସଭାରେ ବିଜେପିର ରାଷ୍ଟ୍୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥି‌ଲେ।

ଶେଷ ପର୍ଯ୍ୟାୟରେ ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ତେଣେ ନୂଆପଡ଼ା ଉପନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଲି ଆଜି ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ରୁ ୮ ତାରିଖ ଭିତରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆପଡ଼ାରେ ନବୀନ ବାବୁ ତାଙ୍କ ଦଳର ପାର୍ଥି ପାଇଁ ପ୍ରଚାର କରିବେ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ସ୍ଥିତି ଯାହା ଅଛି ବିଜେପି ଜିତିବ। ଜୟ ଢୋଲକିଆଙ୍କ ସପକ୍ଷରେ ଜନମତ ଅଛି, ତେଣୁ ସେ ସୁନିଶ୍ଚିତ ଜିତିବେ ବୋଲି ଆମର ଦୃଢ଼ ଆଶା।

ଆହୁରି ପଢ଼ନ୍ତୁ: Aim to bring governance: ଶାସନ ବ୍ୟବସ୍ଥା ଲୋକଙ୍କ ଦୁଆର ମୁହଁକୁ ନେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ଗତ ମାସ ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ସମୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ହଜାର ହଜାର ସମର୍ଥକଙ୍କ ସହ ଖରିଆର ରୋଡ୍‌ରୁ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ ଏବଂ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଜୟ ଢୋଲକିଆଙ୍କ ପ୍ରସ୍ତାବକ ଥିଲେ ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସୋମନାଥ ଖମାରୀ। ଜୟଙ୍କ ନାମାଙ୍କନ ଦାଖଲ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମ‌ୁକେଶ ମହାଲିଙ୍ଗ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

 ଆହୁରି ପଢ଼ନ୍ତୁ: 60 percent doctor vacant: ଆଗୁଆ ଜିଲ୍ଲାରେ ପଛୁଆ ସ୍ବାସ୍ଥ୍ୟସେବା: ଖାଲି ପଡ଼ିଛି ୬୦ ପ୍ରତିଶତ ଡାକ୍ତର ପଦ